ଚନ୍ଦ୍ରଶେଖରପୁର, ୧୦/୦୨ : ପ୍ରେମ ସପ୍ତାହରେ ବିବାହ ପାଇଁ ପ୍ରେମିକାର ହାତ ମାଗିବାକୁ ଆସିଥିଲା । ସେ ସ୍ୱପ୍ନ ତ ପୂରଣ ହେଲାନି । ଓଲଟି ପୁରୁଣା ପ୍ରେମିକ ନେଇଗଲା ଜୀବନ । ପ୍ରେମିକା ସହିତ ପ୍ରପୋଜ୍ ଡେ’ର ସମୟ ବିତାଉଥିବା ବେଳେ ହଠାତ୍ ପହଞ୍ଚି ଯାଇଥିଲା ପୂର୍ବତନ ପ୍ରେମିକ। ଦୁଇ ପ୍ରେମିକ ଭିତରେ ହେଲା ନିର୍ଧୁମ ଝଗଡ଼ା। ପୁରୁଣା ପ୍ରେମିକ ରାଗିଯାଇ ଦ୍ୱିତୀୟ ପ୍ରେମିକର ବେକ କାଟି ଦେଲା। ପ୍ରେମ ସପ୍ତାହ ପାଳିବାରେ ପ୍ରେମୀଯୁଗଳମାନେ ବ୍ୟସ୍ତ ଥିବା ବେଳେ ଏମିତି ଛାତିଥରା ଘଟଣା ରାଜଧାନୀରେ ପ୍ରେମୀଯୁଗଳଙ୍କୁ ହତବାକ କରିଛି। ପୁଲିସ ପ୍ରେମିକାକୁ ଧରିଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର୍ ହୋଇଯାଇଛି...
ପ୍ରେମ ସପ୍ତାହରେ ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ସେକ୍ଟର-୨ ଅଞ୍ଚଳରେ ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଯୁବତୀଙ୍କ ପ୍ରଥମ ପ୍ରେମିକ ଦ୍ୱିତୀୟ ପ୍ରେମିକର ତଣ୍ଟି କାଟି ଦେଇଛି । ଏହି ହତ୍ୟାକାଣ୍ଡ ଘଟିଛି ପ୍ରେମିକା ଲିଜା କାଣ୍ଡିଙ୍କ ସମ୍ମୁଖରେ । ହତ୍ୟାର ଶିକାର ହୋଇଛନ୍ତି ଦ୍ୱିତୀୟ ପ୍ରେମିକ ସତ୍ୟବ୍ରତ ପ୍ରଧାନ(୨୭) ଓରଫ ବାବୁନା । ଏନେଇ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନ୍ଭିନ୍ କରିବା ସହ ପ୍ରେମିକା ଲିଜାଙ୍କୁ ଅଟକ ରଖିଛି । ପ୍ରଥମ ପ୍ରେମିକ ଅଭିଯୁକ୍ତ ଦୀନବନ୍ଧୁ ନାୟକ ଓରଫ ଦୀନେଶ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ଆଡ଼େ ଚଢ଼ଉ ଜାରି ରଖିଛି। ଫେରାର ଅଭିଯୁକ୍ତ ତଥା ଲିଜାଙ୍କ ପ୍ରଥମ ପ୍ରେମିକ ଦୀନେଶର ଘର ଜଗତସିଂହପୁର ଅଞ୍ଚଳରେ । ୮ ମାସ ତଳେ ନୀଳାଦ୍ରି ବିହାର ସେକ୍ଟର-୨ ପ୍ଲଟ୍ ନମ୍ବର ୩୦୯/୧୮୯୧/୯୪୫୪ରେ ଏକ ଘର ଭଡ଼ା ନେଇଥିଲା । ଦୀନେଶ ସହିତ ତାଙ୍କ ପ୍ରେମିକା ଲିଜା ସେଠାରେ ରହୁଥିଲେ। ଲିଜା ଶୈଳଶ୍ରୀ ବିହାରରେ ଏକ ପାର୍ଲରରେ କାମ କରୁଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜାଣିଥିଲେ । ଗତ ଅକ୍ଟୋବରରେ ଲିଜା ଓ ଦୀନେଶଙ୍କ ମଧ୍ୟରେ ଏଣ୍ଟ୍ରି ମାରିଥିଲେ ୟୁନିଟ୍-୬ରେ ରହୁଥିବା କାର୍ ଚାଳକ ସତ୍ୟବ୍ରତ । ତାଙ୍କ ଘର ପୁରୀ ବ୍ରହ୍ମଗିରି ହସିନାପୁର । ହେଲେ ଏହା ଜାଣି ପାରି ନଥିଲେ ଦୀନେଶ । ସନ୍ଦେହ ହେବାରୁ ଲିଜା ଓ ଦୀନେଶଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଲିଜାଙ୍କୁ ଛାଡ଼ି ଦୀନେଶ ପଟିଆରେ ଅଲଗା ଘର ଭଡ଼ା ନେଇ ରହିଥିଲେ । ଏହାପରେ ଲିଜା ଓ ସତ୍ୟବ୍ରତଙ୍କ ପ୍ରେମ କାହାଣୀ ଆଗକୁ ବଢ଼ିଥିଲା । ଏମିତି କି ଲିଜା ଓ ସତ୍ୟବ୍ରତ ବାହା ହେବାକୁ ମଧ୍ୟ ଯୋଜନା କରିଥିଲେ । ପ୍ରେମ ଓ ବାହାଘର ବିଷୟରେ ସତ୍ୟବ୍ରତ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।
ବେକକୁ ଜାବୁଡ଼ି ଧରି ୨୦୦ ମିଟର ଦୌଡ଼ିଲେ
ପ୍ରେମ ସପ୍ତାହ ଚାଲିଥିବାରୁ ଲିଜାଙ୍କ ରୁମ୍ରେ ରୋଜ୍-ଡେ ଧୁମ୍ ଧାମରେ ପାଳନ କରିଥିଲେ। ୮ ତାରିଖ ରାତିରେ ୟୁନିଟ୍-୬ରୁ କାର୍ ନେଇ ପ୍ରପୋଜ୍-ଡେ ପାଳନ କରିବାକୁ ଯାଇଥିଲେ ସତ୍ୟବ୍ରତ । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସତ୍ୟବ୍ରତ ପହଞ୍ଚିଥିଲେ ଲିଜାଙ୍କ ରୁମ୍ରେ । ଏହି ଖବର କୌଣସି ମତେ ପାଇଥିଲେ ଦୀନେଶ । ପ୍ରତିଶୋଧ ପରାୟଣ ହୋଇ ଦୀନେଶ ଛୁରି ନେଇ ପହଞ୍ଚିଥିଲେ ଲିଜାଙ୍କ ରୁମ୍ରେ । ସେଠାରେ ସତ୍ୟବ୍ରତ ଓ ଲିଜାଙ୍କୁ ରୁମ୍ରେ ଦେଖିବା ପରେ ତାଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ରୁମ୍ରେ ପାଟିତୁଣ୍ଡ ସହ ହାତାହାତି ପରିସ୍ଥିତି ହୋଇଥିଲା । ଏହାରି ଭିତରେ ରକ୍ତମୁଖା ହୋଇଯାଇଥିଲା ଦୀନେଶ । ସାଙ୍ଗରେ ନେଇଥିବା ଛୁରିରେ ସତ୍ୟବ୍ରତଙ୍କ ତଣ୍ଟି କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସତ୍ୟବ୍ରତ ରକ୍ତାକ୍ତ ଅବସ୍ଥାରେ ଲିଜାଙ୍କ ରୁମ୍ରୁ ବାହାରି ଦୁଇ ଶହ ମିଟର ଦୂରରେ ଥିବା ମଙ୍ଗଳା ମନ୍ଦିର ଛକ ପାଖରେ ଥିବା ତାଙ୍କ କାର୍ ପାଖକୁ ଆସିଥିଲେ । ହେଲେ ଅତ୍ୟଧିକ ରକ୍ତସ୍ରାବ ହେତୁ ସେ ତଳେ ପଡ଼ି ଯାଇଥିଲେ । ଲିଜା ଆସି ଦେଖିଥିଲେ ସେ ତଳେ ପଡ଼ିଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗ ମାଗିଥିଲେ । ସଙ୍ଗେ ସଙ୍ଗେ ଲୋକମାନେ ଏକାଠି ହୋଇ ଆମ୍ବୁଲାନ୍ସ ଓ ପୁଲିସ୍କୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚି ସତ୍ୟବ୍ରତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ସତ୍ୟବ୍ରତ ସାଙ୍ଗରେ ନେଇ ଯାଇଥିବା କାର୍କୁ ସ୍ଥାନୀୟ ଲୋକ ଚଳାଇ ହସ୍ପିଟାଲ୍କୁ ଆସିଥିଲେ । କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଥିଲା ।
