ମୁମ୍ଵାଇ, ୦୭/୧୨ : ମହାରାଷ୍ଟ୍ରରରେ ନୂଆ ସରକାର ଶପଥ ନେବାପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ବଡ଼ ଆଶ୍ଵସ୍ତି। ଅଜତ ପାୱାରଙ୍କୁ ୧ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ଫେରାଇବ ଆୟକର ବିଭାଗ। ୨୦୨୧ ଅକ୍ଟୋବର ୭ରେ ଏହି ସମ୍ପତ୍ତି ଜବତ କରିଥିଲା ଆଇଟି। ପତ୍ନୀ ସୁନେତା ଏବଂ ପୁଅ ପର୍ଥଙ୍କ ସମ୍ପତ୍ତି ମଧ୍ୟ ଏଥିରେ ଥିଲା ସାମିଲ। ସେହି ସମୟରେ ଶରଦ ପାୱାରଙ୍କ ନେତୃତ୍ଵ ଏନସିପିରେ ଥିଲେ ଅଜିତ।
ଅଜିତ ପାୱାରଙ୍କୁ ଆୟକର ବିଭାଗ ଟ୍ରିବୁନାଲ୍ ପକ୍ଷରୁ କ୍ଲିନ୍ଚିଟ୍ ମିଳିଛି। ଟ୍ରିବୁନାଲ୍ କହିଛି ଯେ, ଅଜିତ ପାୱାରଙ୍କ ବିରୋଧରେ ଆୟକର ବିଭାଗ ସେଭଳି କିଛି ପ୍ରମାଣ ଉପସ୍ଥାପିନ କରିପାରିନି। କୌଣସି ପ୍ରକାରର ବେନାମୀ ନେଣଦେଣ ହୋଇଥିବା ଜଣାପଡ଼ିନି। ସମସ୍ତ ନେଣଦେଣ ବ୍ୟାଙ୍କ୍ ଦ୍ଵାରା କରାଯାଇଛି। ସେପଟେ ଅଜିତଙ୍କ ଓକିଲ କହିଛନ୍ତି ଯେ, ପାୱାର ପରିବାରର ସମ୍ପତ୍ତିରେ କୌଣସି ପ୍ରକାରର ଗଡ଼ବଡ଼ ନାହିଁ। ତାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସମସ୍ତ ନେଣଦେଣ ବୈଧ। ଆୟକର ବିଭାଗକୁ ମଧ୍ୟ ସେଭଳି କୌଣସି ପ୍ରମାଣ ମିଳିନି। ୨୦୨୧ ଅକ୍ଟୋବର ୭ରେ ଅଜିତ ପାୱାରଙ୍କ ସମସ୍ତ ସମ୍ପତ୍ତି ଜବତ କରିଥିଲା ଆଇଟି। ଦିଲ୍ଲୀର ଏକ ପ୍ଲାଟ୍, ସତାରାର ଚିନି ଫ୍ୟାକ୍ଟ୍ରି, ଗୋଆର ରେସର୍ଟ ଆଦି ସମ୍ପତ୍ତି ଜବତ କରିଥିଲା ଆୟକର ବିଭାଗ। ହେଲେ ଟ୍ରିବୁନାଲ୍ ପକ୍ଷରୁ ତାଙ୍କୁ କ୍ଲିନ୍ ଚିଟ୍ ମିଳିଛି। ୨୦୨୪ ନଭେମ୍ଵର ୫ରେ ଆୟକର ବିଭାଗର ପୁନର୍ବିଚାର ଯାଚିକା ଖାରଜ କରିଦେଇଛନ୍ତି ଟ୍ରିବୁନାଲ୍। ତେବେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ପାଖରେ ୧୨୪ କୋଟିର ସମ୍ପତ୍ତି ରହିଛି। ଏତଦ୍ ବ୍ୟତୀତ ତାଙ୍କ ନିକଟରେ ୧୪ ଲକ୍ଷ ୧୨ ହଜାର ନଗଦ କ୍ୟାସ୍ ଏବଂ ଆକାଉଣ୍ଟରେ ୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟାଙ୍କ ଜମା ରହିଛି। ଅଜିତ ପାୱାରଙ୍କ ଏକ ଟୋୟୋଟା କ୍ୟାମେରା, ହୋଣ୍ଡା ସିଆରବି, ୩ଟି ଟ୍ରେଲର ରହିଛି। ତାଙ୍କ ପତ୍ନୀଙ୍କ ନିକଟରେ ୧୦ ଲକ୍ଷ ଟଙ୍କାର ଏକ ଗାଡି ରହିଛି।