ଭଞ୍ଜନଗର,୨୬/୧୧(ଆପ୍ର): ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବିହାରର ବକ୍ସର ଟିମ୍ କୁ ହରାଇ ଫାଇନାଲରେ ପ୍ରବେଶ କରିଛି ସୁନ୍ଦରଗଡ। ଏଥିସହ ବକ୍ସର ଟିମ୍ ର ଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଛି।
ବୁଧବାର ଆୟୋଜିତ ଏହି ସେମି ଫାଇନାଲ ମୁକାବିଲା ଆରମ୍ଭରୁ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ବିଦେଶୀ ନାଇଜେରିଆନ୍ ଖେଳାଳିଙ୍କୁ ନେଇ ପଡିଆକୁ ଓଲ୍ଲାଇଥିବା ବକ୍ସର ଟିମ୍ ଆରମ୍ଭରୁ ବେଶ ଭଲ ଖେଳ ପ୍ରଦର୍ଶନ କରିଥିଲା। ଉଦଘାଟନୀ ମ୍ୟାଚରେ ୨ ଟି ଗୋଲ୍ ସ୍କୋର କରିଥିବା ଦଳର ଫରଓ୍ବାଡ ଖେଳାଳି ପୋକାଏକ୍ସୋ ଆଜି କିନ୍ତୁ ଉଭୟ ଦଳ ଓ ଦର୍ଶକଙ୍କୁ ନିରାଶ କରିଥିଲେ। ସୁନ୍ଦରଗଡ଼ ଟିମ୍ ଖେଳାଳିମାନେ ପ୍ରଥମାର୍ଦ୍ଧରେ ସାମାନ୍ୟ ଚାପରେ ଖେଳିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧ ରେ ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ଆଉ ରେଫେରୀ ଙ୍କ ଶେଷ ହୁଇସିଲ ବାଜିବା ସହ ମ୍ୟାଚ ଗୋଲ୍ ଶୁନ୍ୟ ଭାବେ ଶେଷ ହୋଇଥିଲା। ପରେ ଟ୍ରାଇ ବ୍ରେକରର ଆଶ୍ରୟ ନିଆଯାଇଥିଲା। ଆଉ ଏଥିରେ ସୁନ୍ଦରଗଡ଼ ଟିମ୍ ୪-୨ ଗୋଲ୍ ବ୍ୟବଧାନରେ ବିଜୟ ଲାଭ କରିବା ସହ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।
ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ପ୍ରଥମ ସେମି ଫାଇନାଲ ମ୍ୟାଚ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓକିଲ ସଂଘ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ବିଇଓ ଲୋପାମୁଦ୍ରା ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ କମିଟି ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ଓ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଖେଳାଳି ମାନଙ୍କ ସହ କରମର୍ଦ୍ଦନ କରାଇଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ସୁନ୍ଦରଗଡ଼ ର ଗୋଲ କିପର୍ ବାବୁ ଓରାମ ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା।