ଦାରିଙ୍ଗବାଡ଼ି,୩୧/୦୧: ବାଇକ୍‌ ରଖି ଡାକ୍ତରଖାନା ଭିତରକୁ ଯାଇଥିଲେ ମଜେଶ ବଡ଼ମାଝି । ଡାକ୍ତରଙ୍କ ପରାମର୍ଶ ପରେ ଫେରିଲା ବେଳକୁ ବାଇକ୍‌ ନାହିଁ । ବାଇକ୍‌ ରଖିବାର ତିନି ମିନିଟ୍‌ ମଧ୍ୟରେ ଦୁର୍ବୃତ୍ତ ବାଇକ୍‌ ଚୋରି କରି ଛୁ ହୋଇଯାଇଥିବା ସିସି କ୍ୟାମେରାରେ ଦୃଶ୍ୟ କଏଦ ହୋଇଛି । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡାକ୍ତରଖାନାରେ । ଆଡ଼ବା ଥାନା ବିଥଲ ଗ୍ରାମର ମଜେଶ ବଡ଼ମାଝୀ ଦାରିଙ୍ଗବାଡ଼ି ସାରିଙ୍ଗ୍ର ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ତାଙ୍କ ପୁଅ ଆୟୁଷ ବଡ଼ମାଝୀଙ୍କ ଦାନ୍ତ ବଥା ହେଉଥିବାରୁ ସୋମାବାର ସକାଳ ୮ ଟାରେ ଦାରିଙ୍ଗବାଡ଼ ଡାକ୍ତରଖାନା ଯାଇଥିଲେ । ଡାକ୍ତରଖାନା ପରିସରରେ ବାଇକ୍‌ ରଖି ଡାକ୍ତରଙ୍କ ପାଖକୁ ଯାଇଥିଲେ । 

ଡାକ୍ତରଙ୍କ ପରାମର୍ଶ ପରେ ବାହାରୁ ଆସି ବାଇକ୍‌ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସିସି ଟିଭିରେ ବାଇକ୍‌ ଚୋରି କରିବା ଦୃଶ୍ୟ କଏଦ ହୋଇଛି । ଦୁର୍ବୃତ୍ତ ଜଣଙ୍କ ଟୋପି ପିନ୍ଧି ଥିବା ବେଳେ ମୁହଁରେ କଳା ମାସ୍କ ପିନ୍ଧି‌‌ଥିବା ଦେଖିବାକୁ ମିଳିଛି। ବାଇକ୍‌ ରଖି ଯିବାର ୩ ମିନିଟ ମଧ୍ୟରେ ଚୋରି ହୋଇଯାଇଛି। ମଜେଶ ଏନେଇ ଦାରିଙ୍ଗବାଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି ।