ଭୁବନେଶ୍ୱର, ୧/୭ : ଏଣିକି ବିଏମ୍ସି ଅଧିନରେ ଥିବା ବଡ଼ ବଡ଼ ଡ୍ରେନରେ ସେନସର୍ ଲାଗିବ। ଫଳରେ ସଠିକ୍ ଭାବେ ପଙ୍କୋଦ୍ଧାର ହୋଇଛି କି ନାହିଁ ତାହା ଜଣାପଡ଼ିବ । ବିଏମସିର ୪୨ତମ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାବାଦ ବିଏମ୍ସି ଅଞ୍ଚଳରେ ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି । ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେଲେ, ଅନ୍ୟ ସ୍ୱାୟତ୍ତ ଶାସନ ସଂସ୍ଥା ଉପକୃତ ହେବେ । ଏଥିପାଇଁ ବିଏମ୍ସିକୁ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବିଭିନ୍ନ ସ୍ଥାନରେ ଡଗ୍ ସେଲଟର ଖୋଲାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିଏମ୍ସି କମିଶନର ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ପ୍ରଫୁଲ୍ଲ ରଇତ ପ୍ରମୁଖ ମଂଚାସୀନ ଥିଲେ। ବୈଠକ ଆରମ୍ଭରୁ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରାଯାଇଥିଲା । ପରେ କର୍ପୋରେଟର ଓ ବିଭିନ୍ନ ଉପବିଭାଗରୁ ଆସିଥିବା ପ୍ରସ୍ତାବଗୁଡିକ ଆଗତ କରାଯାଇଥିଲା । ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମୋଟ ୭ଟି ଲିଖିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା । ଜିରୋ ଆୱାରରେ କର୍ପାରେଟରମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କର୍ପାରେଟରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ଗ୍ରୁପ୍ ଇନସ୍ୟୁରାନ୍ସ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା । ବିଏମ୍ସି ଅଧିନରେ ଥିବା ସମସ୍ତ ମେଡିକାଲକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦେବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।
ବର୍ଷା ଦିନ ଆସିଯାଇଥିବାରୁ ବିଭିନ୍ନ ୱାର୍ଡରୁ ଗଛ ଡାଳ କାଟିବା ପାଇଁ ଅଧିକ ଗାଡ଼ି ଓ ମାନବସମ୍ବଳ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଛି । ଭୁନେଶ୍ୱରର ଯେଉଁ ଯେଉଁ ଅଂଚଳରେ ରଥଯାତ୍ରା ହେଉଛି, ସେହି ଅଂଚଳରେ ଝୁଲିଥିବା ବିଦ୍ୟୁତ୍ ତାର ସଜାଡ଼ିବା ପାଇଁ ଟିପିସିଡିଓଏଲ୍କୁ ନିର୍ଦେଶ ଦିଆଯାଇଛି । ସେହିଭଳି ଯେଉଁ ଯେଉଁ ରାସ୍ତା ଦେଇ ରଥ ଯିବ, ଉଭୟ ପୂର୍ତ୍ତ ଏବଂ ବିଏମ୍ସି ତୁରନ୍ତ ସେହି ରାସ୍ତାଗୁଡିକର ମରାମତି କାମ ସାରିବାକୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗ ରାସ୍ତା ଖୋଳି କାମ ତୁରନ୍ତ କରୁନଥିବାରୁ ବୈଠକରେ ମେୟର କ୍ଷୋଭ ପ୍ରକାଶ କରିଥିଲେ । ସାନିଟେସନ ମଲ୍ଟି ଟାସ୍କିଂ ଆସିଷ୍ଟାଣ୍ଟ ଦିନରାତି କାର୍ଯ୍ୟ କରୁଥିବାରୁ ସେମାନଙ୍କର ପାଉଣା ଚୁକ୍ତି ଅନୁଯାୟୀ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକକୁ ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ ।
ଆହୁରି ପଢନ୍ତୁ- Census 2027: ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ୨୦ ଦିନିଆ ପ୍ରି ଟେଷ୍ଟ୍
ବ୍ରେକଅପ୍ କରିବାକୁ ଚାହାଁନ୍ତି କି ? ଚୁଟକିରେ ସମ୍ପର୍କ ଭାଙ୍ଗିଦେବେ ବ୍ରେକଅପ୍ ଅଫିସର୍ !