ଆନ୍ଧ୍ରପ୍ରଦେଶ, ୧୦।୧୧: ତିରୁପତି ଲଡ଼ୁରେ ପଶୁ ଚର୍ବି ଅପମିଶ୍ରଣ ମାମଲା । ଏ ମାମଲାରେ ଉତ୍ତରାଖଣ୍ଡର ଏକ ଡାଏରୀ ନାଁରେ ଅଭିଯୋଗ ହୋଇଥିଲା । ଏହି ଡାଏରୀ ନା କୌଣସି ସ୍ଥାନରୁ ଗୋଟିଏ ବୁନ୍ଦା କ୍ଷୀର କିଣିଥିଲା ନା ଘିଅ । କିନ୍ତୁ, ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୯ରୁ ୨୦୨୪ ଦୀର୍ଘ ୫ ବର୍ଷ ଧରି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରକୁ ଯୋଗାଉଥିଲା ଘିଅ । ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)କୁ ୨୫୦ କୋଟି ଟଙ୍କା ମୂଲ୍ୟର ୬୮ ଲକ୍ଷ କିଲୋଗ୍ରାମର ଘିଅ ଯୋଗାଣ କରିଥିଲା । ତିରୁପତି ଲଡ଼ୁ ଘିଅରେ ଏପରି ଅପମିଶ୍ରଣ ନେଇ ତଦନ୍ତ ପରେ ସିବିଆଇ ଏନେଇ ରିପୋର୍ଟ ଦେଇଛି । ଏହି ଡାଏରୀର ନାଁ ‘ଭୋଲେ ବାବା’ । ଅଭିଯୁକ୍ତ ଅଜୟ କୁମାର ସୁଗନ୍ଧଙ୍କୁ ଗିରଫ କରିବା ପରେ ସିବିଆଇ ନେତୃତ୍ୱାଧୀନ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଟିଆଇ) ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି । ଭୋଲେ ବାବା ଅର୍ଗାନିକ୍ ଡାଏରୀକୁ ମୋନୋଡାଇଗ୍ଲିସେରାଇଡ୍ସ ଏବଂ ଏସିଟିକ୍ ଏସିଡ୍ ଏଷ୍ଟର ଭଳି ବିଭିନ୍ନ ରାସାୟନିକ ପଦାର୍ଥ ଯୋଗାଇଥିଲା ସୁଗନ୍ଧ ।
ସୁଗନ୍ଧକୁ ଏମିତି ମିଳିଥିଲା ଡିଲ୍:
ତିରୁପତି ଲଡ଼ୁ ପ୍ରସାଦ ତିଆରିରେ ବ୍ୟବହୃତ ଘିଅ ଯୋଗାଣ ପାଇଁ ଭୋଲେ ବାବା ଅର୍ଗାନିକ୍ ଡାଏରୀକୁ ଟିଟିଡି ଦ୍ୱାରା ଏକ ଚୁକ୍ତିନାମା ଦିଆଯାଇଥିଲା । ଏସଆଇଟି ନେଲୋର କୋର୍ଟରେ ଦାଖଲ ହୋଇଥିବା ରିମାଣ୍ଡ ରିପୋର୍ଟରେ ଏହି ଖୁଲାସା କରିଛି । ଏହି ଡାଏରୀଟି ଉତ୍ତରାଖଣ୍ଡର ଭଗବାନପୁରରେ ଏହାର ପ୍ରମୋଟର ପୋମିଲ୍ ଜୈନ ଏବଂ ବିପିନ୍ ଜୈନଙ୍କ ଦ୍ୱାରା ପରିଚାଳିତ ହେଉଛି ।
ବ୍ଲାକଲିଷ୍ଟ ହେବା ପରେ ବଡ଼ ଯୋଜନା କରିଥିଲା ଡାଏରୀ ଫାର୍ମ:
