ଭୁବନେଶ୍ୱର,୦୧/୧୦: ଭରତପୁର ଥାନାରେ ହଙ୍ଗାମା ମାମଲାରେ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କ ସମେତ ୫ଜଣ ପୁଲିସଙ୍କୁ ସାଙ୍ଗରେ ଧରି କ୍ରାଇମ୍‌ବ୍ରାଞ୍ଚ  ଗୁଜରାଟ ଯାଇଛି । ସେଠାରେ ଗାନ୍ଧୀନଗରଠାରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର (ଏସ୍‌ଏଫ୍‌ଏସ୍‌ଏଲ୍‌) ଠାରେ ସମସ୍ତଙ୍କ ମିଛଧରା (ପଲିଗ୍ରାଫ୍‌) ପରୀକ୍ଷା କରାଯାଇଛି । 

ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ  ମିଶ୍ରଙ୍କ ସମେତ ସବ୍‌ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା,  ଏଏସ୍‌ଆଇ ସଲିଳାମୟୀ ସାହୁ, ଏଏସ୍‌ଆଇ ସାଗରିକା  ରଥଙ୍କର ଏହି ମିଛଧରା ପରୀକ୍ଷା କରାଯାଇଛି । ଘଟଣାଦିନ ରାତିରେ ଥାନା ଭିତରେ ଯାହା ଘଟିଥିଲା, ସେସବୁର ତଥ୍ୟ ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସେଠାକାର  ଏସ୍‌ଏଫ୍‌ଏସ୍‌ଏଲ୍‌ ଅଧିକାରୀମାନଙ୍କୁ ଏକ ପ୍ରଶ୍ନପତ୍ରର ତାଲିକା ଦିଆଯାଇଥିଲା । ପ୍ରତ୍ୟକ୍ଷଦର୍ଶୀ ହିସାବରେ ଯାଇଥିବା ଏସ୍‌ଆଇ ପ୍ରଶାନ୍ତ ମହାରଣାଙ୍କ ପାଇଁ ଅନ୍ୟ  ଏକ ରକମର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । ୫ଜଣ ପୁଲିସ ଅଧିକାରୀ ଏସବୁ ପ୍ରଶ୍ନର ଉତ୍ତର ରଖିଥିଲେ । 

କ୍ରାଇମ୍‌ବ୍ରାଞ୍ଚର ସୂଚନା ଅନୁସାରେ, ଶ୍ରୀ ମିଶ୍ର ଆଗାମୀ ଦିନରେ ବ୍ରେନ୍‌ ମ୍ୟାପିଂ ଓ ନାର୍କୋ ପରୀକ୍ଷା  ଦେବେ । ତେଣୁ ସେ ଆହୁରି ଦିନେ କିମ୍ବା ୨ ଦିନ  ସେଠାରେ ରହିବେ । ଅନ୍ୟ ଅଧିକାରୀମାନେ ଓଡିଶା ଫେରିଆସିବେ ।