ଭୁବନେଶ୍ବର: ରାତି ପାହିଲେ ରଜ । ଆଜି ସଜବାଜ । ଗାଁଠୁ ସହର ସବୁଠି ଉତ୍ସବମୁଖର । ପିଠାପଣା ସାଙ୍ଗକୁ ରଜରେ ସମସ୍ତ ପ୍ରିୟ ହୋଇଥାଏ ପାନ । ପାନ ଖଣ୍ଡେ ନ ଖାଇଲେ ଅସମ୍ପୂର୍ଣ୍ଣ ଲାଗିଥାଏ ରଜ । ତେବେ ଆପଣ ସାଧାରଣତଃ ପାନର ଦାମ ୧୦ରୁ ଆରମ୍ଭ କରି ୫୦ ଟଙ୍କା ହେବ ବୋଲି ଭାବିଥାନ୍ତି । କିନ୍ତୁ ଏବେ ବଜାରରେ ମିଳୁଛି ୩ ହଜାର ଟଙ୍କିଆ ପାନ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସହିଦନଗରରେ ଥିବା ବନାରସୀପାନ ଭଣ୍ଡାରରେ ମିଳୁଛି ଏଭଳି ଦାମୀ ପାନ । ଏଠାରେ ୩୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ପର୍ଯ୍ୟନ୍ତ ପାନ ରହିଛି । ତେବେ ପ୍ରତିଦିନ ଏହି ପାନ ଦୋକାନ ପକ୍ଷରୁ ନୂଆ ପାନ ବନାଯାଉଥିବା କହିଛନ୍ତି ଦୋକାନର ମାଲିକରମାକାନ୍ତ ସେନାପତି।
ସେ କହିଛନ୍ତି କି,ଚଳିତ ବର୍ଷ ରଜରେ ସବୁଠାରୁ ଅଧିକ ଚାହିଦାରେ ରହିଛି ହର୍ବାଲ ଓ ଆୟୁର୍ବେଦିକ୍ ପାନ । ଯେଉଁଥିରେ ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବିଭିନ୍ନ ଜଡ଼ିବୁଟି ପିପଳି, ଅଁଳା, ଅଦା, ପୋଦିନାଗୁଣ୍ଡ, ଲବଙ୍ଗ.....ଆଦି ବିଭିନ୍ନ ପ୍ରକାର ମସଲା ଦିଆଯାଇଥାଏ । ଚଳିତ ବର୍ଷ ରଜରେ ‘ଡାଇଜେଷ୍ଟିଭ୍’ ପାନ ସାଜିବ ମୁଖ୍ୟ ଆକର୍ଷଣ । ସେହିପରି ହ୍ୱାଇଟ୍ ଚକ୍ଲେଟ୍ ପାନ, ଡାର୍କ ଚକୋଲେଟ୍ ପାନ, ମ୍ୟାଙ୍ଗୋ ପାନ, ଗୁପ୍ଚୁପ୍ ପାନ, ପାଇନ୍ଆପୁଲ ପାନ, ଲଡ୍ଡୁ ପାନ, ମିଠା ପାନ, ଆୟୁର୍ବେଦିକ୍ ପାନ, ମହାରାଜା ପାନ, ଶତରଙ୍ଗୀ ପାନ ଓ ଫାୟାର ପାନ ଭଳି ୧୦୦ରୁ ଅଧିକ ପ୍ରକାରର ପାନ ମିଳୁଛି । ଏହି ପାନର ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ଟଙ୍କା ପର୍ଯ୍ୟନ୍ତ ।
ସେହିଭଳି ଛୋଟପିଲାମାନଙ୍କ ପାଇଁ କିଟ୍କାଟ୍ ପାନ,ଚୋକୋଚିପ୍ ପାନ,ଡେରିମିଲ୍କ ପାନ ରହିଛି । ବିଶେଷକରି କର୍ପୋରେଟ୍ ସେକ୍ଟର ଓ ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ୟାକିଙ୍ଗ୍ ହୋଇଥିବା ପାନର ବରାଦି ମଧ୍ୟ ରହୁଛି । ଏପରିକି ଏହି ପାନଗୁଡ଼ିକୁ ଅନଲାଇନ୍ରେ ମଧ୍ୟ ଅଡର କରିହେଉଛି।ଛୋଟ ପିଲାମାନଙ୍କ ନିମନ୍ତେ ପାନ ମଧ୍ୟଏଠାରେ ମିଳେ। ବିଭିନ୍ନ କର୍ପୋରେଟ୍ ଅଫିସ୍ରୁ ପାନର ବରାଦି ଆସିସାରିଲାଣିବୋଲି କହିଛନ୍ତି । ତେବେ ଅଧିକ ଜାଣିବା ପାଇଁ ଆମର ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ...