ନୂଆଦିଲ୍ଲୀ: ଚାଲିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ । ଆଇପିଏଲରେ ଏବେ ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକ ହେଉଥିବାବେଳେ ଖେଳାଳିମାନେ ରଚୁଛନ୍ତି ଇତିହାସ । ତେବେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏକ ନୂଆ କୀର୍ତ୍ତିମାନ କରିବାକୁ ଯାଉଛନ୍ତି । ଚଳିତ ସିଜିନରେ ସର୍ବାଧିକ ଓ୍ବିକେଟ ଅକ୍ତିଆର କରି ଭୁବି ପର୍ପଲ କ୍ୟାପ ନିଜ ପାଖରେ ରଖିଛନ୍ତି । ତେବେ ଆଜି ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଆଉ ଏକ ମାଇଲଖୁଣକଟ ପାର କରିବାକୁ ଯାଉଛନ୍ତି ।

ଭୁବନେଶ୍ବର କୁମାର ଆଜିର ମ୍ୟାଚରେ ପ୍ରଥମ ଦ୍ରୁତ ବୋଲର ଭାବେ ୨୦୦ ମ୍ୟାଚ ଖେଳିବେ । ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଦ୍ରୁତ ବୋଲର ଏତେ ସଂଖ୍ୟକ ମ୍ୟାଚ୍ ଖେଳିନାହାନ୍ତି । ଯାହା ଏବେ ପୂରଣ କରିବା ପାଇଁ ଯାଉଛନ୍ତି ଭୁବି ।

ଆମେ ଯଦି ଭୁବଙ୍କ ଆଇପିଏଲ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ସେ ୨୦୧୦ ନିଲାମୀରେ ବାଙ୍ଗାଲୋର ତାଙ୍କୁ କିଣିଥିଲା । ସେ ୬ ଲକ୍ଷ ଟଙ୍କାରେ କିଣା ହୋଇଥିବାବେଳେ ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ପରେ ପୁନେ ଓ୍ବାରିୟର୍ସ ଇଣ୍ଡିଆ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ସେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଏହି ଫ୍ରାଞ୍ଚଇଜରେ ରହିଥିଲେ । ସେ ଡେବ୍ୟୁ ସିଜିନରେ ମାତ୍ର ୩ ଓ୍ବିକେଟ ନେଇଥିଲେ । ପରେ ୮ ଓ୍ବିକେଟ ଏବଂ ୨୦୧୩ ମସିହାରେ ୧୩ ଓ୍ବିକେଟ ଅକ୍ତିଆର କରିଥିଲେ ।

ତେବେ ୨୦୧୪ ମସିହାରେ ଭୁବିଙ୍କ ଭାଗ୍ୟ ବଦଳିଥିଲା । ଯେତେବେଳେ ସେ ହାଇଦ୍ରାବାଦ ଦଳରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ୪ କୋଟି ୨୫ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ତେବେ ୨୦୧୮ ମସିହାରେ ତାଙ୍କ ଦରମା ୮ କୋଟି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଦୀର୍ଘଦିନ ହାଇଦ୍ରାବାଦ ପକ୍ଷରୁ ସେ ନିଜର ପ୍ରଦର୍ଶନ ଜାରି ରଖିଥିଲେ । ପରେ ୨୦୨୫ ମସିହାରେ ସେ ପୁରୁଣା ଦଳ ବେଙ୍ଗାଲୁରୁକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏବେ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣା ହୋଇଛନ୍ତି । ଭୁବି ନିଜର ଆଇପିଏଲ କ୍ୟାରିୟରରେ ୧୯୯ ମ୍ୟାଚରେ ୨୧୫ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଭୁବନେଶ୍ଵର କୁମାରଙ୍କ ୨୦୦ତମ IPL ମ୍ୟାଚ୍ ପୂର୍ବରୁ, ବିରାଟ କୋହଲି ତାଙ୍କୁ ପ୍ରଶଂସା କରିଥିଲେ। ସେ ତାଙ୍କୁ ସର୍ବକାଳୀନ ତିନି ଜଣ ଶ୍ରେଷ୍ଠ IPL ବୋଲରଙ୍କ ମଧ୍ୟରୁ ଜଣେ ବୋଲି କହିଥିଲେ। ବିରାଟ କହିଥିଲେ, "୨୦୦ IPL ମ୍ୟାଚ୍ ଖେଳିବା ଜଣେ ବୋଲରଙ୍କ ପାଇଁ ଏକ ବଡ଼ ସଫଳତା। ଏହା ତାଙ୍କର ଲମ୍ବା ଇନିଂସ ଏବଂ ସ୍ଥିର କଠିନ ପରିଶ୍ରମ ବିଷୟରେ ଅନେକ କଥା କହିଥାଏ। ଭୁବି ସମସ୍ତ ଫର୍ମାଟ୍ ଖେଳିଛନ୍ତି ଏବଂ ସର୍ବଦା ସଫଳ ହୋଇଛନ୍ତି। ସେ ଜଣେ ଦକ୍ଷ ବୋଲର ହୋଇଥିବାବେଳେ ଭଲ ଇକୋନୋମି ରହିଛି । ଏହାସହ ସେ ଜଣେ ଓ୍ବିକେଟ ଟେକର ବୋଲର ବୋଲି ମଧ୍ୟ କହିଛନ୍ତି ବିରାଟ ।

ଏହାସହ ପଢ଼ନ୍ତୁ : କ୍ରିକେଟ୍ ପ୍ରେମୀ ନିରାଶ: ଭାରତ-ପାକିସ୍ତାନ କ୍ରୀଡା ସମ୍ପର୍କରେ ଭଟ୍ଟା ! ଦ୍ବିପାକ୍ଷିକ ସିରିଜକୁ ମିଳିବନି ଅନୁମତି