ଭୁବନେଶ୍ୱର,୦୧/୦୯: ଗ୍ରେଟର ଭୁବନେଶ୍ୱରର ନୀଳ ନକ୍ସାରେ ଉପକଣ୍ଠ ରାଜସ୍ୱ ଗ୍ରାମ ମିଶିଥାନ୍ତା । ଖୋର୍ଦ୍ଧା-ଭୁବନେଶ୍ୱର-ଜଟଣୀକୁ ନେଇ ଗଢ଼ା ହୋଇଥାନ୍ତା ନୂଆ ସହର । ଗତ ମାର୍ଚ୍ଚରେ ବିସ୍ତୃତ ବିକାଶ ଯୋଜନା (ସିଡିପି)-୨୦୪୦ ଆଣିବାକୁ ଧାର୍ଯ୍ୟ ହୋଇଥିଲା । ଅଗଷ୍ଟ ଶେଷ ହେଲାଣି । ଏ ପର୍ଯ୍ୟନ୍ତ କିନ୍ତୁ ସିଡିପି ଆସିଲା ନାହିଁ । ବିଡିଏର ନୂଆ ନକ୍ସା କ୍ଷେତ୍ରରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । 

୨୦୪୦ ସୁଦ୍ଧା ରାଜଧାନୀର କଳେବରକୁ  ଆଖି ଆଗରେ ରଖି ନୂଆ ସିଡିପି ପ୍ରସ୍ତୁତ ହେଉଛି । ଏଥିରେ ପିପିଲି, ଖୋର୍ଦ୍ଧା, ଜଟଣୀ, ଚନ୍ଦକା ଆଦିର ପ୍ରାୟ ୭୦୪.୫ ବର୍ଗ କିଲୋମିଟର  ଅଞ୍ଚଳର ବିକାଶ ହେବ । ମୋଟ ୩୬୪ଟି ଗାଁ ମିଶାଇବାକୁ ଯୋଜନା କରାଯାଇଛି । ହେଲେ ଏହା ସମ୍ପୂର୍ଣ୍ଣ ରୂପ ନେଇ ପାରୁନି ।  ନୂଆ ସରକାର ଆସିବା ପରେ ସିଡିପି ଆଣିବାକୁ ଜୋରଦାର ଯୋଜନା କରାଗଲା । ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ମାର୍ଚ୍ଚ ମାସ ଶେଷସୁଦ୍ଧା ସିଡିପି ଆଣିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 

ଗତ ବିଧାନସଭା ଅଧିବେଶନରେ ଗ୍ରେଟର ଭୁବନେଶ୍ୱର ନୂଆ ନକ୍ସା ଆସିବା ନେଇ ଜଟଣୀ ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ ପ୍ରଶ୍ନ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖିଥିଲେ ଯେ ମାର୍ଚ୍ଚ ମାସ ତୃତୀୟ ସପ୍ତାହ ସୁଦ୍ଧା ନୂଆ ନକ୍ସା (ସିଡିପି)  ଆସିବା ଥୟ । ହେଲେ କେବଳ ଚିଠା ସିଡିପି ବାହାର କରି ବିଡିଏ ହାତବାନ୍ଧି ବସିଛି । 

ନୂଆ ସିଡିପିର ରୂପରେଖ ପ୍ରସ୍ତୁତ କରିବାକୁ ବିଡିଏ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି ।  ଏକାଧିକ ଅଧିକାରୀ, ଟାଉନ ପ୍ଲାନିଂ ଅଫିସର ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ  ଥର ସିଡିପି ଆଣିବା ନେଇ ତାରିଖ ଚୂଡ଼ାନ୍ତ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଘୁଞ୍ଚି ଯାଇଥିଲା । କାହିଁକି ସିଡିପି ପ୍ରକାଶ କରିବାରେ ବିଡିଏ ବିଳମ୍ବ କରୁଛି ଜଣାପଡ଼ୁନି । 

ବିଡିଏ ଉପାଧ୍ୟକ୍ଷ ଏନ୍‌ ଥିରୁମାଲା ନାୟକ କହିଛନ୍ତି, ନୂଆ ସିଡିପି ମ୍ୟାପ୍‌ରେ ତ୍ରୁଟି ରହିଛି । ଏହାକୁ ଆଉ ଥରେ ତର୍ଜମା କରାଯାଉଛି । ବାଣିଜ୍ୟିକ ଅଞ୍ଚଳ ରାସ୍ତା, ଗ୍ରୀନ ହବ୍‌, ଶିଳ୍ପାଞ୍ଚଳ, ଡ୍ରେନ ଏବଂ ରାସ୍ତାକୁ ଆମେ ଗୁରୁତ୍ୱ ଦେଉଛୁ । ଆଉ  ଦୁଇ ମାସ ଭିତରେ ନୂଆ ସିଡିପି ଆସିବ । 

ସୂଚନାଯୋଗ୍ୟ, ନୂଆ ସିଡିପି ଆସିବା  ପରେ ଖୋର୍ଦ୍ଧା-ଭୁବନେଶ୍ୱର-ଜଟଣୀକୁ ନେଇ ନୂଆ ସହର ପରିକଳ୍ପନା କରିବେ  ରାଜ୍ୟ ସରକାର । ଏନେଇ ୩୨୨ ହେକ୍ଟର ଜମିର ବିକାଶ କରାଯିବ । ପରେ  ଏହାକୁ ୩୦୦୬ ହେକ୍ଟର ଜମିକୁ ବୃଦ୍ଧି କରିବାକୁ ଯୋଜନା ରହିଛି । ଏଥିପାଇଁ  ପ୍ରାରମ୍ଭିକ ଭାବେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବିଡିଏର ଯୋଜନା ଅଛି ।