ପାଟନା,୨୯/୦୬: ଦେଶରେ ପ୍ରଥମ  ଥର ପାଇଁ ମୋବାଇଲ ଆପ୍‌ରେ ମତଦାନ  ହୋଇଛି । ଶନିବାର ବିହାରର ୨୬ ଜିଲ୍ଲାର ୪୨ ନଗରପାଳିକାରେ ଉପନିର୍ବାଚନ ହୋଇଥିଲା ।  ଏଥିରେ ମତଦାତାଙ୍କୁ ମୋବାଇଲ୍‌ ଆପ୍‌ ଦ୍ୱାରା  ଭୋଟ ଦେବାକୁ ସୁଯୋଗ ମିଳିଥିଲା । ଭୋଟ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ ଅସମର୍ଥ ଥିବା ଲୋକମାନେ କିଭଳି ସହଜରେ ମତାଧିକାର  ସାବ୍ୟସ୍ତ କରିପାରିବେ, ସେଥିପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଛି । ଭୋଟିଂ ଲାଗି ଦୁଇଟି ଆପ୍‌  ଶୁଭାରମ୍ଭ କରାଯାଇଛି । ଏହି ସୁବିଧାର ଲାଭ  ଉଠାଇବାକୁ ଚାହିଁଥିବା ଲୋକମାନେ ପଞ୍ଜୀକରଣ  କରାଇଥିଲେ । 

ନିର୍ବାଚନ କମିଶନଙ୍କ ମୁତାବକ,  ଇ-ଭୋଟିଂ ପାଇଁ ୫୦ ହଜାରରୁ ଅଧିକ  ଲୋକ ପଞ୍ଜୀକରଣ କରାଇଥିଲେ । ସକାଳ  ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଇ-ଭୋଟିଂ  ଚାଲିଥିଲା । ଦୁବାଇ, କତାର ଭଳି ଦେଶରେ  ରହୁଥିବା ପ୍ରବାସୀ ବିହାରୀମାନେ ମଧ୍ୟ ଆପ୍‌  ଜରିଆରେ ଭୋଟ୍‌ ଦେଇଛନ୍ତି । ମୋତିହାରୀର  ବିଭା ଆପ୍‌ ଦ୍ୱାରା ପ୍ରଥମେ ଭୋଟ୍‌ ଦେଇଥିଲେ ।  ଏହାଦ୍ୱାରା ସେ ଦେଶର ପ୍ରଥମ ଇ-ଭୋଟର  ବିବେଚିତ ହୋଇଛନ୍ତି । 

ସୂଚନାଯୋଗ୍ୟ,  ବିହାରର ୨୬ ଜିଲ୍ଲାରେ ୪୨ ନଗରପାଳିକାରେ  ୬୨.୪୧% ମତଦାନ ହୋଇଛି । ଏଥିରୁ ୬ଟି  ନଗରପାଳିକାରେ ପାଇଲଟ୍‌ ପ୍ରକଳ୍ପ ଭାବେ  ଇ-ଭୋଟିଂ ହୋଇଥିଲା । ଏହି ଇ-ଭୋଟିଂ  ବ୍ୟବସ୍ଥାକୁ ସି-ଡିଏସି ଓ ବିହାର ରାଜ୍ୟ ନିର୍ବାଚନ  କମିଶନ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ପ୍ରଥମ  ଆପ୍‌ ‘ଇ-ଭୋଟିଂ ଏସ୍‌ଇସିବିଏଚ୍‌ଆର’କୁ  ସି-ଡିଏସି ବନାଇଛି । ଅନ୍ୟ ଆପ୍‌କୁ ବିହାର  ନିର୍ବାଚନ କମିଶନ ଦ୍ୱାରା ପ୍ରସ୍ତୁତ କରାଯାଇଛି ।  ପ୍ରବାସୀ ଶ୍ରମିକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ,  ଗର୍ଭବତୀ ମହିଳା ଓ ଗୁରୁତର ଭାବେ ରୋଗଗ୍ରସ୍ତ  ଲୋକମାନେ ଏଥିରେ ଭୋଟ ଦେଇପାରିବେ