ଭୁବନେଶ୍ୱର, ୨୮/୦୭ : ଦୁଇବର୍ଷ ପୂର୍ବେ ନିଜର ଏକ ସପ୍ଟୱେର ଷ୍ଟାର୍ଟଅପ୍ ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିଲେ ଅଭିଷେକ ପ୍ରଧାନ। କିନ୍ତୁ ଅଫିସ୍ ଭଡ଼ା, ଫର୍ଣ୍ଣିଚର୍, ଇଣ୍ଟରନେଟ୍, ବିଦ୍ୟୁତ ସଂଯୋଗ ଓ ଇଣ୍ଟେରିୟର୍ରେ ବିପୁଳ ଖର୍ଚ୍ଚ ତାଙ୍କ ସ୍ୱପ୍ନରେ ବାଧା ସୃଷ୍ଟି କରିଥିଲା। ଶେଷରେ ସେ ପଟିଆର ଏକ ‘ପ୍ଲଗ୍ ଆଣ୍ଡ୍ ପ୍ଲେ’ ୱାର୍କସ୍ପେସ୍ରୁ ନିଜ କାମ ଆରମ୍ଭ କଲେ । ବର୍ତ୍ତମାନ ତାଙ୍କ ଷ୍ଟାର୍ଟଅପ୍ରେ ୧୦ ଜଣ କର୍ମଚାରୀ କାମ କରୁଛନ୍ତି । ଅଫିସ୍ ତିଆରିରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଥାନ୍ତା, ସେହି ଅର୍ଥକୁ ସେ ବ୍ୟବସାୟ ବିସ୍ତାର ଓ ନୂଆ ନିଯୁକ୍ତିରେ ବିନିଯୋଗ କରିଛନ୍ତି । ଏହା କେବଳ ଅଭିଷେକଙ୍କ କାହାଣୀ ନୁହେଁ ଭୁବନେଶ୍ୱରରେ ଏବେ ଅନେକ ଷ୍ଟାର୍ଟଅପ୍, ଆଇଟି କମ୍ପାନୀ ଓ ଫ୍ରିଲାନ୍ସର୍ "ପ୍ଲଗ୍ ଆଣ୍ଡ ପ୍ଲେ' ୱାର୍କସ୍ପେସ୍କୁ ଆପଣାଇ କମ୍ ଖର୍ଚ୍ଚରେ ବ୍ୟବସାୟ ଆରମ୍ଭ କରୁଛନ୍ତି ।
ପ୍ଲଗ୍ ଆଣ୍ଡ୍ ପ୍ଲେ(କୋୱାର୍କିଂ ସ୍ପେସ୍) ଏକ ସମ୍ପୁର୍ଣ୍ଣ ପୂର୍ବ ପ୍ରସ୍ତୁତ କାର୍ଯ୍ୟାଳୟ, ଯେଉଁଠାରେ ଡେସ୍କ, ହାଇସ୍ପିଡ୍ ଇଣ୍ଟରନେଟ୍, ବିଦ୍ୟୁତ୍, ଏସି, ମିଟିଂ ରୁମ୍, କନ୍ଫରେନ୍ସ ହଲ, ରିସେପ୍ସନ୍ , କ୍ୟାଫେଟେରିଆ ଓ ସୁରକ୍ଷା ଭଳି ସମସ୍ତ ମୌଳିକ ସୁବିଧା ପୂର୍ବରୁ ଉପଲବ୍ଧ ଥାଏ । ଯେଉଁଠାକୁ ଲୋକେ କେବଳ ଲାପଟପ୍ ନେଇ ଆସୁଛନ୍ତି ଓ କାମ କରୁଛନ୍ତି । ରାଜଧାନୀରେ କୋ-ୱାର୍କିଂ ସ୍ପେସ୍ର ଅଧିକାଂଶ କେନ୍ଦ୍ର ପଟିଆ ଅଞ୍ଚଳରେ ରହିଛି, ଯେଉଁଠାରେ ଅନେକ ଆଇଟି ଓ ଆଇଟିଇଏସ୍ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଏହାଛଡ଼ା ସହିଦନଗର, ସତ୍ୟନଗର ରସୁଲଗଡ଼, କଳିଙ୍ଗ ବିହାରରେ ମଧ୍ୟ ଏପରି ୱାର୍କସ୍ପେସ୍ ବଢ଼ୁଛି । ଏଠାରେ ମାସିକ ୫ ହଜାରରୁ ୨୦ ହଜାର ଟଙ୍କା ମଧ୍ୟରେ ହଟ୍ ଡେସ୍କ, ଫିକ୍ସଡ୍ ଡେସ୍କ ଓ ପ୍ରାଇଭେଟ୍ କ୍ୟାବିନ୍ ଉପଲବ୍ଧ । ମିଟିଂ ରୁମ୍କୁ ଘଣ୍ଟା ହିସାବରେ ଭଡ଼ାରେ ନିଆଯାଇପାରେ । ହାଇସ୍ପିଡ୍ ଇଣ୍ଟରନେଟ୍, ପାୱାର ବ୍ୟାକଅପ୍, ରିସେପ୍ସନ୍, କାଫେଟେରିଆ, ପାର୍କିଂ, କନଫରେନ୍ସ ରୁମ୍ ସୁବିଧା ଏହି ଅଫିସ୍ଗୁଡ଼ିକର ଆକର୍ଷଣ ବଢ଼ାଉଛି ।
ରିଅଲ ଇଷ୍ଟେଟ ଫାର୍ମ କ୍ୟାପ୍ଡିଲ୍ର ସହ ପ୍ରତିଷ୍ଠାତା ତଥା ସିଇଓ ଶକ୍ତି ମିଶ୍ର କହନ୍ତି, ଭୁବନେଶ୍ୱର ବର୍ତ୍ତମାନ ଆଇଟି ହବ୍ରେ ରୂପାନ୍ତରିତ ହେଉଛି । ଏଥିସହିତ ଏଠାରେ ଅନେକ ରିଅଲ ଇଷ୍ଟେଟ୍ ଓ ଛୋଟ ଛୋଟ କମ୍ପାନି ଉଭା ହେଲେଣି, ଯେଉଁମାନେ ସ୍ଥାୟୀ ଅଫିସ୍ ନକରି ଅସ୍ଥାୟୀ ସ୍ପେସ୍ ଖୋଜୁଛନ୍ତି । ସେଥିପାଇଁ ଏହି କୋ-ୱର୍କିଂ ସ୍ପେସ୍ ଚାହିଦା ଦିନକୁ ଦିନ ବଢୁଛି। ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । କଳିଙ୍ଗ ବିହାରରେ ଥିବା ଭୁବନେଶ୍ୱର ଅଫିସ୍ ପ୍ରାଇଭ୍ଟ୍ ଲିମିଟେଡ୍ର କୋୱାର୍କସ୍ପେସ୍ ମ୍ୟାନେଜର ଅରୁଣ ନାୟକ କହନ୍ତି, ଭୁବନେଶ୍ୱର ଦ୍ରୁତ ଗତିରେ ଷ୍ଟାର୍ଟଅପ୍, ଆଇଟି କମ୍ପାନି, ଫ୍ରିଲାନ୍ସରଙ୍କ ପ୍ରମୁଖ କେନ୍ଦ୍ର ପାଲଟିଛି । ଏଭଳି ସ୍ଥିତିରେ ପାରମ୍ପରିକ ଅଫିସ୍ ପରିବର୍ତ୍ତେ ଆଧୁନିକ ସୁବିଧାଜନକ ଏବଂ ଫ୍ଲେକ୍ସିବଲ୍ କୋ-ୱାର୍କିଂ ସ୍ପେସ୍ର ଚାହିଦା ବଢିଛି ।
ଆହୁରି ପଢନ୍ତୁ- ଏମିତି ଫସେଇବି ଜୀବନ ସାରା ଚକି ପେଷୁଥିବୁ... ନିଖୋଜ ଛାତ୍ର ପ୍ରିୟାଂଶୁଙ୍କୁ ପାର୍କରେ ପିଟିଥିଲେ କିଛି ଯୁବତୀ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଭିଡିଓ
Gym ଯାଉଛନ୍ତି, Exercise ବି କରୁଛନ୍ତି…ତଥାପି ମିଳୁନି ଫଳ ! ଏହି ଭୁଲ କରୁନାହାଁନ୍ତି ତ ?