ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ ଭ୍ରାମରୀ ଓ ଶୀତଳୀ ପ୍ରାଣାୟାମ, ଜାଣନ୍ତୁ କେମିତି କରିବେ ?

Published By : Prameya | December 12, 2024 10:18 AM

ଭୁବନେଶ୍ୱର ୧୨/୧୨: ଉଚ୍ଚ ରକ୍ତଚାପ ଏକ ନିରବ ଘାତକ । ଏହି ଅଣସଂକ୍ରାମକ  ରୋଗ ଅସମୟ ମୃତ୍ୟୁର ଏକ ପ୍ରମୁଖ କାରଣ । ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ବର୍ଗର ଦେଶମାନଙ୍କରେ ଏହି ରୋଗ  ବହୁଳ ଭାବରେ ବ୍ୟାପୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ  ଅନୁସାରେ ୩୦ରୁ ୭୯ ବର୍ଷ ବୟସ୍କଙ୍କ ମଧ୍ୟରେ ପାଖାପାଖି  ୧୨୦ କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ । ଏହି  ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କର ପ୍ରାୟତଃ କିଛି ଲକ୍ଷଣ  ଦେଖା ଦେଇନଥାଏ । ଏଣୁ ନିୟମିତ ବ୍ୟବଧାନରେ ସମସ୍ତେ  ରକ୍ତଚାପକୁ ପରୀକ୍ଷା କରିବା ଆବଶ୍ୟକ । ଏହି ରୋଗରେ  ପୀଡ଼ିତ ବ୍ୟକ୍ତି ଜୀବନଶୈଳୀରେ ପରିବର୍ତ୍ତନ ତଥା ସ୍ୱଳ୍ପ ଲୁଣଯୁକ୍ତ  ସୁଷମ ଖାଦ୍ୟ ଖାଇବା ସହ ମାଦକ ଦ୍ରବ୍ୟ ଏବଂ ତମାଖୁ ଇତ୍ୟାଦି ବର୍ଜନ କରିବା ଆବଶ୍ୟକ । ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ  କରାନଗଲେ ଭବିଷ୍ୟତରେ ହୃଦ୍‌ରୋଗ ଓ ବୃକ୍‌କଜନିତ  ସମସ୍ୟା ଦେଖାଦେଇପାରେ । କିଛି ପ୍ରାଣାୟମ ଏହାକୁ ନିୟନ୍ତ୍ରଣ  କରିବାରେ ସହାୟକ ହୋଇଥାଏ । ଏଣୁ ନିୟମିତ ଏକ  ସକାରାତ୍ମକ ଭାବନା ସହ ଏହାକୁ ଅଭ୍ୟାସ କଲେ ସୁଫଳ ମିଳେ ।