ସିବିଆଇ ଅନୁଯାୟୀ, ପ୍ରମୋଟରମାନେ ଏକ ନକଲି ଦେଶୀ ଘିଅ ଉତ୍ପାଦନ ୟୁନିଟ୍ ସ୍ଥାପନ କରିଥିଲେ । ଯେଉଁଠାରେ କ୍ଷୀର ସଂଗ୍ରହ କରିବା ଏବଂ ଦେୟ ରେକର୍ଡର ଜାଲିଆତି କରିଥିଲେ । ଭୋଲେ ବାବା ଡାଏରୀକୁ ୨୦୨୨ ମସିହାରେ ଅଯୋଗ୍ୟ ଏବଂ ବ୍ଲାକ୍ ଲିଷ୍ଟେଡ୍ କରାଯାଇଥିଲା । ତଥାପି ସେମାନେ ତିରୁପତିସ୍ଥିତ ବୈଷ୍ଣବୀ ଡାଏରୀ, ଉତ୍ତରପ୍ରଦେଶସ୍ଥିତ ମାଲ ଗଙ୍ଗା ଏବଂ ତାମିଲନାଡ଼ୁସ୍ଥିତ ଏଆର ଡାଏରୀ ଫୁଡ୍ସ ସମେତ ଅନ୍ୟ ଡାଏରୀ ମାଧ୍ୟମରେ କରିଥିବା ଚୁକ୍ତି ମାଧ୍ୟମରେ ଚାଲାକିର ସହ ଟିଟିଡିକୁ ନକଲି ଘିଅ ଯୋଗାଣ ଜାରି ରଖିଥିଲେ ।
ସିବିଆଇ ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗତ ବର୍ଷ ଜୁଲାଇରେ ଏଆର ଡାଏରୀର ପଶୁ ଚର୍ବି ଥିବା ଚାରିଟି କଣ୍ଟେନର ଘିଅକୁ ତିରୁପତି ଟ୍ରଷ୍ଟ ଅସ୍ୱୀକାର କରିଥିଲା । ଯାହାକୁ ଭୋଲେ ବାବା ଡାଏରୀ ପ୍ରମୋଟର ଏବଂ ବୈଷ୍ଣବୀ ଡାଏରୀ ମାଧ୍ୟମରେ ପରବର୍ତ୍ତୀ ସମୟରେ ପୁନଃବିକ୍ରୟ ହୋଇଥିଲା । ତଦନ୍ତ ସମୟରେ ଏଫ୍ଏସଏସଏଆଇ ଅଧିକାରୀମାନେ ଏବଂ ଏସଆଇଟି ଦଳ ଡିଣ୍ଡିଗୁଲ୍ରେ ଥିବା ଏଆର ଡାଏରୀ ପ୍ଲାଣ୍ଟ ଯାଞ୍ଚ କରିଥିଲେ । ତଦନ୍ତରୁ ଜଣାପଡ଼ିଲା ଯେ, ଚାରୋଟି ଘିଅ ଟ୍ୟାଙ୍କର୍ ଏଆର ଡାଏରୀ ପ୍ଲାଣ୍ଟକୁ ନ ଫେରି ବୈଷ୍ଣବୀ ଡାଏରୀ ପ୍ଲାଣ୍ଟ ନିକଟରେ ଥିବା ଏକ ସ୍ଥାନୀୟ ପଥର କ୍ରସିଂ ୟୁନିଟ୍କୁ ପଠାଯାଇଥିଲା । ଅଗଷ୍ଟ ମାସରେ ବୈଷ୍ଣବୀ ଡାଏରୀ ଯାହା ଆନ୍ଧ୍ରପ୍ରଦେଶ ସର୍କଲରେ ଟିଟିଡିକୁ ଘିଅ ଯୋଗାଣ କରୁଥିଲା, ଟ୍ରକଗୁଡ଼ିକର ଲେବଲ୍ ପରିବର୍ତ୍ତନ କରିଥିଲା । ସିନ୍ଥେଟିକ ଘିଅର ଗୁଣବତ୍ତା ଏବଂ ସ୍ଥିରତାକୁ ଉନ୍ନତ କରିଥିଲା । ଅଗଷ୍ଟ ୨୦୨୪ରେ ପ୍ରତ୍ୟାଖ୍ୟାନ ହୋଇଥିବା ସେହି ଘିଅକୁ ତିରୁପତି ଟ୍ରଷ୍ଟକୁ ଫେରାଇ ଦେଇଥିଲା । ଏହି ଘିଅ ପରେ ପବିତ୍ର ତିରୁପତି ଲଡ଼ୁ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥିଲା ।