ମାଲକାନଗିରି /ମାଥିଲି,୧୪/୨ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିପର ଧକ୍କାରେ ଜଣେ ବାଇକ୍ ଆରୋହୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ମାଥିଲି ସଦର ଉପରସାହିର କେଶବ ଗୌଡ(୨୮) ବୋଲି ଜଣାପଡିଛି । ଗୁରୁତର ରାଜେନ୍ଦ୍ର ମାଡପାଲିଆ(୧୮)ଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ମାଲକାନଗିରିଠାରୁ ଗୋବିନ୍ଦପାଲି ଅଭିମୁଖେ ଏକ ଚିପ୍ସ ବୋଝେଇ ଟିପର ଯାଉଥିଲା । ଏହି ସମୟରେ ଉଦୁଲିବେଡା ନିକଟରେ ଏକ ଟିପର ବାଇକକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେଶବ ଜଣେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇବା ଦେବା ଦାବିରେ ଉତ୍ୟକ୍ତ ଲୋକେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ଘଟଣାସ୍ଥଳରେ ମାଥିଲି ପୁଲିସର ତଦନ୍ତ ଆରମ୍ଭ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ଆଜି ସନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ମାଥିଲି ଥାନା ଅଧିକାରୀଣୀ ଦୀପାଞ୍ଜଳି ପ୍ରଧାନ ପ୍ରକାଶ କରିଛନ୍ତି।