ସତ୍ୟବ୍ରତର ମୋବାଇଲ୍ରୁ ଲିଜା ଘଟଣା ବିଷୟରେ ତାଙ୍କ ମଉସା ଓ ସେ କାମ କରୁଥିବା କାର୍ ମାଲିକଙ୍କୁ ଜଣାଇଥିଲେ । ଖବର ପାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ କାର ମାଲିକାଣୀ ପ୍ରିୟଙ୍କା ନାୟକ । ହସ୍ପିଟାଲ ପରିସରରେ କାରକୁ ଦେଖି ତାଙ୍କ ମୁଣ୍ଡ କାମ ଦେଇନଥିଲା । କାରଟି ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇଯିବ ଭାବି ତୁରନ୍ତ ଆଉ ଜଣେ ଡ୍ରାଇଭର୍ ବିରଞ୍ଚି ଜେନାଙ୍କୁ ଚାବି ଧରାଇ କାର ନେଇ ପୁରୀ ପଳାଇବାକୁ କହିଥିଲେ । ବିରଞ୍ଚି ତରତର ହୋଇ କାରକୁ ଦ୍ରୁତଗତିରେ ନେଉଥିବା ବେଳେ ଶିଶୁଭବନ ଛକ ଓଭରବ୍ରିଜ୍ ଉପରୁ ତଳକୁ ଖସିପଡ଼ିଥିଲେ । କ୍ୟାପିଟାଲ ଥାନା ପୁଲିସ କାରକୁ ଜବତ କରିଛି । ପୁରୀ ଅଞ୍ଚଳର ଡ୍ରାଇଭର ବିରଞ୍ଚି ନାରାୟଣ ଜେନାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସତ୍ୟବ୍ରତଙ୍କ ପରିବାର ଲୋକ ଥାନାରେ ପହଞ୍ଚି ଲିଜା ଓ ତାର ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଇଥିଲେ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା । ପୁଲିସ୍ ଶବ ବ୍ୟବଚ୍ଛେଦ କରି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଲିଜା ଓ କାର୍ ମାଲିକାଣୀଙ୍କୁ ପୁଲିସ୍ ଅଟକ ରଖି ଜେରା କରୁଛି । ଅଭିଯୁକ୍ତ ଦୀନେଶ ଫେରାର ହୋଇଯାଇଛି ।
ଛୁରି ଗାଏବ, ଗଢ଼ା ହେଲା ୩ଟି ଟିମ୍
ଜୋନ୍-୬ ଏସିପି ସୋନାଲି ପରମାର୍ କହିଛନ୍ତି, ତଦନ୍ତ ଆରମ୍ଭ କରୁଛୁ । ଅଟକ ଯୁବତୀଙ୍କୁ ପଚରାଉଚରା କରୁଛୁ । ଏଥିପାଇଁ ୩ଟି ପୁଲିସ ଟିମ୍ ଗଢ଼ାଯାଇଛି । ଗୋଟିଏ ଟିମ୍ ହତ୍ୟାକାଣ୍ଡସ୍ଥଳରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି । ଆଉ ଗୋଟିଏ ଟିମ୍ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସମସ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି । ଅନ୍ୟ ଏକ ଟିମ୍ ଏଯାଏଁ ମିଳିଥିବା ଟେକ୍ନିକାଲ୍ ଡିଭାଇସକୁ ବିଶ୍ଳେଷଣ କରୁଛି । ହେଲେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଏବେ ଯାଏଁ ମିଳିନି । ହତ୍ୟା ଅଭିଯୁକ୍ତ ଛୁରି ନେଇ ଫେରାର ହୋଇଥିବା ସନ୍ଦେହ କରାଯାଉଛି।