ନୂଆଦିଲ୍ଲୀ,୧୪/୦୮: ସୁନା ପରେ ଏବେ ସରକାର ରୁପା ଗହଣାର ହଲ୍‌ମାର୍କିଂକୁ ଲାଗୁ  କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପ୍ଟେମ୍ବର ୧ରୁ ବ୍ୟବସାୟୀଙ୍କ ପାଇଁ ଏହାକୁ ଇଚ୍ଛାମୂଳକ ଆଧାରରେ ଲାଗୁ କରାଯିବ । ସୁନା ଭଳି ଏହା ୬ ଗ୍ରେଡ୍‌ ରୁପା  ଗହଣା ଉପରେ ଲାଗୁ ହେବ । ଚାନ୍ଦି ଉପରେ ୬  ଅଙ୍କବିଶିଷ୍ଟ ଏଚ୍‌ୟୁଆଇଡି ହଲ୍‌ମାର୍କିଂ କାର୍ଯ୍ୟକାରୀ  ହେବ । ହଲ୍‌ମାର୍କିଂରୁ ଶୁଦ୍ଧତାର ଗ୍ୟାରେଣ୍ଟି ମଳିଥାଏ ।  

ଏହା ଦର୍ଶାଇଥାଏ ଯେ, ଗହଣାରେ ଦିଆଯାଇଥିବା  ରୁପା କେତେ ଶୁଦ୍ଧ । ଏହାଦ୍ୱାରା ଗ୍ରାହକଙ୍କ ଭରସା  ବଢ଼ିଥାଏ । ସରକାର ୨୦୨୪ ଏପ୍ରିଲ ୧ରୁ ସୁନା ଏବଂ ଏହାର ଆଭୁଷଣ ଉପରେ ଅନିବାର୍ଯ୍ୟ ଭାବେ  ହଲ୍‌ମାର୍କିଂ ଲାଗୁ କରିଥିଲେ । ହଲ୍‌ମାର୍କିଂ ଏକ ପ୍ରକାର  ସରକାରୀ ପ୍ରମାଣପତ୍ର, ଯାହା ଗ୍ୟାରେଣ୍ଟି ଦେଇଥାଏ  ଯେ, ରୁପା କିମ୍ବା ସୁନା ଗହଣା କେତେ ଶୁଦ୍ଧ । ଯେପରି  ସୁନାରେ ୨୨ କ୍ୟାରେଟ୍‌ କିମ୍ବା ୧୮ କ୍ୟାରେଟ୍‌ର  ହଲ୍‌ମାର୍କିଂ ହୋଇଥାଏ ସେହିଭଳି ଭାବେ ଏବେ ରୁପାରେ ବି ସ୍ୱତନ୍ତ୍ର ଚିହ୍ନ ରହିବ ।  

ଏହି ହଲ୍‌ମାର୍କିଂକୁ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍‌) ଚେକ୍‌ କରିଥାଏ । ସେପ୍ଟେମ୍ବର ୧ରୁ ରୁପା ହଲ୍‌ମାର୍କିଂ ଲାଗୁ ହେବ । ପ୍ରାରମ୍ଭରେ ଏହା ଗହଣା ବ୍ୟବସାୟୀଙ୍କ ପାଇଁ ଇଚ୍ଛାମୂଳକ ରହିବ । କିନ୍ତୁ ପରେ ଏହାକୁ ଅନିବାର୍ଯ୍ୟ କରାଯିବ ।