- ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ
- ପାକ୍ ଦଳ ଭାରତ ଆସିବାକୁ ଦିଆଯିବନି
- ଅନ୍ତର୍ଜାତୀୟ ଇଭେଣ୍ଟରେ ମିଳିବ ଅନୁମତି
ନୂଆଦିଲ୍ଲୀ, ୭।୫: ପାକିସ୍ତାନ ସହ ସୁଧୁରିବନି କ୍ରୀଡ଼ା ସଂପର୍କ । ଦୁଇ ଦେଶ ମଧ୍ୟରେ ହୋଇପାରିବନି ଦ୍ବିପାକ୍ଷିକ ମ୍ୟାଚ୍ । ଭାରତ-ପାକିସ୍ତାନ କ୍ରିକେଟ୍ ଶୃଙ୍ଖଳା ଆୟୋଜନକୁ ସ୍ୱୀକୃତି ଦେବ ନାହିଁ କେନ୍ଦ୍ର ସରକାର । କେବଳ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରିବେ ଉଭୟ ଦେଶ । ଆଇସିସି ପ୍ରତିଯୋଗିତା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଅନ୍ୟାନ୍ୟ କ୍ରୀଡ଼ାକୁମ୍ଭରେ ପାକ୍ ଖେଳାଳିଙ୍କୁ ଭାରତ ଆସିବାର ଅନୁମତି ମିଳିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସଂପର୍କକୁ ନେଇ ଯେଉଁ ଗାଇଡ୍ଲାଇନ ପ୍ରକାଶ କରାଯାଇଥିଲା ତାହାକୁ ବଳବତ୍ତର ରଖାଯାଇଛି । ଗତ ୫ ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ଦେଶ ମଧ୍ୟରେ କୌଣସି କ୍ରୀଡ଼ାରେ ଦ୍ୱିପାକ୍ଷିକ ସିରିଜକୁ ଅନୁମତି ଦିଆଯିବନି । ଭାରତୀୟ ଦଳ ପାକିସ୍ତାନରେ ଆୟୋଜିତ କୌଣସି ଇଭେଣ୍ଟରେ ଭାଗ ନେବ ନାହିଁ । ସେମିତି ପାକିସ୍ତାନ ଦଳକୁ ଭାରତ ଗସ୍ତରେ ଆସିବାକୁ ଅନୁମତି ଦିଆଯିବ ନାହିଁ ।
ଆଗାମୀ ଦିନରେ ଭାରତ ଆୟୋଜନ କରିଥିବାକୁ ଥିବା ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ ଖେଳାଳି, ଅଫିସିଆଲ ଓ ବୈଷୟିକ ଅଧିକାରୀମାନଙ୍କ ଅଂଶ ଗ୍ରହଣକୁ ସହଜ କରିବା ସକାଶେ କେନ୍ଦ୍ର ସରକାର ‘ଭିସା’ ପ୍ରକ୍ରିୟାକୁ ସହଜ କରିବାକୁ ଯୋଜନା କରିଛନ୍ତି । ଭାରତ ୨୦୩୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ । ସେମିତି ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିବା ନେଇ ଆଗ୍ରହୀ ରହିଛି । ଏହି ସବୁ କ୍ରୀଡ଼ା ପାଇଁ ପାକ୍ ଖେଳାଳିଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ । କିନ୍ତୁ ଏକାଧିକ ରାଷ୍ଟ୍ରକୁ ନେଇ ପାକିସ୍ତାନ ଆୟୋଜନ କରିବାକୁ ଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଭାରତ ଭାଗ ନେବ ନାହିଁ ।
ଗତ ବର୍ଷ ପହଲଗାମ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସାରା ଦେଶରେ ପାକିସ୍ତାନ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ଏସିଆ କପ୍ରେ ଭାରତର ଅଂଶ ଗ୍ରହଣକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଶେଷରେ ୟୁଏଇରେ ଏସିଆ କପ୍ ଆୟୋଜିତ ହୋଇଥିଲା । ଭାରତୀୟ ଖେଳାଳି ପଡ଼ିଆରେ ପାକ୍ ଖେଳାଳିଙ୍କ ସହ କରମର୍ଦ୍ଦନରୁ ବିରତ ରହିଥିଲା । ଯାହା ଏକ ବିବାଦ ସୃଷ୍ଟି କରିଥିଲେ । ଭାରତ ଏସିଆ କପ୍ରେ ଚାମ୍ପିଅନ ହୋଇଥିଲେ ବି ପାକିସ୍ତାନ କ୍ରିକେଟ୍ ବୋର୍ଡ ତଥା ଏସିସିର ମୁଖ୍ୟ ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ କରିନଥିଲା । ନକଭି ଟ୍ରଫି ଧରି ହୋଟେଲ ରୁମକୁ ପଳାଇଥିଲେ । ଟ୍ରଫି ଏ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଫେରାଇ ନାହାନ୍ତି ।
ଅଧିକ ପଢ଼ନ୍ତୁ- IPL 2026: କୋହଲିଙ୍କ ସହ ଖେଳିଥିଲେ କ୍ରିକେଟ, ପଞ୍ଜାବ ଦେଇଥିଲା ସୁଯୋଗ...ଏବେ ଆରପାରିରେ ଅମନପ୍ରୀତ