ଭୁବନେଶ୍ୱର ୨୭/୧୦: ବହୁଚର୍ଚ୍ଚିତ ଭରତପୁର ଥାନା ଆର୍ମି ଅଫିସର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା। ବଢ଼ିଲା ସତ୍ୟପାଠ ଦାଖଲର ସମୟ ସୀମା। ବିଚାର ବିଭାଗୀୟ ତଦନ୍ତ କମିଶନର ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ତଦନ୍ତ କମିଶନ ପକ୍ଷରୁ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି । ଯାହା ଆସନ୍ତା ମାସ ୮ ତାରିଖରେ ସତ୍ୟପାଠ ଦାଖଲ ଶେଷ ତାରିଖ ରହିଛି। ସୋମବାର ସତ୍ୟପାଠ ଦାଖଲର ଶେଷ ତାରିଖ ଥିବା ବେଳେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି । 

ସେପଟେ ଏ ଘଟଣାରେ କମିଶନଙ୍କ ନିକଟରେ ଘଟଣା ସମ୍ପର୍କିତ ସତ୍ୟପାଠ ଦାଖଲ କରିଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ । ସେଦିନ ତାଙ୍କ ସହ କଣ ଘଟିଥିଲା ସେ ସମ୍ପର୍କରେ ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମେଜର ଓ ବାନ୍ଧବୀ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହି ଘଟଣାରେ କମିଶନ ପକ୍ଷରୁ ସତ୍ୟପାଠ ଦାଖଲ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ଏଯାଏଁ ପାଖାପାଖି ୨୦୦ ଜଣ ସତ୍ୟପାଠ ଦାଖଲ କରିସାରିଥିବା ଜଣାପଡିଛି। 

ସୂଚନା ଥାଉକି,  ଆର୍ମି ମେଜର  ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ  ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ  କରିଥିଲେ। ଏନେଇ ରାତିରେ  ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର  ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ  ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। ଏହି ମାମଲା ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତା ତଦନ୍ତ ଚାଲିଛି। ଏହି ପୂର୍ବରୁ ସତ୍ୟାପାଠ ଦାଖଲ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହ ସୋମବାର ଅର୍ଥାତ ଅକ୍ଟୋବର ୨୮ ତାରିଖରେ ସତ୍ୟାପାଠ ଦାଖଲ ଶେଷ ତାରିଖ ଥିଲା। ବର୍ତ୍ତମାନ ସତ୍ୟପାଠ ଦାଖଲ ସମୟ ସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି। ଯାହ ନଭେମ୍ବର ୮ ତାରିଖ ଯାଏ ଚାଲିବ ।