ଭୁବନେଶ୍ୱର,୧୫/୧୧ : ଦେଢ଼ ବର୍ଷରୁ ଅଧିକ ଦିନ ହେଲାଣି ସମୟ ଅବଧି ସରିଲାଣି । ନିର୍ମାଣକାରୀ ସଂସ୍ଥା ମଧ୍ୟ ଅର୍ଥ ନେଇଗଲାଣି । ହେଲେ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି। ଏଣେ ହଷ୍ଟେଲରେ ସିଟ୍‌ ଖଣ୍ଡେ ପାଇଁ ବାରଦ୍ୱାର ହେଉଛନ୍ତି ପିଲା । କଲେଜ କର୍ତ୍ତୃପକ୍ଷ ବି ହାତ ଟେକି ଦେଇଛନ୍ତି । ଏ ହେଉଛି ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ଦୃଶ୍ୟ । କେବଳ ଯେ ଛାତ୍ରାବାସ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଛି ତାହା ନୁହେଁ ବଂର କଲେଜର ଛାତ୍ରୀନିବାସ କାର୍ଯ୍ୟ ବର୍ଷେ ହେଲାଣି ନିର୍ମାଣ ସରିଲାଣି କିନ୍ତୁ ପିଲାମାନେ ରହିବା ପାଇଁ ଅନୁମତି ମିଳିନି । 

୪ ବର୍ଷ ତଳୁ ବକ୍ସି ଜଗବନ୍ଧୁ ସ୍ୱଂୟଶାସିତ କଲେଜରେ ୬୦୦ ଶଯ୍ୟା ବାଳକ ହଷ୍ଟେଲ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ହଷ୍ଟେଲ୍‌ ନିର୍ମାଣ ଟେଣ୍ଡର ଅବଧି ସରିଲାଣି । ଟେଣ୍ଡର ଅର୍ଥରାଶି ଠିକାସଂସ୍ଥା ନେଇସାରିଲାଣି । ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରିଲା ନାହିଁ । ୬୦୦ ବେଡ୍‌ର ବାଳକ ହଷ୍ଟେଲ୍‌ (ଜିତ୍କ୪) ନିର୍ମାଣ ଦାୟିତ୍ୱ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ୍‌ (ଓଏସ୍‌ଆଇସିଏଲ୍‌) କୁ ଦିଆଯାଇଛି । ନିର୍ମାଣ ଅବଧି ଦେଢ଼ ବର୍ଷ ହେଲାଣି ସରିଲାଣି ହେଲେ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି । କେବଳ ଏତିକି ନୁହେଁ ଗତ ବର୍ଷ ଏହି ହଷ୍ଟେଲର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗ ନିର୍ମାଣକାରୀ ସଂସ୍ଥାକୁ ପ୍ରଶ୍ନ କରିଥିଲା । ଉଲ୍ଲେଖ କରିଥିଲେ ୨୩ କୋଟି ୨୧ ଲକ୍ଷ ୬୭ ହଜାର ୩୨୦ ଟଙ୍କା ଅନୁଦାନ ଦିଆଯାଇଥିଲା । ହେଲେ ଏହି ଅର୍ଥ କଣ ଖର୍ଚ୍ଚ କରିଛ ? ତାର ଖର୍ଚ୍ଚ ଦିଅ ବୋଲି କହିଥିଲା । ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ବି କାର୍ଯ୍ୟର ଅଗ୍ରଗତି ହୋଇନି । ସେହି ଧିମେଇ ଚାଲିଛି । 

ଅନ୍ୟପଟେ ବାସ୍ତବରେ ଦେଖିବାକୁ ଗଲେ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ହଷ୍ଟେଲର ଭିତର କାର୍ଯ୍ୟ ଶେଷ ହୋଇନି । ଫଳରେ ଏହାକୁ ନିର୍ମାଣ କାରୀ ସଂସ୍ଥା ହସ୍ତାନ୍ତର କରିନାହିଁ ।  ସେହିପରି ୨୦୨୦ ମସିହାରେ ବିଜେବି କଲେଜରେ ଏକ ୫୮୫ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ (ଜିତ୍କ୭) ନିର୍ମାଣ ପାଇଁ ଯୋଜନା କରାଗଲା । ନିର୍ମାଣ ଦାୟିତ୍ୱ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଲିମିଟେଡ୍‌କୁ ଦିଆଗଲା । ଟେଣ୍ଡର କରି ନିର୍ମାଣ କାର୍ଯ୍ୟ ସେହି ଓଏସ୍‌ଆଇସିଏଲ୍‌କୁ ଦିଆଗଲା । ନିର୍ମାଣ କାର୍ଯ୍ୟ ବର୍ଷେ ହେଲାଣି ସରିଲାଣି । ହେଲେ ହସ୍ତାନ୍ତର ହୋଇନାହିଁ । ଗତ ମାସରେ ଏହି ବାଳିକା ହଷ୍ଟେଲ ପାଇଁ ଫର୍ଣ୍ଣିଚର କିଣିବା ପାଇଁ ଅର୍ଥ ଅନୁମୋଦନ ମିଳିଛି । 

କଲେଜର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଏହାର ହସ୍ତାନ୍ତର ୪ ଦିନ ତଳେ ମିଳିଛି । ପିଲାଠୁ ହଷ୍ଟେଲ ପାଇଁ ଆବେଦନ ଗ୍ରହଣ କରାଯିବ । ଏହି ଆଧାରରେ ଆବଣ୍ଟନ କରାଯିବ । ସେହିପରି ବାଳକ ହଷ୍ଟେଲରେ ଅଗ୍ନି ନିରାପତ୍ତା ଅନୁମତି ମିଳିନାହିଁ, ସେହିପରି ରୁମ୍‌ ନମ୍ବରିଂ ହୋଇନି, କିଛି ସ୍ଥାନରେ ସୂଚନା ଫଳକରେ ତ୍ରୁଟିପୂର୍ଣ୍ଣ ଲେଖା ଥିବାରୁ ଏହାକୁ ସଂଶୋଧନ କରିଯିବା । ଆସନ୍ତା ୧୫ ଦିନ ମଧ୍ୟରେ ଏସବୁ କାର୍ଯ୍ୟ ସରି ହଷ୍ଟେଲ ଆବଣ୍ଟନ କରାଯିବ ।  ଅନ୍ୟପଟେ ଜଣେ ଅଧ୍ୟାପକ କହିଛନ୍ତି, ନିର୍ମାଣକାରୀ ସଂସ୍ଥାର ଠିଲା ପଣ ପାଇଁ ଛାତ୍ରଛାତ୍ରୀମାନେ ହଇରାଣର ଶିକାର ହେଉଛନ୍ତି । ବିଜେବି କଲେଜକୁ ଉଚ୍ଚଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷାର୍ଥୀ ଆସୁଛନ୍ତି । ହେଲେ ହଷ୍ଟେଲ ଅଭାବ ଯୋଗୁ ବାଧ୍ୟ ହୋଇ ବାହାରେ ଅଧିକ ଟଙ୍କା ଖର୍ଚ୍ଚ କରି ରହୁଛନ୍ତି । କେବଳ ଏତିକି ନୁହେଁ ନିର୍ମାଣକାରୀ ସଂସ୍ଥା ବହୁ ବିଳମ୍ବରେ କାର୍ଯ୍ୟ କରୁଛି ।