ଭୁବନେଶ୍ୱର,୧୬/୦୪: ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ମଇଦାନକୁ ଓହ୍ଲାଇଛି । ଏହାସହ ଓଡ଼ିଶା ରାଜନୀତିରେ ଆଉ ଏକ ଆଞ୍ଚଳିକ ଦଳର ଅଭ୍ୟୁଦୟ ହୋଇଛି । ଆଗକୁ ‘ବିଜୁ ଲିଗାସି’କୁ ନେଇ କିଛି ବଡ଼ ରାଜନୈତିକ ହଟଚମଟ ଦେଖିପାରେ ଓଡ଼ିଶା । ବିଜେଡିରୁ ବିତାଡ଼ିତ ଓ ଦୂରେଇ ଯାଇଥିବା କିଛି ହେଭିୱେଟ ନେତା ଏବେ ରାଜ୍ୟ ରାଜନୀତି ପାଣି ପରଖୁଛନ୍ତି । କିଛି ମାସ ଭିତରେ ବିଜୁ ଲିଗାସିର ନାରା ଦେଇ ମଇଦାନକୁ ଡେଇଁପାରେ ଆଉ ଏକ ଆଞ୍ଚଳିକ ଦଳ ।
କ୍ଷମତାରୁ ହଟିବା ପରେ ରାଜ୍ୟର ସବୁଠାରୁ ବଳୁଆ ସଂଗଠନଧାରୀ ବିଜେଡିର ଗଡ଼ ଓ ବଳ ଭାଙ୍ଗିବାରେ ଲାଗିଛି । ଏପଟେ ୨୬ ବର୍ଷ କ୍ଷମତା ବାହାରେ ରହିବା ସତ୍ତେ୍ୱ କଂଗ୍ରେସର ହାତ ଏକାଠି ହୋଇପାରୁନି । ଏମିତି ଏକ ସ୍ଥିତିରେ ନୂଆ ଆଞ୍ଚଳିକ ଦଳ ଗଢ଼ିବାକୁ ବହୁ ଭେଟେରାନ ନେତା ଲାଗି ପଡ଼ିଛନ୍ତି । ଆଜି ପ୍ରଥମ ଦଫାରେ ମୋକିମଙ୍କ ଓଜେସିର ମୂଳଦୁଆ ପଡ଼ିଲା । ହଜାର ହଜାର ଲୋକଙ୍କୁ ନେଇ ପ୍ରଦର୍ଶନୀ ପଡ଼ିଆରେ ମୋକିମ ଶକ୍ତି ପ୍ରଦର୍ଶନ କଲେ । କୌଣସି ବଡ଼ ନେତା ଏଯାଏଁ ମୋକିମଙ୍କ ହାତ ଧରିନାହାନ୍ତି । ହେଲେ ମୋକିମ କହୁଛନ୍ତି, ତାଙ୍କ ଦଳରେ ବହୁ ଯୁବବର୍ଗ ସାମିଲ ହେଉଛନ୍ତି । ଅନ୍ୟପଟେ ଆସନ୍ତା ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟ ରାଜନୀତିରେ ଉଲ୍ଲେଖନୀୟ ଘଟଣାକ୍ରମ ଦେଖିବାକୁ ମିଳିବ । ଗୋଟିଏ ପଟେ ଶଙ୍ଖ ଭବନ ସମେତ ସମଗ୍ର ରାଜ୍ୟରେ ବିଜେଡି ବିଜୁଙ୍କ ପାଇଁ ସଭା ଓ ରକ୍ତଦାନ ଶିବିର କରିବ । ଅନ୍ୟପଟେ ଭୁବନେଶ୍ୱରର ଓୟୁଏଟି ସମ୍ମିଳନୀ କକ୍ଷରେ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ସୌମ୍ୟ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ରବି ପାଣି ପ୍ରମୁଖ ବିଜୁଙ୍କ ସ୍ମୃତିଚାରଣ କରିବେ ।
ରାଜନୈତିକ ବ୍ୟକ୍ତି ବିଶେଷଙ୍କଠାରୁ ନେଇ ବିଭିନ୍ନ କ୍ଷେତ୍ରର ସୁନାମଧନ୍ୟ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବେ । ଓଡ଼ିଶା ନାଗରିକ ମଞ୍ଚ ବ୍ୟାନର ତଳେ ଏହି କାର୍ଯ୍ୟକ୍ରମ ହେବ । ଏହା ପଛରେ କିଛି ଲିଗାସି ରାଜନୀତି ନାହିଁ ବୋଲି ସବୁ ଆୟୋଜକ ନେତାଏ ସ୍ପଷ୍ଟ କରିଛନ୍ତି । ମାତ୍ର ବିଜୁ ଲିଗାସିକୁ ନେଇ ଏମାନେ ଯେ ଆଗକୁ କିଛି ବଡ଼ କରିବାକୁ ଯାଉଛନ୍ତି, ତାହାର ଆଭାସ ମିଳିସାରିଛି । ସୂତ୍ର ଅନୁସାରେ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଏହି ଗୋଷ୍ଠୀ ସହ ଯୋଡ଼ି ହୋଇ ରହିଛନ୍ତି । ଦଳ ଭିତରେ ଅସନ୍ତୁଷ୍ଟ ଥିବା ନେତାଏ ବି ସମ୍ପର୍କରେ ଅଛନ୍ତି । କେବଳ ସୁଯୋଗକୁ ଅପେକ୍ଷା । ସମ୍ଭବତଃ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମଞ୍ଚ ନୂଆ ସାମ୍ମୁଖ୍ୟ ରୂପ ନେଇପାରେ । ଯେମିତି ମୋକିମଙ୍କ ଦଳ କଂଗ୍ରେସର ଭୋଟ ବ୍ୟାଙ୍କକୁ ସିଧା କ୍ଷତିଗ୍ରସ୍ତ କରିବା ଆଶଙ୍କା ରହିଛି, ସମ୍ଭାବ୍ୟ ସାମ୍ମୁଖ୍ୟ ବିଜେଡିର ବିଜୁ ଲିଗାସି ଭୋଟ ଭାଙ୍ଗିବ ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ :- ନବୀନ ପଟ୍ଟନାୟକଙ୍କ ଚିଠିରେ ଆଇନ ମନ୍ତ୍ରୀଙ୍କ ଜବାବ : 'ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ କରିବା ତାଙ୍କୁ ଶୋଭା ଦେଉନି'
ଏବେ ପ୍ରଶ୍ନ ଉଠିଛି, ଓଡ଼ିଶାରେ କ’ଣ ନୂଆ ଆଞ୍ଚଳିକ ଦଳ ପାଇଁ ଏତେ ପର୍ଯ୍ୟାପ୍ତ କ୍ଷେତ୍ର ମୁକୁଳା ପଡ଼ିଛି? ୧୯୯୭ରେ ବିଜେଡି ଗଠନ ବେଳର ସ୍ଥିତି ଭିନ୍ନ ଥିଲା । ସାମ୍ନାରେ ଏକମାତ୍ର ପ୍ରତିପକ୍ଷ ଥିଲା କଂଗ୍ରେସ । ବିଜୁଙ୍କ ପରେ ଜନତା ଦଳ ସ୍ଥିତି ହିଁ ଦୋହଲି ଯାଇଥିଲା । କେନ୍ଦ୍ରରେ କ୍ଷମତାସୀନ ବିଜେପି ସହଯୋଗ ଦେଇଥିଲା । ବିଜୁଙ୍କ ଅବର୍ତ୍ତମାନରେ ତାଙ୍କ ପୁଅ ଭାବେ ନବୀନଙ୍କ ପ୍ରତି ଓଡ଼ିଶାବାସୀ ଅକୁଣ୍ଠ ସମର୍ଥନ ବର୍ଷା କରିଥିଲେ । ଏବେ ସ୍ଥିତି ପୂରା ଭିନ୍ନ । ଶାସନରେ ଅଛି ଶକ୍ତିଶାଳୀ ବିଜେପି । ୨ ନମ୍ବରରେ ଥିବା ବିଜେଡି ସାଂଗଠନିକ ଦୃଷ୍ଟିକୋଣରୁ ଏବେ ବି ବେଶ୍ ଶକ୍ତିଶାଳୀ । ନବୀନଙ୍କ କ୍ରେଜ୍ ଆଜି ମଧ୍ୟ ରହିଛି । ସେହିପରି ୩ ନମ୍ବରରେ ଥିବା କଂଗ୍ରେସ ତା’ର ସଂଘର୍ଷ ଜାରି ରଖିଛି । ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସ ଯେମିତି ଏକାଠି ହେଲେ, ଆଗକୁ ମିଶିଲେ ନୂଆ ସମୀକରଣ ସୃଷ୍ଟି ହୋଇପାରେ । ବର୍ତ୍ତମାନ ସ୍ଥିତିରେ ନୂଆ ଆଞ୍ଚଳିକ ଦଳ ଉଭା ହେଲେ, ୪ ନମ୍ବର କିମ୍ବା ୫ ନମ୍ବର ସ୍ଥାନରୁ ରେସ୍ ଆରମ୍ଭ କରିବ । କେବଳ ଅର୍ଥ ବଳ କିମ୍ବା ବଡ଼ ନେତାଙ୍କ ମେଳି ନୁହେଁ, ତୃଣମୂଳ ସ୍ତରରେ ଶକ୍ତିଶାଳୀ କ୍ୟାଡର ବି ଦରକାର ପଡ଼ିବ । ଏମିତିରେ ଆସନ୍ତା ୧୭ ତାରିଖରେ କିଛି ନୂଆ ଦୃଶ୍ୟପଟ୍ଟ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ଲାଗୁଛି।