ନୋଏଡା: ଘଡି ଘଡିକେ ବଦଳୁଛି ବୟାନ। ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ତଥ୍ୟ। କେଉଁଟା ଠିକ କେଉଁଟା ଭୁଲ ତାହା ଠଉରାଇବା ହୋଇପଡିଛି ମୁସ୍କିଲ। ଗ୍ରେଟର ନୋଏଡାରେ ହୋଇଥିବା ନିକି ଭାଟି ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆନୂଆ କଥା ସାମ୍ନାକୁ ଆସୁଛି। ଏହି ପରିପ୍ରେକ୍ଷିରେ ଚିକିତ୍ସା ସମୟରେ ନିକି ଡାକ୍ତରଙ୍କୁ ଦେଇଥିବା ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ଘରେ ଗ୍ୟାସ ଟାଙ୍କି ଫାଟିବା କାରଣରୁ ତାଙ୍କ ଦେହରେ ନିଆଁ ଲାଗିଥିଲା ବୋଲି ସେ ନିଜ ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କୁ ଜଣାଇଥିଲେ ବୋଲି ସୂଚନା ମିଳିଛି। ଏନେଇ ନିକିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପୋଲିସକୁ ସୂଚନା ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।
ତେବେ ଆରମ୍ଭରୁ ନିକିଙ୍କ ସ୍ୱାମୀ ବିପିନ ଭାଟି ଓ ତାଙ୍କ ପିରବାର ଉପରେ ଯୌତୁକ ନିର୍ଯାତନା ଓ ତାଙ୍କ ଶରୀରରେ ନିଆଁ ଲଗାଇବା ଭଳି ସାଘାଂତିକ ଅଭିଯୋଗ ରହିଛି। ହେଲେ ଡାକ୍ତର ଓ ନର୍ସଙ୍କ ଦ୍ୱାରା ଜାରି ହୋଇଥିବା ନୂଆ ଷ୍ଟେଟମେଣ୍ଟ ଏହି ମାମଲାକୁ ଭିନ୍ନ ମୋଡ ଦେଇଛି। ଖାଲି ଏତିକି ନୁହେଁ ହସପିଟାଲ ମେମୋର୍ ମଧ୍ୟ ଘରେ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ପୀଡିତା ଜଣଙ୍କ ପୋଡି ଯାଇଛନ୍ତି ବୋଲି ଉଲ୍ଲେଖ ରହିଛି। ତେବେ ପୋଲିସକୁ ଏଯାଏ ତାଙ୍କ ଘରେ କୌଣସି ଗ୍ୟାସ ସିଲିଣ୍ଡର ଫାଟିବାର ପ୍ରମାଣ ମିଳିପାରିନାହିଁ। ହେଲେ ନିକିଙ୍କ ଏହି ବୟାନ ପଛର କାରଣ ଜାଣିବାକୁ ପୋଲିସ ନୂଆ ଦିଗରୁ ତଦନ୍ତ ଆରମ୍ଭ କରିଛି।
ଖବର ମୁତାବକ, ଚଳିତ ମାସ ୨୧ ତାରିଖରେ ଗ୍ରେଟର ନୋଏଡାରେ ରହୁଥିବା ନିକି ଭାଟିଙ୍କୁ ଯୌତୁକ ପାଇଁ ତାଙ୍କ ସ୍ୱାମୀ ଓ ଶ୍ୱସୁର ଘର ଲୋକ ମିଶି ନିଆଁ ଲଗାଇ ଦେଇଥିବା ନେଇ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୋର୍ଟିସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିବା ଜଣାପଡିଥିଲା।
ନିକିଙ୍କ ଭଉଣୀ କାଞ୍ଚନ ଭଟି ଏନେଇ ପ୍ରଥମେ ଥାନାରେ ଅଭିଯୋଗ କରିଥିଲେ। ଯେଉଁଥିରେ ନିକି ନିଜ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯାତନାର ଶିକାର ହେଉଥିଲେ ବୋଲି ଉଲ୍ଲେଖ ରହିଥିଲା। ଏନେଇ ସେ ସାମାଜିକ ଗଣମାଦ୍ୟମରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ବିପିନ ନିକିଙ୍କ ଚୁଟି ଭିଡି ତାଙ୍କୁ ମାଡ ମାରୁଥିବା ଦେଖାଯାଇଥିଲା। ଘଟଣା ଘଟିବା ଦିନ ସେ ଘରେ ହିଁ ଉପସ୍ଥିତ ଥିଲେ ହେଲେ ସେ ନିଜ ଭଉଣୀଙ୍କୁ ବଞ୍ଚାଇ ପାରିଲେ ନାହିଁ ବୋଲି ନିଜେ ବୟାନ ଜାରି କରିଛନ୍ତି। ୨୦୧୬ ମସିହାରେ ଦୁଇ ଭଉଣୀ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବାହା ହୋଇଥିଲେ।
ଏହି ମାମଲାରେ ପୋଲିସ ବିପିନ, ତାଙ୍କ ପିତାମାତା ଓ ଭାଇ ରୋହିତଙ୍କୁ ଗିରଫ କରିଥିଲା। ଗତ ରବିବାର ବିପିନ ପୋଲିସ କବଳରୁ ଖସି ପଳାଉଥିବା ସମୟର ଏନକାଉଣ୍ଟରରେ ଧରାପଡିଥିଲା।
ତେବେ ପୂର୍ବରୁ ମଧ୍ୟ ପରିବାରରେ ବିବାଦ ଲାଗି ରହିଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଯେଉଁଠି ଉଭୟ ଭଉଣୀ ପରିବାର ବିରୋଧରେ ଯାଇ ଏକ ପାର୍ଲର ଚଳାଇବା ସହ ଇନଷ୍ଟାଗ୍ରାମରେ ରିଲ୍ସ ପ୍ରସ୍ତୁତ କରୁଥିଲେ। ଯାହାକୁ ନେଇ ପୂର୍ବରୁ ମଧ୍ୟ ପରିବାରରେ ଅଶାନ୍ତି ଲାଗି ରହିଥିଲା ବୋଲି ଜଣାପଡିଛି।