‘ୟହାଁ ଜିନା ମୁସ୍କିଲ ହୈ, ଫିର୍ ଭି ଭୁବନେଶ୍ୱର ମେରୀ ଜାନ୍’ । ଏ ମହଙ୍ଗା ସହରରେ ବଞ୍ଚିବା ପାଇଁ ସକାଳୁ ରାତି ଯାଏ ଚାଲିଛି ଧାଁ ଦୌଡ଼ । ଭୋରରୁ ହକର ନ୍ୟୁଜ ପେପର ଫିଙ୍ଗିବାଠୁ ଡେରି ରାତିରେ ଡେଲିଭରି ବଏ ଅର୍ଡର ପହଞ୍ଚାଇବା ଯାଏ, ଜୀବନର ରେସ୍ ସରୁନି । ଜୀବନ ଜିଇଁବାର ଏଭଳି ବ୍ୟସ୍ତତା ଭିତରେ ବି ରାଜଧାନୀର ଆତ୍ମୀୟତା ବାନ୍ଧି ରଖୁଛି । ରାଜଭବନ ଛକ ଗୋଲେଇ ବୁଲିବା ହେଉ କି ବରମୁଣ୍ଡା ଫ୍ଲାଏଓଭରରୁ ତଳକୁ ଥରେ ଆଖି ବୁଲାଇଲେ, ରାଜଧାନୀ ହାତ ଠାରି ଡାକୁଛି । ମେଟ୍ରୋ ସ୍ୱପ୍ନ ଅଧୁରା ଅଛି ସତ, ହେଲେ ମେଟ୍ରୋଠାରୁ ଜୋରରେ ଦୌଡୁଛି ଭୁବନେଶ୍ୱର । ସ୍ମାର୍ଟସିଟି ରେସ୍ ହେଉ କି ବିଶ୍ୱ ଇନଡୋର ଆଥଲେଟିକ୍ ଚାମ୍ପିଅନସିପ୍ ଆୟୋଜନର ସ୍ୱପ୍ନ । ସବୁଥିରେ ସଫଳ ହୋଇ ନମ୍ବର ୱାନ୍ ହୋଇଛି ଭୁବନେଶ୍ୱର । ଆଗକୁ ଆହୁରି ଲମ୍ବା ଉଡାଣ ବାକି ଅଛି । ହଁ, ସମସ୍ୟା ତାଲିକା କିଛି କମ୍ ନାହିଁ । ଅପରାଧ, ଖୋଳାତଡ଼ା, ପ୍ରଦୂଷଣ, ଜବରଦଖଲ, ଜଳବନ୍ଦୀକୁ ସହରବାସୀ ଯୁଝୁଛନ୍ତି । ପୁଣି ଛିଡ଼ା ହୋଇ ଦୌଡ଼ିବାର ସାହସ ଜୁଟାଉଛନ୍ତି । ପୁଣି କହୁଛନ୍ତି, ‘ଓଡ଼ିଶାର ଜାନ୍ ଇଏ, ଓଡ଼ିଆଙ୍କ ଶାନ୍ । ସବୁ ଦିନ ନୂଆ ନୂଆ ଲାଗେ କ୍ୟାପିଟାଲ । ସଲାମ ସଲାମ ସଲାମ ‘ଭୁବନେଶ୍ୱର’ ।
ଭୁବନେଶ୍ୱରକୁ ଛୁଟି ଆସିବ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଓ ଟେକ୍ନୋଲୋଜି ନେଟୱର୍କ । ଫାଇନାନ୍ସ ଟେକ୍ନୋଲୋଜିର ପାଠ ପଢାଇ ଫିନଟେକ୍ ସିଟିର ଭିତ୍ତି ପକାଇବ । ମେଟ୍ରୋ ପ୍ରକଳ୍ପରେ ବ୍ରେକ୍ ଲାଗିଛି ସତ, କିନ୍ତୁ ମେଟ୍ରୋ ବେଗରେ ରାଜଧାନୀର କଳେବର ସବୁଦିନ ବଦଳୁଛି । ମାସକ ତଳେ ଯେଉଁଠି ଖଣ୍ଡେ ଜାଗା ଫାଙ୍କା ପଡ଼ିଥିଲା, ସେଇଠି ନଭଶ୍ଚୁମ୍ଭୀ ଅଟ୍ଟାଳିକା । ଚାକଚକ୍ୟ ଓ ସମ୍ଭ୍ରାନ୍ତ ଠାଣିକୁ ତାଳ ଦେଇ ଜୀବନଚର୍ଯ୍ୟା ବଦଳୁଛି, ପ୍ରତି ମୁହୂର୍ତ୍ତରେ । କମେଡି କ୍ଲବ୍, ପ୍ଲଗ୍ ଆଣ୍ଡ ପ୍ଲେ ଅଫିସ୍(ୱାର୍କସ୍ପେଶ୍), ନାଇଟ୍ କାଫେ, ଫୁଡ କୋର୍ଟ ଭଳି ନୂଆ ଟ୍ରେଣ୍ଡ୍ ଆରମ୍ଭ ହେଲାଣି । ପାଶ୍ଚାତ୍ୟ ଟ୍ରେଣ୍ଡ ଆଉ ଧସେଇ ପଶୁନି ବରଂ ଲୋକେ ଏହାକୁ ଆବୋରି ନେଲେଣି । ରାଜଧାନୀରେ ସବୁ କିଛି ଧୀରେ ଧୀରେ ମହଙ୍ଗା ପାଲଟିଲାଣି । ଏଠାରେ ବଞ୍ଚିବା ସହଜ ନୁହେଁ, ତଥାପି ସଭିଏଁ ସହରର ମାୟାଜାଲରେ ମତୁଆଲା । ଜନପଥରେ ସପିଂ ମଲ୍ର ଭିଡ଼ ହେଉ କି ଇନ୍ଫୋସିଟିର ଚମକୁଥିବା ଫୁଡ୍କୋର୍ଟର ରଙ୍ଗୀନ ଆଲୁଅ । ମାର୍କେଟ ବିଲ୍ଡିଂର ଶସ୍ତା ଜିନିଷ ଆଉ ନାମୀ ମଲ୍ରେ ସପିଂ । ଆଇଜି ପାର୍କର ସନ୍ଧ୍ୟା ପୁଣି ଏକାମ୍ର ପାର୍କରୁ ବହି ଆସୁଥିବା ଦଲକାଏ ଶାନ୍ତ, ଶୀତଳ ପବନ । ଭଳିକି ଭଳି ଚଟାପଟ୍ ଖାଦ୍ୟର ଠିକଣା, ମଲ୍ଟିପ୍ଲେକ୍ସ ଓ ମଲ୍ରେ ମଉଜ, ଏୟାରପୋର୍ଟ ରୋଡ୍ର ଆକର୍ଷଣୀୟ ରାସ୍ତା ଆଉ କଳିଙ୍ଗ ଷ୍ଟାଡିୟମରେ ଝଲସୁଥିବା ସଟଲ୍ର ସୌନ୍ଦର୍ଯ୍ୟ । ରାଜଧାନୀବାସୀଙ୍କୁ ଏହା ସବୁଦିନ ହାତ ଠାରି ଡାକେ ।
ସହରର ସୀମା ଆଉ ପଟିଆରୁ ପାହାଳ ଓ ଧଉଳିରେ ଅଟକି ରହିନି । ଏହାର କଳେବର ଉପକଣ୍ଠ ଡେଇଁଲାଣି । ଆଗକୁ ପଡୋଶୀ ସହରକୁ ଲମ୍ବିବ । ବିସିପିପିଇଆର ପରିକଳ୍ପନାରେ ମନ୍ଦିରମାଳିନୀ ସହର ପାଲଟିବ ବୃହତ୍ ଭୁବନେଶ୍ୱର ବା ଗ୍ରେଟର ଭୁବନେଶ୍ୱର । ଭୁବନେଶ୍ୱର ସହ ମିଶିଯିବ କଟକ, ପୁରୀ ଓ ପାରାଦୀପ । ଭୁବନେଶ୍ୱର ହେବ ହାଇଟେକ ସିଟି । ଏଠାରେ କୃତ୍ରିମ ବୁଦ୍ଧିମତା(ଏଆଇ) ଭିତ୍ତିଭୂମି ଓ ଡାଟା ସେଣ୍ଟର କରିଡର ପାଇଁ ଯୋଜନା ହୋଇଛି । ବିଶ୍ୱସ୍ତରୀୟ ସହର ଢାଞ୍ଚାରେ ଫିନଟେକ, ଇନସ୍ୟୁର ଟେକ୍, ଗ୍ଲୋବାଲ କାପାବିଲିଟି ସେଣ୍ଟର(ଜିସିସି) ଓ ଇନୋଭେସନ ହବ୍ ଗଢ଼ି ଉଠିବ । ଫିନଟେକରେ ଆଗେଇଲେ ରାଜଧାନୀରେ ପ୍ରାୟ ୫୦ହଜାରରୁ ଅଧିକ ଉଚ୍ଚ ଦରମାର ଚାକିରୀ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଆକଳନ କରିଛି । ଜିସିସି ହବ୍ ହେଲେ ବ୍ୟାଙ୍ଗିଙ୍ଗ, ସ୍ୱାସ୍ଥ୍ୟ, ଫାଇନାନ୍ସିଆଲ ସର୍ଭିସ ଓ ଇନସୁରାନ୍ସ, ରିଟେଲ ଓ ବିନିର୍ମାଣ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି ହେବ । ୮୦୦ ଏକର ଅଞ୍ଚଳରେ ସହର ଉପକଣ୍ଠରେ ହେବ ନିଉ ସିଟି ।
ଭୁବନେଶ୍ୱରର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି । ସହରକୁ ଭିଡ଼ମୁକ୍ତ କରିବାକୁ ଡିକନଜେସନ୍ ପ୍ଲାନ୍ ହୋଇଛି । ଏଥିରେ ୩୦ରୁ ଅଧିକ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଇନର ରିଙ୍ଗରୋଡ୍ କାମ ଚାଲିଛି । ଆଉଟର ରିଙ୍ଗରୋଡ୍ କାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କଳିଙ୍ଗ ହସ୍ପିଟାଲରୁ ନନ୍ଦନକାନନ ରାସ୍ତାକୁ ୮ଲେନ୍ ଚଉଡ଼ା କରିବାକୁ ଟେଣ୍ଡର ଡାକି ସାରିଛି ଓବିସିସି । ଜୟଦେବବିହାର ଛକରେ ନୂଆ କେବଲ ଷ୍ଟେଅଡ ବ୍ରିଜ୍ ପାଇଁ ମଧ୍ୟ ଡିଜାଇନ୍ ଚୂଡ଼ାନ୍ତ ହୋଇଛି । ଜୟଦେବବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକରେ ଫ୍ଲାଏଓଭର ହେବ । ସେପଟେ ଚଳିତ ମାସ ସୁଦ୍ଧା ବାମପାର୍ଶ୍ୱ ସମାନ୍ତରାଳ ରାସ୍ତା କାମ ସାରିବାକୁ ଲକ୍ଷ୍ୟ ଅଛି । ଭୁବନେଶ୍ୱରକୁ ହାଇଟେକ୍ ସିଟି କରିବା ଉଦ୍ଦେଶ୍ୟରେ ଏହାର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ନକ୍ସା ଆଙ୍କିଛନ୍ତି ସରକାର । ସହର ଭିତରେ ଅଦରକାରୀ ହୋଇ ପଡ଼ି ରହିଥିବା ନିକୋ ପାର୍କ, ବାୟା ବାବା ମଠ ଅଞ୍ଚଳ ଓ ଲେକ୍ ଜୋନ୍ ଅଞ୍ଚଳକୁ ପୁନରୁଦ୍ଧାର କରି ଜଳାଶୟ ସୃଷ୍ଟି କରାଯିବ । ଏହାକୁ ରିଭରଫ୍ରଣ୍ଟ ରୂପ ଦିଆଯିବ ।
ଶିକ୍ଷାର ହବ୍
ବର୍ତ୍ତମାନ ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷା ହବ୍ ଭାବେ ଉଭା ହୋଇଛି ଭୁବନେଶ୍ୱର । ଏଠାରେ ଆଇଆଇଟି, ଏମ୍ସ, ନାଇଜର, ଆଇଆଇଏମ୍ଟି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଆରଏମ୍ଆରସି, ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସ ପରି ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି । ସହରଟି ଉଚ୍ଚଶିକ୍ଷା, ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ସହ ସ୍କୁଲ ଶିକ୍ଷା ପାଇଁ କେନ୍ଦ୍ରବିନ୍ଦୁ ସାଜିଛି । କେବଳ ଯେ ସରକାରଙ୍କ ଶିକ୍ଷାନୁଷ୍ଠାନ ଅଛି ତାହା ନୁହେଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଭଳି ଘରୋଇ ବିଶ୍ୱବିଦ୍ୟାଳୟକୁ ପଢ଼ିବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ସୁଅ ମଧ୍ୟ ଛୁଟୁଛି । ଏଥିସହ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ମଧ୍ୟ ଖୋଲିଛି । ରାଜ୍ୟ ବାହାରୁ ନିବେଶମାନେ ଆସି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛନ୍ତି । ଜାତୀୟ ଶିକ୍ଷା ସମ୍ମିଳନୀଠୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ପ୍ରତିଯୋଗିତା ରାଜଧାନୀ ଭୁବନେଶ୍ୱରରେ ହିଁ ହେଉଛି । ଏହାରି ଭିତରେ ଅଭିଭାବକଙ୍କୁ ବାଧୁଛି ପିଲାଙ୍କ ପାଠପଢ଼ା ଖର୍ଚ୍ଚ । ଯେତିକି ଘରୋଇ ସ୍କୁଲ ଖୋଲୁଛି ସେମାନଙ୍କ ପ୍ରତି ବର୍ଷ ବଢ଼ୁଥିବା ସ୍କୁଲ ଫି ପକେଟକୁ ବାଧୁଛି । ପ୍ରି-ପାଇମେରୀ ନାମଲେଖା ଦେଢ଼େ ଲକ୍ଷ ଟଙ୍କା ଛୁଇଁ ଯାଉଛି । ରାଜ୍ୟ ସରକାରଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରରେ ରହିଛି । ଯେଉଁଠୁ ପ୍ରତିବର୍ଷ ଶହ ଶହ ଶିକ୍ଷାର୍ଥୀ ନିଜର ଦକ୍ଷତା ବିକାଶ ପ୍ରଶିକ୍ଷଣ ନେବା ସହ ଅନ୍ତର୍ଜାତୀୟସ୍ତରରେ ନିଯୁକ୍ତିର ସୁଯୋଗ ପାଉଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଛନ୍ତି । ଭୁବନେଶ୍ୱରରେ ସିଭିଲ୍ ସର୍ଭିସ କୋଚିଂଠୁ ଆରମ୍ଭ କରି ବିଭିନ୍ନ ନିଯୁକ୍ତି ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟର ଛତୁ ଫୁଟିଲା ପରି ଖୋଲିଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବାକୁ ଆଖିରେ ପୁଳାଏ ସ୍ୱପ୍ନ ନେଇ ରାଜଧାନୀ ମୁହାଁ ହେଉଛନ୍ତି । ଶିକ୍ଷା କ୍ଷେତ୍ରରେ ଆଗକୁ ଦୌଡୁ଼ଛି ଭୁବନେଶ୍ୱର । ଆଗାମୀ ଦିନରେ ଜାତୀୟ, ଅନ୍ତର୍ଜାତୀୟ ନିବେଶକମାନେ ଭୁବନେଶ୍ୱରରେ ନୂତନ ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲ ଖୋଲିବା ସହ ନିଜର କ୍ୟାମ୍ପସ ଖୋଲିବାକୁ ମଧ୍ୟ ଯାଉଛନ୍ତି ।
ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା
ରୋଗୀଙ୍କ ପାଇଁ ଭୁବନେଶ୍ୱର ଏମ୍ସ ପାଲଟିଛି ସାହାରା । ସରକାରୀ ହସ୍ପିଟାଲ ଖାଲି ନୁହେଁ, ଘରୋଇ ସମ୍ ହସ୍ପିଟାଲ ମଧ୍ୟ ରୋଗୀଙ୍କୁ ନୂଆ ଜୀବନ ଦେଉଛି । ଲିଭର, କିଡ୍ନୀ ପ୍ରତିରୋପଣ ହେଉ ଅବା ରୋବୋଟିକ୍ ସର୍ଜରୀ, ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର, ସବୁଥିରେ ଏବେ ଭୁବନେଶ୍ୱର ଆଗୁଆ । ରାଜ୍ୟବାସୀଙ୍କୁ ମିଳିବ ଗୁଣାତ୍ମକ ଚିକିତ୍ସା । ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ୟକୁ ଆଉ ପାଦେ ଆଗେଇନେଉଛନ୍ତି ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲ- ପିଜିଆଇଏମ୍ଇଆର । କ୍ୟାପିଟାଲ ହସ୍ପିଟାଲ ପରିସରରେ ଲେବୁଲ-୧ ଟ୍ରମା କେୟାର ସେଣ୍ଟର ଲୋକାର୍ପଣ ପାଇଁ ପ୍ରସ୍ତୁତି ସରିଥିବାବେଳେ ଏମ୍ସ ପରିସରରେ ବିଶାଳ କ୍ରିଟିକାଲ କେୟାର ହସ୍ପିଟାଲ୍ ଠିଆ ହେବ । ଏମ୍ସରେ କ୍ରିଟିକାଲ କେୟାର ହସ୍ପିଟାଲର କାମ ଗୋଟିଏ ବର୍ଷ ଭିତରେ ସରିବା ଯୋଜନା ରହିଛି । ଏଥିରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିବ । ଏହି ସ୍ୱତନ୍ତ୍ର କେନ୍ଦ୍ରରେ ଅଚଳ ଅଙ୍ଗ, ଗୁରୁତର ସଂକ୍ରମଣ, ଆଘାତର ଚିକିତ୍ସା ସହ ବଡ଼ ଅସ୍ତ୍ରୋପଚାରର ପରବର୍ତ୍ତୀ ଜଟିଳତା ଆଦିର ଚିକିତ୍ସା ମିଳିପାରିବ । ସେହିପରି ଲିଭର ପ୍ରତିରୋପଣ ମଧ୍ୟ ତ୍ୱରାନ୍ୱିତ ହେବ । ଅପରପକ୍ଷେ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ ପରିସରରେ ନିର୍ମିତ ନୂଆ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଭୁବନେଶ୍ୱରର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଜିଲ୍ଲା ମାନ୍ୟତା ଦେବାକୁ ଦୀର୍ଘବର୍ଷ ହେବ ଯୋଜନା ହୋଇଆସୁଛି । ନିକଟରେ ବିଭାଗୀୟସ୍ତରରେ ଏନେଇ ଆଲୋଚନା ମଧ୍ୟ ହୋଇଛି ।
ଆଖିଝଲସା ଷ୍ଟେସନ
ବଦଳିଯିବ ଭୁବନେଶ୍ୱର ଷ୍ଟେସନର ଚେହେରା । ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେଉଛି ନୂଆ ବିଲ୍ଡିଂ । ଷ୍ଟେସନ ଆଗରେ ଆଉ ଲମ୍ବା ଟ୍ରାଫିକ୍ ଜାମ ଲାଗିବନି । ଏୟାରପୋର୍ଟ ଭଳି ଟର୍ମିନାଲ ନିର୍ମାଣ କରାଯାଉଛି । ଅମୃତ ଭାରତ ଷ୍ଟେସନ ସ୍କିମ ଜରିଆରେ ଏହାର ବିକାଶ ହେଉଛି । ରେଳଷ୍ଟେସନ ଭିତରେ ଏୟାର କନର୍କୋସ ଖୋଲିଛି । ୧୦୮ ମିଟର ଲମ୍ବ ବିଶିଷ୍ଟ ଏହି କନକୋର୍ସ ସବୁ ପ୍ଲାଟଫର୍ମକୁ ଯୋଡି ହେବ । ସବୁ ପ୍ଲାଟଫର୍ମକୁ ଲିଫ୍ଟ ଏବଂ ଏସ୍କାଭେଟର ସୁବିଧା ରହିଛି । ଏହା ସହ ପୁରା ବିଲ୍ଲିଂରେ ପ୍ରାୟ ୩୪ ଲିଫ୍ଟ , ୨୦ ଏସ୍କାଲେଟର ସଂଯୋଗ କରାଯାଇଛି । ଗ୍ରାଉଣ୍ଡ ଫ୍ଲୋରରେ ଯାତ୍ରୀଙ୍କ ପାଇଁ ଫୁଡ୍ କୋର୍ଟ, କିଓସ୍କ, ଏକଜିକ୍ୟୁଟିଭ ଲାଉଞ୍ଜ ଆଦିର ବ୍ୟବସ୍ଥା କରାଯାଇଛି । ପ୍ରଥମ ମହଲା ପ୍ରଶାସନିକ କାର୍ଯ୍ୟାଳୟ ରହିବ । ଭିଡ ଏଡାଇବାକୁ ଏଲିଭେଟେଡ୍ କରିଡର କରାଯାଇଛି । ସିଧା ଲୋକେ ପ୍ରଥମ ମହଲାରେ ଗାଡିରେ ଓହ୍ଲାଇବେ । ଏୟାରପୋର୍ଟ ଭଳି ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ । ଏହା ସହ ଷ୍ଟେସନ ଆଗରେ ଭୁବନେଶ୍ୱର ଟାଉନ ସେଣ୍ଟର (ବିଟିସି) ଜରିଆରେ ଉନ୍ନତୀକରଣ କରଯିବ । ଏହାର ଭାର ନେଇଛି ବିଡିଏ । ଆଗରେ ପାର୍କିଂ, ବସଷ୍ଟାଣ୍ଡ, ଅଟୋ ଏବଂ ଟ୍ୟାକ୍ସି ବେ କରିବାକୁ ଯୋଜନା କରିଛି । ଏହା ସହ ଷ୍ଟେସନ ଆଗରେ ବାଣିଜ୍ୟକ କିଓସ୍କ ଖୋଲିବ ।