ଭୁବନେଶ୍ୱର,୨୮/୦୭ : କହ... ତୁ ଭୁଲ କରିଛୁ କି ନାହିଁ । ଫ୍ଲାଇଂ କିସ୍ ଦେଉଥିଲୁ ବୋଲି ମାନୁଛୁ କି ନାହିଁ । ଜଲ୍ଦି କହ । ନହେଲେ, ତୋତେ ଜମାରୁ ଛାଡ଼ିବିନି । ପିଟି ପିଟି ମାରିଦେବି । ମୋ ମାମୁକୁ ତୁ ଚିହ୍ନିନୁ । ଏମିତି ଫସେଇବି ଯେ ଜୀବନ ସାରା ଚକି ପେଷୁଥିବୁ । ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଶେଖର ବେହେରା ନିଖୋଜ ଘଟଣାରେ ବରମୁଣ୍ଡାର ଏକ ପାର୍କରେ କିଛି ଯୁବତୀ ତାଙ୍କୁ ଏଭଳି କିଛି ଧମକ ଦେଇଥିଲେ । କେବଳ ଧମକ ଦେଲେନି, ପ୍ରିୟାଂଶୁଙ୍କ ଗାଲରେ ଚାପୁଡ଼ା ପରେ ଚାପୁଡ଼ା ସେକି ଚାଲିଲେ । ପାର୍କ ଭଳି ସର୍ବସାଧାରଣ ଜାଗାରେ ସର୍ବସମ୍ମୁଖରେ ଜଣେ ସ୍କୁଲ ଛାତ୍ରକୁ ଏଭଳି ଖୋଲାଖୋଲି ଧମକ ଆଉ ଆକ୍ରମଣ ବେଳର ଏକାଧିକ ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି ।

ଆଉ ୨ ଦିନ ପରେ ପ୍ରିୟାଂଶୁ ନିଖୋଜ ମାମଲାକୁ ମାସେ ବିତିବ । ଭରତପୁର ଥାନା ପୁଲିସ ଏଯାଏ ଛାତ୍ରଙ୍କ ପତ୍ତା ଲଗାଇ ପାରିନି । କିନ୍ତୁ ଏହି ଭିଡିଓ ଫୁଟେଜ୍ ସାମ୍ନାକୁ ଆସିବା ପରେ ପ୍ରିୟାଂଶୁଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ ଉପୁଜିଛି । ଏହି ଭିଡିଓଟି ବରମୁଣ୍ଡା ଅଞ୍ଚଳର ଏକ ପାର୍କରେ ସନ୍ଧ୍ୟା ସମୟରେ ରେକର୍ଡିଂ କରାଯାଇଥିବା ଜଣାପଡି଼ଛି । ଭିଡିଓଟିରେ ପ୍ରିୟାଂଶୁ ଏକ ସିମେଣ୍ଟ ଚେୟାରରେ ବସିଛନ୍ତି । ତାଙ୍କ ପାଖରେ ମା’ ମଧ୍ୟ ଅଛନ୍ତି । ଏକାଧିକ ଯୁବତୀମାନେ ମୋବାଇଲ୍ରେ ଭିଡିଓ ରେକର୍ଡିଂ କରିବା ସହ ନାନା ପ୍ରକାର ଧମକ ଦେଉଛନ୍ତି । ନାରଙ୍ଗୀ ରଙ୍ଗ ଡ୍ରେସ୍ ପିନ୍ଧିଥିବା ଯୁବତୀଜଣକ ହିଁ ଖୁବ୍ ଜୋରରେ ଚିଲ୍ଲାଇବା ସହ ନାବାଳକ ଗାଲକୁ ବାରମ୍ବାର ଚାପୁଡ଼ା ମାରି ଚାଲିଥିଲେ । ଅନ୍ୟଜଣେ ନୀଳ ଡ୍ରେସ ପିନ୍ଧିଥିବା ଯୁବତୀ ମଧ୍ୟ ପ୍ରିୟାଂଶୁକୁ ପିଟିବା ସହ ଧମକାଉଥିବା ଭିଡିଓଟିରେ ଦେଖାଯାଉଛି । ପାର୍କରେ ଅନ୍ୟ ସ୍ଥାନୀୟ ବାସିନ୍ଦାମାନେ ଥିଲେ ମଧ୍ୟ କେହି ପାଟି ଫିଟାଉନଥିଲେ । ନାବାଳକଟିକୁ ସର୍ବସମ୍ମୁଖରେ ନିର୍ଯାତନା ଦିଆଯାଉଥିଲେ ହେଁ ସମସ୍ତେ ଦେଖଣାହାରୀ ସାଜିଥିଲେ ।