 ଭ୍ରାମରୀ ପ୍ରାଣାୟମ 

ଏକ ଆରାମଦାୟକ ଧ୍ୟାନାସନରେ ବସନ୍ତୁ । ମେରୁଦଣ୍ଡ  ସିଧା ରଖନ୍ତୁ । ହାତ ଆଣ୍ଠୁ ଉପରେ ଚିନ୍‌  ବା ଜ୍ଞାନ ମୁଦ୍ରାରେ ରଖନ୍ତୁ । ଆଖି ବନ୍ଦ କରନ୍ତୁ । ଦେହକୁ ପୂରା ଢିଲା ରଖନ୍ତୁ ।  ଅଭ୍ୟାସ ଶେଷ ପର୍ଯ୍ୟନ୍ତ ଓଠ ଧୀରେ  ବନ୍ଦ ରହିବ । ଦୁଇ ହାତର ତର୍ଜିନୀ ବା  ମଧ୍ୟମା ଆଙ୍ଗୁଠିରେ କାନ ଦୁଇଟିକୁ  ବନ୍ଦ କରନ୍ତୁ । କାନର ଛିଦ୍ର ମଧ୍ୟରେ  ଅଙ୍ଗୁଳି ନ ପୂରାଇ ବାହାରେ ଥିବା  ଫ୍ଲାପ୍‌କୁ ଚାପି କାନ ବନ୍ଦ କରନ୍ତୁ । ନାକ  ବାଟେ ନିଃଶ୍ୱାସ ନିଅନ୍ତୁ । ନିୟନ୍ତ୍ରଣ କରି ଧୀରେ ନିଃଶ୍ୱାସକୁ  ଗଭୀର ଏବଂ ସ୍ଥିର ଭାବରେ କଳା ଭଅଁର ଭଳି ଗୁଞ୍ଜନ କରି  ଛାଡ଼ନ୍ତୁ । ନିଃଶ୍ୱାସ ଛାଡ଼ିବା ଶେଷ ହେବା ପର୍ଯ୍ୟନ୍ତ ଏହି ଗୁଞ୍ଜନ  ଧୀରେ ଏବଂ ନାକ ଧାରାରେ ଚାଲିବା ଆବଶ୍ୟକ । ନିଃଶ୍ୱାସ  ଛାଡ଼ିଲା ପରେ ଗଭୀର ନିଃଶ୍ୱାସ ନିଅନ୍ତୁ ଏବଂ ଅଭ୍ୟାସର  ପୁନରାବୃତ୍ତି କରନ୍ତୁ । ଗୁଞ୍ଜନର ଶଦ୍ଦ  କୋମଳ ଓ ମଧୁର ହେବା ଉଚିତ ।  ମୁଣ୍ଡ ସାମନା ଏବଂ ଉପରି ଭାଗରେ  ଏହାର କମ୍ପନକୁ ଅନୁଭବ କରନ୍ତୁ ।  ଦୈନିକ ୫ରୁ ୧୦ ଚକ୍ର ଏହି ଭାବରେ  ଅଭ୍ୟାସ କରନ୍ତୁ । ଏହି ପ୍ରାଣାୟାମ  ଦ୍ୱାରା ମାନସିକ ଚାପ ଓ ଚିନ୍ତାରୁ ରକ୍ଷା  ମିଳିବା ସହ ମନରେ ସକାରାତ୍ମକ  ଭାବନା ଜାଗ୍ରତ କରାଏ । ଏହାଦ୍ୱାରା  କ୍ରୋଧ, ଉଦ୍‌ବେଗ ଓ ଅନିଦ୍ରାରୁ ଉପକାର ମିଳିବା ସହ  ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । କାନରେ କୌଣସି  ପ୍ରକାର ରୋଗ ଥିଲେ ଏହି ପ୍ରାଣାୟାମ କରିବେ ନାହିଁ ।

ଶୀତଳୀ ପ୍ରାଣାୟାମ

ଆରାମଦାୟକ ଆସନରେ ବସି ଆଖି  ବନ୍ଦ ରଖନ୍ତୁ । ଜିଭକୁ ବାହାରକୁ କାଢ଼ି  ଜିଭର ଦୁଇକଡ଼କୁ ଉପରକୁ ନଳୀ ଭଳି  ମୋଡ଼ନ୍ତୁ । ନଳୀ ମଧ୍ୟଦେଇ ଶ୍ୱାସ ନେବା  ଶେଷ ହେଲା ପରେ ଜିଭ ଭିତରକୁ  ନେଇ ମୁହଁ ବନ୍ଦ କରନ୍ତୁ ଏବଂ ନାକ  ବାଟେ ନିଃଶ୍ୱାସ ଛାଡ଼ନ୍ତୁ । ଏହା ଅଭ୍ୟାସର ଗୋଟିଏ ଚକ୍ର । ଏହିଭଳି ୯ଟି ଚକ୍ର ପୂରା କରନ୍ତୁ । ଆସନ  ବା ଅନ୍ୟାନ୍ୟ ଯୋଗାଭ୍ୟାସ ପରେ ଏହି ଅଭ୍ୟାସ କରିବା ଦ୍ୱାରା ଶରୀରର ବଢ଼ିଥିବା ଉତ୍ତାପରେ  ଭାରସାମ୍ୟ ଆସେ ଏବଂ ରକ୍ତଚାପ  ହ୍ରାସ ପାଇଥାଏ । ଶୀତଦିନେ ବା  ପ୍ରଦୂଷିତ ପରିବେଶରେ ଏହି ଅଭ୍ୟାସ କରିବେ ନାହିଁ । ନିମ୍ନ ରକ୍ତଚାପ ରୋଗୀ,  ଶ୍ୱାସରୋଗୀ ଏବଂ କୋଷ୍ଠକାଠିନ୍ୟ  ଭୋଗୁଥିବା ବ୍ୟକ୍ତିବିଶେଷଙ୍କ  ପାଇଁ ଏହି ଅଭ୍ୟାସ ବର୍ଜନୀୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.