ରାଜନଗର,୧୫/୧୨: ବିଶ୍ୱ ପ୍ରସିଦ୍ଧ ଭିତରକନିକା  ଜାତୀୟ ଉଦ୍ୟାନରେ ଆସନ୍ତା ଜାନୁଆରୀ ୧୪ରୁ ୨୨  ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ୯ ଦିନ ବ୍ୟାପୀ ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ  ଆସିବାକୁ ବାରଣ କରାଯାଇଛି । ଶୀତ ସହ ଅମାବାସ୍ୟା  ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ । ଶୀତ ଅଧିକ ହେଲେ କୁମ୍ଭୀରମାନେ ନଦୀପଠାରେ ଖରା ପୋଇଁବାକୁ ପଡ଼ି ରହିଥାନ୍ତି । 

ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ  ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା  ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା  ବୁଡ଼ି ନଥାଏ । ତେଣୁ ଏହି ସମୟରେ ଉଭୟ ଦିନ ଓ  ରାତିରେ କୁମ୍ଭୀର ଗଣନା ସୁବିଧାଜନକ ହୋଇଥାଏ ।  ପର୍ଯ୍ୟଟକମାନେ ବୋଟ୍‌ରେ ଆସିବା ସମୟରେ  କୁମ୍ଭୀରମାନେ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ  ପର୍ଯ୍ୟଟକଙ୍କୁ ଭିତରକନିକା ବାରଣ କରିବାର ୩/୪ଦିନ  ପରେ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା  କରାଯାଇଥାଏ । ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ  ପରେ ଏକାଧିକ ଦଳ ଗଠନ କରାଯାଇ ଗଣନା  ଆରମ୍ଭ କରାଯିବ ବୋଲି ବିଭାଗ ସୂଚନା ଦେଇଛି