ପ୍ରିୟାଂଶୁର ମା’ ମଧ୍ୟ ତା ପାଖରେ କିଛି ସମୟ ନିରବରେ ବସିଥିବା ଦେଖାଯାଉଛି । ପରେ ତାଙ୍କ ମା’ ସେମାନଙ୍କୁ ନେହୁରା ହେଉଥିଲେ ହେଁ ସେହି ଯୁବତୀମାନଙ୍କ ନିର୍ଯାତନା ଥମିନଥିଲା । ପ୍ରିୟାଂଶୁ ନିଖୋଜ ହେବାର ଠିକ୍ ଦିନେ କି ଦୁଇ ଦିନ ପୂର୍ବରୁ ଏହି ଘଟଣା ଘଟିଛି । ତା’ ଉପରେ ଏଭଳି ଆକ୍ରମଣ ପଛର ପ୍ରକୃତ କାରଣ ଜଣାପଡି଼ ନାହିଁ । ଏହି ଘଟଣାକୁ କେନ୍ଦ୍ର କରି ପ୍ରିୟାଂଶୁକୁ କେହି ଅପହରଣ କରିଥିବା ଅନୁମାନ କରାଯାଉଛି । ଆକ୍ରମଣକାରୀ ମହିଳାମାନଙ୍କୁ ଥାନାକୁ ଡାକି ଜେରା କରିବାକୁ କୁହାଯାଇଛି ।

ସୂଚନା ଥାଉକି, ଗତ ୩୦ ତାରିଖ ଦିନ ବରମୁଣ୍ଡା ଅଞ୍ଚଳରେ ରହୁଥିବା ୧୦ମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଶେଖର ବେହେରା ଘରୁ କେଉଁ ଆଡ଼େ ପଳାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ କିଛି ପତ୍ତା ମିଳିଲାନି । ନିଖୋଜକୁ ୫ଦିନ ବିତିବା ପରେ ପରିବାର ଲୋକ ଭରତପୁର ଥାନାରେ ଅଭିଯୋଗ କଲେ। ବିଭିନ୍ନ ସିସି କ୍ୟାମେରା ଫୁଟେଜରେ ପ୍ରିୟାଂଶୁ ସିଆରପି ଛକରୁ ଏକ ବସ୍ରେ ଚଢ଼ି ମାଷ୍ଟରକ୍ୟାଣ୍ଟିନରେ ଓହ୍ଲାଇଥିବା ଜଣାପଡି଼ଲା । ତା’ ପରଠାରୁ ତାଙ୍କର କୌଣସି ଖୋଜଖବର ମିଳୁନି।

ଆହୁରି ପଢନ୍ତୁ- Jail inmates : ଜେଲରେ ଦେଶାତ୍ମବୋଧକ ସିନେମା ଦେଖିବେ କଏଦୀ, ଜାତୀୟ ଉତ୍ସବ କିମ୍ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିବସରେ ହେବ ପ୍ରଦର୍ଶିତ

କାଳିଆ ସାଆନ୍ତଙ୍କ ରହସ୍ୟ: ଅତିବଡ଼ି ଜଗନ୍ନାଥ କାହିଁକି ଧାରଣ କରିଥିଲେ ନାରୀ ରୂପ ?