ନୂଆଦିଲ୍ଲୀ, ୨୪/୦୭: ଭାରତର ସବୁଠୁ ବଡ଼ ଓ ହିଟ୍‌ ରିୟଲିଟି ଶୋ’ ‘ବିଗ୍‌ ବସ୍‌’ । ସବୁ ବର୍ଷ ଭଳି ଏ ଥର ବି ଶୋ’କୁ ନେଇ ଜୋର୍‌ଦାର କ୍ରେଜ୍‌ ଦେଖିବାକୁ ମିଳୁଛି । ‘ବିଗ୍‌ ବସ୍‌-୧୯’ର ଔପଚାରିକ ଘୋଷଣା ପୂର୍ବରୁ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଶୋ’ର ପ୍ରତିଯୋଗୀଙ୍କୁ ନେଇ ମଧ୍ୟ ଅନେକ ଷ୍ଟାର୍‌ଙ୍କ ନାଁ ଚର୍ଚ୍ଚାରେ ରହିଛି । ଏହି କ୍ରମରେ ଚର୍ଚ୍ଚା ହେଉଛି, ଲୋକପ୍ରିୟ ଟିଭି ଅଭିନେତ୍ରୀ ମୀରା ଦେବସ୍ଥଲେ ‘ବିଗ୍‌ ବସ୍‌-୧୯’ରେ ଆସିପାରନ୍ତି । ‘ଉଡ଼ାନ’ ଫେମ୍‌ ମୀରାଙ୍କ ନାଁ ଶୋ’ ପାଇଁ ଚୂଡ଼ାନ୍ତ ହୋଇଥିବା ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏହି ଖବର ଶୁଣି ମୀରାଙ୍କ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ । 

ତେବେ ମୀରା ଏ ବିଷୟରେ ସ୍ପଷ୍ଟ କରିନାହାନ୍ତି । ୨୯ ବର୍ଷୀୟା ମୀରା ୨୦୧୪ରେ ଅଭିନୟ ଦୁନିଆରେ ଏଣ୍ଟ୍ରି କରିଥିଲେ । ସର୍ବପ୍ରଥମେ ସେ ‘ସସୁରାଲ ସିମର୍‌ କା’ ଧାରାବାହିକରେ ଆସିଥିଲେ । କିନ୍ତୁ ୨୦୧୬ର ଧାରାବାହିକ ‘ଉଡ଼ାନ୍‌’ରୁ ତାଙ୍କୁ ଖ୍ୟାତି ମିଳିଲା । ଏଥିରେ ଚକୋର ଭୂମିକା ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲେ । ଏହି ଧାରାବାହିକ ତାଙ୍କ କ୍ୟାରିଅର୍‌ର ମୁଖ୍ୟ ଟର୍ନିଂ ପଏଣ୍ଟ୍‌ ହେଲା । ତା’ପରେ ସେ ‘ବିଦ୍ୟା’, ‘ଗୁଡ୍‌ ସେ ମିଠା ଇଶ୍‌କ’ ସମେତ ଅନେକ ଧାରାବାହିକରେ ଆସିଲେ । କିନ୍ତୁ ସେସବୁକୁ ‘ଉଡ଼ାନ୍‌’ ଭଳି ସଫଳତା ମିଳିଲା ନାହିଁ । ଏବେ ଯଦି ସେ ସଲମାନଙ୍କ ‘ବିଗ୍‌ ବସ୍‌୧୯’ରେ ସାମିଲ ହୁଅନ୍ତି, ତାଙ୍କ କ୍ୟାରିଅର୍‌ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମୋଡ଼ ହେବ । ‘କୁଣ୍ଡଲୀ ଭାଗ୍ୟ’ ଫେମ୍‌ ଶ୍ରଦ୍ଧା ଆର‌୍ୟା ଓ ଅଭିନେତା ଧୀରଜ ଧୂପରଙ୍କୁ ମଧ୍ୟ ‘ବିଗ୍‌ ବସ୍‌-୧୯’ ଅଫର୍‌ ମିଳିଥିବା ଚର୍ଚ୍ଚା ହେଉଛି । ଧନଶ୍ରୀ ବର୍ମାଙ୍କ ବିଗ୍‌ ବସ୍‌ ଏଣ୍ଟ୍ରି ଖବର ମଧ୍ୟ ରହିଛି । ଆସନ୍ତା ଅଗଷ୍ଟରେ ଶୋ’ ଆରମ୍ଭ ହେବ ବୋଲି କୁହାଯାଉଛି । କିନ୍ତୁ ଅଦ୍ୟାବଧି କୌଣସି ପ୍ରୋମୋ ଆସିନାହିଁ ।