ଭୁବନେଶ୍ୱର, ୨୩/୦୩ : ଭୁବନେଶ୍ୱରରେ ମାତିଛନ୍ତି ବାଇକ୍‌ ଚୋର । ଥାନା ପାଖ ହେଉ କି ହସ୍ପିଟାଲ୍‌ । ଆଖି ପିଛୁଳାକେ ଚୋରି କରି ନେଉଛନ୍ତି ବାଇକ୍‌ । ପୁଲିସ୍‌ ରିପୋର୍ଟ କହୁଛି ଗତ ବର୍ଷକ(୨୦୨୫) ମଧ୍ୟରେ ୧୦୯୭ଟି ବାଇକ୍‌ ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି । ଦିନକୁ ହାରାହାରି ୩ରୁ ଅଧିକ ବାଇକ୍‌ ଚୋରି ହେଉଛି । ପୁଲିସ୍‌ ଅଭିଯୁକ୍ତଙ୍କୁ ଧରି ସେମାନଙ୍କ ଠାରୁ ମାତ୍ର ୨୧୮ଟି ବାଇକ୍‌ ଜବତ କରିଛି । ଅନ୍ୟ ଗାଡ଼ି ବିଷୟରେ ପୁଲିସ୍‌ ପାଖରେ କୌଣସି ସୂଚନା ନାହିଁ ।

୨୦୨୫ ମସିହାର ପୁଲିସ୍‌ ରିପୋର୍ଟ କହୁଛି ଦିନକୁ ପାଖା ପାଖି ୩ଟି ଗାଡ଼ି ଚୋରି ହେଉଛି । ପ୍ରକୃତରେ ଏହା ଠାରୁ ଢେର ଅଧିକ ଚୋରି ହେଉଛି । ସବୁ ବାଇକ୍‌ ଚୋରିରେ ପୁଲିସ୍‌ ମାମଲା ରୁଜୁ କରୁନାହିଁ । ବୀମା ନଥିବା ବାଇକ ଚୋରି ହେଲେ ପୁଲିସ୍‌ ମାମଲା ରୁଜୁ କରିବାକୁ ମନା କରି ଦେଉଛି । ଯଦି ବରିଷ୍ଠ ଅଧିକାରୀଙ୍କ ଚାପ ପଡ଼ିଲେ ପୁଲିସ ମାମଲା ରୁଜୁ କରୁଛି । ଭୁବନେଶ୍ୱର ବିଭିନ୍ନ ଥାନାରୁ ଦିନକୁ ୧୦ରୁ ୧୫ ବାଇକ୍‌ ଚୋରି ହେଉଛି । ସର୍ବାଧିକ ଚୋରି କ୍ୟାପିଟାଲ୍‌ ଓ ଖଣ୍ଡଗିରି ଥାନା ଅଞ୍ଚଳରୁ ହେଉଛି । ଚୋରି ବାଇକକୁ କବାଡ଼ିଖାନାରେ କାଟି ଖଣ୍ଡ ଖଣ୍ଡ କରିବା ପରେ ତାକୁ ପଶ୍ଚିମବଙ୍ଗ ପଠାଇ ଦିଆଯାଉଛି । ଏମ୍‌ସ୍‌ ପାଖରେ ଥିବା କବାଡିଖାନା, ମାଳିସାହିରେ ଥିବା କବାଡିଖାନା, ଜଗତପୁରରେ ଥିବା ବଡ଼ କବାଡିଖାନାରେ ଭୁବନେଶ୍ୱର ଓ କଟକରୁ ଚୋରି ହୋଇଥିବା ବାଇକ୍‌ କାଟି ରାଜ୍ୟ ବାହାକୁ ଚାଲାଣ ହେଉଛି । ଏ ବିଷୟରେ ପୁଲିସ୍‌ ନିକଟରେ ସୂଚନା ଅଛି ହେଲେ କବାଡିଖାନାରେ ଚଢ଼ଉ କରିବାକୁ ଦମ୍‌ ଯୁଟାଇ ପାରୁନି ।

ପୂର୍ବରୁ ପୁଲିସ୍‌ ୨/୩ ଥର ଚଢ଼ଉ ଉଦ୍ୟମ କରି ଫେଲ୍‌ ମାରିଛି । କବାଡ଼ିଖାନା ଭିତରକୁ ପୁଲିସ ଗଲେ ସେମାନେ ଢେଲା ପଥର ମାଡ଼ କରନ୍ତି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହନ୍ତି । କବାଡ଼ିଖାନାରେ ଗୋଟିଏ ବାଇକ୍‌କୁ କାଟିବାକୁ ମାତ୍ର ୩୦ ମିନିଟ୍‌ରୁ କମ୍‌ ସମୟ ଲାଗୁଛି । ଖାଲି ବାଇକ୍‌ ନୁହେଁ କାର୍‌, ଅଟୋ ଓ ଟ୍ରକ୍‌କୁ ବି କାଟି ରାଜ୍ୟ ବାହାରକୁ ପଠାଇ ଦିଆଯାଉଥିବା ଜଣାପଡ଼ିଛି । ପୁଲିସ୍‌ର ଅପାରଗତା ପାଇଁ କବାଡ଼ିଖାନା ଚଳାଉଥିବା ଚୋରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । 

ଏହି ଖବରଟିକୁ ପଢନ୍ତୁ- ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପକାଇବ ନିଲମ୍ବନ, ସମାନ୍ତରାଳ ପ୍ରାର୍ଥୀ ଦେବେ ନିଲମ୍ବିତ ବିଧାୟକ