ଭୁବନେଶ୍ୱର ୧୨/୪ (ଅନିଲକାନ୍ତ ଦାସ) : ଜୟଦେବବିହାର ମୌଜାରେ ଘରବାରି ଜମି ଏକର ଏବେ ୫୦ କୋଟି ଟଙ୍କା । ଏପ୍ରିଲ ପହିଲାରୁ ଲାଗୁ ହେଲା ଏହି ଦର । ଥିଲା ୨୧ କୋଟି । ଥରକେ ବଢ଼ିଲା ୧୩୫% । ଲିଙ୍ଗିପୁର ଜମି ଏକର ସାଢ଼େ ୭ କୋଟିରୁ ସାଢ଼େ ୧୭ କୋଟି ଛୁଇଁଛି ।

ମାର୍ଚ୍ଚରେ ରଘୁନାଥପୁର ଜାଲିରେ ଜମି ବିକ୍ରି ହେଉଥିଲା ୪ କୋଟି ୨୦ ଲକ୍ଷ ଟଙ୍କାରେ । ଏବେ ଏକରକୁ ୧୪ କୋଟି । ବଢ଼ିଲା ୨୩୩% । କପିଳେଶ୍ୱର ଜମି ଭାଉ ୪.୯୦ କୋଟିରୁ ସିଧା ୧୯.୩୫ କୋଟିକୁ ଡିଆଁ ମାରିଛି । ପାହାଳରେ ଦର ୪ କୋଟି ୯୨ ଲକ୍ଷ ଟଙ୍କାରୁ ବଢ଼ି ପହଞ୍ଚିଛି ୧୦ କୋଟିରେ । ଆଇଗିଣିଆରେ ନୂଆ ଦର ୧୪ କୋଟି । ଥିଲା ୮ କୋଟି ୬୩ ଲକ୍ଷ । ସୁନ୍ଦରପଦା ଜମି ଭାଉ ୬ କୋଟିରୁ ବଢ଼ି ୯ କୋଟିରେ ପହଞ୍ଚିଛି । ଇଞ୍ଜଣା ଜମି ଦର ଥିଲା ୨ କୋଟି ୯୦ ଲକ୍ଷ । ଏବେ ହେଲା ୧୦ କୋଟି ୭୫ ଲକ୍ଷ ଟଙ୍କା । ବଢ଼ିଲା ୨୭୦% । ଭୁବନେଶ୍ୱରର ହାର୍ଟ ଏରିଆରେ ଜମି ମୂଲ୍ୟ ୧୦ କୋଟି ୮୦ ଲକ୍ଷ ଟଙ୍କା ଥିଲା, ଏବେ ୨୭ କୋଟି ୮୦ ଲକ୍ଷ । ବଢ଼ିଗଲା ୧୫୭% । କମିଟିର ପ୍ରସ୍ତାବିତ ବେଞ୍ଚ ମାର୍କ ମୂଲ୍ୟକୁ ଟପିଯାଇଛି ନୂଆ ନିର୍ଦ୍ଧାରିତ ମୂଲ୍ୟ ।

ସ୍ୱପ୍ନ ଥିଲା-“ଭୁବନେଶ୍ୱରରେ ଘରଟିଏ ତୋଳିବି । ନୂଆ ଜମି ବେଞ୍ଚ ମାର୍କ ମୂଲ୍ୟରେ ସବୁ ମଧ୍ୟବିତ୍ତଙ୍କ ସ୍ୱପ୍ନ ଭାଙ୍ଗି ଚୁନା । ଆଗରୁ ରାଜଧାନୀର ମଝି ଇଲାକାର ଜମି ଦରରେ ହାତ ମାରି ହେଉନଥିଲା, ଏବେ ଉପକଣ୍ଠକୁ ମୁହାଁଇବା ବି ମନା । ରାଜଧାନୀର କୋର୍ ଏରିଆ ହେଉ କି ଉପକଣ୍ଠ, ଜମି ଦର ଆକାଶଛୁଆଁ । ଶୁଣିଲେ ମୁଣ୍ଡ ଘୂରେଇଯିବ ।

ଚଳିତ ଆର୍ଥିକ ବର୍ଷ ଆରମ୍ଭ ସହ ନୂଆ ଜମି ବେଞ୍ଚ୍ ମାର୍କ ଚଡ଼କ ପଡ଼ିଛି । ଦର ଏମିତି ଯେ ଦିଲ୍ଲୀ, ମୁମ୍ବାଇ ବି ପଛରେ ପଡ଼ିଯିବ । ଆକାଶଛୁଆଁ ଜମି ବେଞ୍ଚ ମାର୍କ ମୂଲ୍ୟ ନିର୍ଦ୍ଧାରଣ ପରେ, ଜଣାଡ଼ୁଛି ଟଙ୍କା ଯାହାର, ଭୁବନେଶ୍ୱର ତାହାର । ଥିଲାବାଲା କୋଟି କୋଟି ଟଙ୍କା ଉଡ଼ାଇ ମାଳମାଳ ପ୍ଲଟ ଫ୍ଲାଟ ହାତେଇବେ । ଆଉ ସ୍ୱଳ୍ପ ଆୟକାରୀ ମଧ୍ୟବିତ୍ତ ଓ ଗରିବ ସାରା ଜୀବନ ଭଡ଼ା ଘରେ ମୁଣ୍ଡ ଗେଞ୍ଜି ରହିବେ । କୋଟିପତି ନୁହେଁ ତ ଭୁବନେଶ୍ୱର କିମ୍ବା ଏହାର ଆଖପାଖ ଅଞ୍ଚଳରେ ଘର ତୋଳିବା ସ୍ୱପ୍ନ ଭୁଲିଯାଅ ।

ଅଧିକ ପଢ଼ନ୍ତୁ :-  ମଙ୍ଗଳବାର ଯାଏ ଗ୍ରୀଷ୍ମଲହରୀ: ୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଏପ୍ରିଲ ୧ରୁ ଖୋର୍ଦ୍ଧା ଜିଲ୍ଲା ଅଧୀନ ଭୁବନେଶ୍ୱର ଏବଂ ଖଣ୍ଡଗିରି ରେଜିଷ୍ଟ୍ରି ଅଫିସ ଅଧୀନ ମୌଜାରେ ଜମି ବେଞ୍ଚମାର୍କ ଦର ବଡ଼ ଲମ୍ପ ମାରିଛି । ଜିଲ୍ଲା ଭ୍ୟାଲୁଏସନ କମିଟି (ଡିଭିସି) ଏହି ବର୍ଦ୍ଧିତ ଜମି ଦର ଉପରେ ଆଖି ବୁଝି ମୋହର ମାରିଛି । ୨୦୨୪-୨୬ ଦର ତୁଳନାରେ ୨୦୨୬-୨୮ ଦର ତୁଳନାରେ ଅହେତୁକ ବଢ଼ିଛି । ଏହା ବାଦ୍ ଷ୍ଟାମ୍ପ ଡ୍ୟୁଟି ଏବଂ ରେଜିଷ୍ଟ୍ରି ଫି’ ବି ବଢ଼ିଛି ।

ସାଧାରଣ ଲୋକଟିଏ ଘରଟିଏ ତୋଳିବାକୁ ଦରକାର ପଡ଼େ ଅନ୍ୟୁନ ୧୨୦୦ରୁ ୨ ହଜାର ବର୍ଗଫୁଟ ଜାଗା । ଗୋଠପାଟଣାରେ ଜମି କିଣିବାକୁ ଚାହୁଁଥିଲେ, ଏବେ ବର୍ଗଫୁଟ ପିଛା ସରକାରୀ ମୂଲ୍ୟରେ ଗଣିବାକୁ ହେବ ୧୮୬୦ ଟଙ୍କା । ଆଗରୁ ଥିଲା ୧୦୩୩ ଟଙ୍କା । ୨ ହଜାର ବର୍ଗଫୁଟ ଜାଗା ପାଇଁ ପଡ଼ିବ ପ୍ରାୟ ୩୭ ଲକ୍ଷ ଟଙ୍କା । ଏହା ବାଦ୍ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ମଧ୍ୟ ଅଛି । ଅର୍ଥାତ୍ ଘରବାରି ଜମି ଦର ୮୦ ପ୍ରତିଶତରୁ ଅଧିକ ବଢ଼ିଯାଇଛି ।

ମେଣ୍ଢାଶାଳ ଜାତୀୟ ରାଜପଥ ପାଶ୍ୱର୍ ଜମି ଦର ବର୍ଗଫୁଟ ପିଛା ୫୧୮ ଟଙ୍କାରୁ ବଢ଼ି ହୋଇଛି ୮୬୫ ଟଙ୍କା । ବଢ଼ିଲା ୬୬% । ତମାଣ୍ଡୋ ମୌଜାର ପ୍ରକଳ୍ପ (ପ୍ରୋଜେକ୍ଟ) ଅଞ୍ଚଳରେ ବର୍ଗ ଫୁଟ ପିଛା ଦାମ୍ ଥିଲା ୪୫୯ ଟଙ୍କା । ହେଲା ୬୬୦ ଟଙ୍କା । ଦାରୁଠେଙ୍ଗରେ ଘରବାରି କିସମ ଜମି ବର୍ଗଫୁଟ ପିଛା ୫୨୬ ଟଙ୍କାରୁ ୮୦୬ ଟଙ୍କାକୁ ବୃଦ୍ଧି ପାଇଛି । ପ୍ରସ୍ତାବିତ ନୂଆ ସହର ଘୋଷଣା ପରେ ଅନ୍ଧାରୁଆରେ ଘରବାରି ଜମି ବର୍ଗଫୁଟ ୫୯୪ ଟଙ୍କାରୁ ବଢ଼ି ୭୮୬ ଟଙ୍କା ଛୁଇଁଛି । ଦାସପୁରରେ ୪୮୨ ଟଙ୍କାରୁ ବଢ଼ି ୭୧୫ ଟଙ୍କା ହୋଇଛି । ଚନ୍ଦକାରେ ୮୭୨ ଟଙ୍କାରୁ ସିଧା ୧୩୬୪ ଟଙ୍କାକୁ ଡିଆଁ ମାରିଛି ଜମି ଦର ।

ଜାଗମରା ଏବେ ରାଜଧାନୀର ଅନ୍ୟତମ ଦାମୀ ଇଲାକା । ଏଠି ଘରବାରି କିସମ ଜମି ବର୍ଗଫୁଟ ପିଛା ୨୭୧୮ ଟଙ୍କା ଥିଲା । ନୂଆ ଦର ୩୫୫୭ ଟଙ୍କା । ଏ ଅଞ୍ଚଳରେ ବାଣିଜ୍ୟିକ ଜମି ଭାଉ ୩୧୯୧ରୁ ବଢ଼ି ୫୩୯୪ ଟଙ୍କାରେ ପହଞ୍ଚିଛି । ଆଇଗିଣିଆରେ ଘରବାରି କିସମ ଜମି ୧୯୮୧ ଟଙ୍କାରୁ ୩୨୦୩ ଟଙ୍କା ହୋଇଛି । ବଢ଼ିଛି ୬୧ ପ୍ରତିଶତ । ଘାଟିକିଆରେ ଜମି ବର୍ଗଫୁଟ ୧୨୯୦ରୁ ୨୧୭୧ ଟଙ୍କାରେ ପହଞ୍ଚିଛି । ପାତ୍ରପଡ଼ା ଆରଆଇ ସର୍କଲ ରଣସିଂହପୁରରେ ଘରବାରି ଜମି ବର୍ଗଫୁଟ ପିଛା ୮୭୪ ଟଙ୍କାରୁ ୧୩୯୮ ଟଙ୍କାକୁ ବୃଦ୍ଧି ପାଇଛି । ବଢ଼ିଲା ପ୍ରାୟ ୬୦% । ପାତ୍ରପଡ଼ାରେ ଜମି ଦର ୫୪ ପ୍ରତିଶତ ବଢ଼ିଛି । ନଖରା ଜମି ଦର ଦୁଇଗୁଣା ହୋଇଛି । ବର୍ଗଫୁଟ ୧୨୫୩ ଟଙ୍କାରୁ ବଢ଼ି ୨୧୦୯ ଟଙ୍କାକୁ ବୃଦ୍ଧି ପାଇଛି । ଏ ହିସାବରେ ନଖରାରେ ୨ ହଜାର ବର୍ଗଫୁଟ ଜାଗା କିଣିଲେ ୪୨ ଲକ୍ଷ ଟଙ୍କା ପଡ଼ିବ ।

ପାହାଳ ଜମି ମୂଲ୍ୟ ବର୍ଗଫୁଟ ପିଛା ୯୪୩ ଟଙ୍କାରୁ ଡିଆଁ ମାରି ସିଧା ପହଞ୍ଚିଛି ୨୩୦୭ ଟଙ୍କାରେ । ଥରକେ ୧୩୪% ବୃଦ୍ଧି । ଏ ଅଞ୍ଚଳରେ ବାଣିଜ୍ୟିକ ଜମି ଭାଉ ୩୦୭% ବଢ଼ିଛି । କଳାରାହଙ୍ଗ ଅଞ୍ଚଳରେ ଜମି ୨୭୬୪ ଟଙ୍କା ଛୁଇଁଛି । ଥିଲା ୧୭୦୭ ଟଙ୍କା । ଚନ୍ଦ୍ରଶେଖରପୁରରେ ବାଣିଜ୍ୟିକ କିସମ ଜମି ୪୯.୬%, ଶିଳ୍ପାଞ୍ଚଳ ଜମି ୫୭.୩%, ଗାଡ଼କଣରେ ଘରବାରି ଜମି ୬୭.୨% ବଢିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା କହିଛନ୍ତି, ଏକ କମିଟିର ରିପୋର୍ଟ ଅନୁସାରେ ଦର ବଢ଼ିଛି ।

ସରକାରୀ ମୂଲ୍ୟ ଯେତିକି ବଢ଼ୁଛି, ତା’ଠାରୁ ଢେର ଅଧିକ ଗୁଣାରେ ବଢ଼ିଯାଉଛି ଘରୋଇ ଜମିର ମୂଲ୍ୟ । ଦିନ ଥିଲା ରାଜଧାନୀର ପ୍ରାଇମ ଏରିଆ ଅଶୋକନଗର, ବାପୁଜୀନଗର, ସହିଦନଗର, ମଧୁସୂଦନନଗର, ଖାରବେଳନଗର ଭଳି ଅଞ୍ଚଳରେ ଅତି ଶସ୍ତାରେ ସରକାର ଜମି ବାଣ୍ଟୁଥିଲେ । ଏବେ ରାଜଧାନୀରୁ ୧୫ କିମି ଦୂରରେ ବି ଜମି କିଣିବା ସ୍ୱପ୍ନ ।