ଭୁବନେଶ୍ୱର,୩୦/୦୫:  ବିଜେଡି ବିଧାୟକଙ୍କୁ ଅଣଦେଖା  କରାଯାଉଛି । ସେମାନଙ୍କୁ ବିଏମ୍‌ସିର କୌଣସି କାର୍ଯ୍ୟକ୍ରମରେ  ଡକାଯାଉନି । ତେଣୁ ବିଏମ୍‌ସି ଏକ ଏସ୍‌ଓପି ଆଣୁ । ବିଜେଡି କର୍ପୋରେଟର ଶୁକ୍ରବାର କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ  ଉଠାଇବେ । ହୋ ହଲ୍ଲା କରିବେ । ଏହାକୁ ବିରୋଧ କରିବାକୁ ବିଜେପି  କର୍ପୋରେଟର ସଜବାଜ ହେଉଛନ୍ତି । 

ଜନ ପ୍ରତିନିଧିମାନଙ୍କୁ ଅଣଦେଖା  କରାଯାଉଥିବା ଅଭିଯୋଗ ଆଣି ଗତକାଲି ବିଜେଡି ଜିଲ୍ଲା ସଭାପତି  ଅଶୋକ ପଣ୍ଡାଙ୍କ ନେତୃତ୍ୱରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା  ଏବଂ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କୁ ଭେଟିଥିଲେ । ଏହି ପ୍ରସଙ୍ଗ ମଧ୍ୟ ଶୁକ୍ରବାର ବିଜେଡି କର୍ପୋରେଟର ଉଠାଇବେ । ଏନେଇ ଏକ ସ୍ପଷ୍ଟ ଏସ୍‌ଓପି ଆଣିବାକୁ ଦାବି କରିବେ । ବିଜେପି  ମଧ୍ୟ ରଣନୀତି ପ୍ରସ୍ତୁତ କରିଛି । 

ବାଂଲାଦେଶୀ ମନ୍ତବ୍ୟକୁ ନେଇ ମେୟରଙ୍କୁ ବିଜେପି କର୍ପୋରେଟର ଘେରିବା ସମ୍ଭାବନା  ରହିଛି । ଏନେଇ ବିଜେପି କର୍ପୋରେଟରଙ୍କ ଏକ ବୈଠକରେ  ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏସଓପି ପ୍ରସଙ୍ଗରେ ବିଜେଡି  କର୍ପୋରେଟର ଅମରେଶ ଜେନା ବିଜେଡି ବିଧାୟକଙ୍କୁ ଟାର୍ଗେଟ  କରିଥିଲାବେଳେ ବିଜେପି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଜେଡିର ବିଧାୟକଙ୍କୁ ନିମନ୍ତ୍ରଣ କରାଯାଏ । ହେଲେ ସେମାନେ ଆସନ୍ତି ନାହିଁ । ନୂଆପଲ୍ଲୀ ଥାନା ଉଦ୍‌ଘାଟନ, ମହାତବ ଜୟନ୍ତୀରେ ମଧ୍ୟ ସେମାନେ ଅନୁପସ୍ଥିତ  ରହିଲେ । ତେଣୁ ଏମିତି ଅଭିଯୋଗ ହାସ୍ୟାସ୍ପଦ।