ମୁମ୍ବାଇ,୨/୬ : ବଲିଉଡ଼ ଅଭିନେତ୍ରୀ- ପଲିଟିସିଆନ୍ କଙ୍ଗନା ରାଣାବତଙ୍କ ମୋଷ୍ଟ- ଆଓ୍ବେଟେଡ୍ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଦେଶଭକ୍ତି, ସାହସ ଏବଂ ମାନବିକତା ଭରି ରହିଥିବା ଏହି ଟ୍ରେଲର ରିଲିଜ ହେବା କ୍ଷଣି ଦର୍ଶକଙ୍କ ଧ୍ୟାନ ନିଜ ଆଡ଼କୁ ଟାଣିଛି । ଫିଲ୍ମର ଟ୍ରେଲର ସହ ଏକ ଦମଦାର୍ ବାର୍ତ୍ତା ବି ସେୟାର କରାଯାଇଛି ଯେଉଁଥିରେ ଲେଖା ଅଛି କି, ହେଡଲାଇନ୍ସ ଆତଙ୍କକୁ ମନେ ରଖିଲା, ଇତିହାସ ହିରୋକୁ ଭୁଲିଗଲା। ଯେତେବେଳେ ଆତଙ୍କବାଦୀ ଆକ୍ରମଣ କଲେ, ସେତେବେଳେ ସେ ସାହସକୁ ବାଛିଲା । ଏହା ତାଙ୍କରି କାହାଣୀ ଅଟେ ।

ଏହି ଗୋଟିଏ୍ ଲାଇନରେ ଫିଲ୍ମର ପୂରା ଥିମ୍ ସ୍ପଷ୍ଟ ହୋଇଯାଉଛି । ‘ଭାରତ ଭାଗ୍ୟ ବିଧାତା’ ସେହି ଅଜ୍ଞାତ ନାୟକଙ୍କୁ ନେଇ ଆସୁଛି, ଯେଉଁମାନେ ଆତଙ୍କ ଏବଂ ଭୟ ଭିତରେ ବି ସାହସ ହାରିନଥିଲେ ଏବଂ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ଲାଗି ନିଜକୁ ବିପଦରେ ପକାଇ ଦେଇଥିଲେ । ଟ୍ରେଲରର ଆରମ୍ଭ ଏକ ଭୟର ବାତାବରଣ ସହ ହେଉଛି । ଗୁଳିର ଶଦ୍ଦ, ଲୋକଙ୍କ ଚିତ୍କାର ଏବଂ ଚାରିଆଡ଼େ ଭୟ ଦର୍ଶକଙ୍କୁ ୨୬/୧୧ଭଳି ଭୟାବହ ସମୟକୁ ମନେ ପକାଇ ଦେଉଛି । କିନ୍ତୁ ଏହି ଅନ୍ଧାର ମଧ୍ୟରେ କିଛି ଏଭଳି ଲୋକ ବି ନଜର ଆସୁଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ଅନ୍ୟମାନଙ୍କୁ ସାହାଯ୍ୟ ଲାଗି ଛିଡ଼ା ହେଉଛନ୍ତି ।

ଏହି ଫିଲ୍ମରେ କଙ୍ଗନା ଜଣେ ନର୍ସର ଚରିତ୍ର ନିଭାଉଥିବା ଦେଖାଯାଉଛନ୍ତି । ଟ୍ରେଲରରେ ତାଙ୍କ ଭୂମିକା ରୋଗୀ ଏବଂ ହସ୍ପିଟାଲରେ ଫସିଥିବା ଲୋକଙ୍କ ସୁରକ୍ଷା ଲାଗି ପ୍ରତି ବିପଦର ସାମ୍ନା କରୁଥିବା ନଜର ଆସୁଛନ୍ତି । କଙ୍ଗନାଙ୍କ ଗମ୍ଭୀର ଏବଂ ଭାବନାତ୍ମକ ଅନ୍ଦାଜ୍ ଫିଲ୍ମର କାହାଣୀକୁ ଆହୁରି ପ୍ରଭାବଶାଳୀ କରି ଗଢି ତୋଳୁଛି ।