ଭୁବନେଶ୍ୱର,୧୪/୦୪: ବିନା ଦ୍ୱନ୍ଦ୍ୱରେ ବିଜେଡିର ୧୬ଟି  ସାଂଗଠନିକ ଜିଲ୍ଲା ପାଇଁ ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି ।  ଦଳର ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ  କେଶରୀ ଦେବ ଏନେଇ ସୂଚନା ଦେଇଛନ୍ତି । ରବିବାର ଅପରାହ୍ଣରେ  ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ୧୬ ଜିଲ୍ଲାରୁ ଜଣେ ଲେଖାଏଁ  ସଦସ୍ୟ ନାମାଙ୍କନ ଦାଖଲ କରିଥିବାରୁ ସମସ୍ତେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ  ହୋଇଛନ୍ତି । ଅବଶିଷ୍ଟ ଜିଲ୍ଲାର ନିର୍ବାଚନ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ  ହେବ । ପ୍ରକ୍ରିୟା ସରିବା ପରେ ଚୂଡାନ୍ତ ତାଲିକା ଜଣାଇ ଦିଆଯିବ । ଶ୍ରୀ ଦେବ କହିଥିଲେ, ବିଜେଡି ସମ୍ବିଧାନରେ ଅଛି ୫୦  ପ୍ରତିଶତ ସାଙ୍ଗଠନିକ ନିର୍ବାଚନ ସରିବା ପରେ ଦ୍ୱିତୀୟ ପ୍ରକ୍ରିୟା  ଆରମ୍ଭ ହୁଏ । ପରେ ପଞ୍ଚମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ଷଷ୍ଠ  ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ନିର୍ବାଚନ ହେବ ଯେଉଁଥିରେ  ରାଜ୍ୟ ସଭାପତି ନିର୍ବାଚନ ହେବ । ରାଜ୍ୟ ସଭାପତି ନିର୍ବାଚିତ  ହେବା ପରେ ଅନ୍ୟ ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ  ସମ୍ପାଦକ ନିଯୁକ୍ତ କରାଯିବ । ଏହାପରେ ଅନ୍ୟ ପଦ ପାଇଁ ନିର୍ବାଚନ  ହେବା ସହ ବ୍ଲକ ଓ ପୌର ସଭାପତି ନିର୍ବାଚନ ହେବ । ଯୁବ,  ଛାତ୍ର ଓ ମହିଳା ସଭାପତି ନିର୍ବାଚନ ବି ରାଜ୍ୟ ସଭାପତିଙ୍କ  ଅନୁମୋଦନରେ ହେବ । କେଉଁ ଜିଲ୍ଲା ପାଇଁ କିଏ ସଭାପତି  ହେଲେ ତାହା ସେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ।  

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା  ବିଜେଡି ସଭାପତି ପଦ ପାଇଁ କେବଳ ଜଣେ ମାତ୍ର ସତ୍ୟବାଦୀର  ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ନାମାଙ୍କନ ଦାଖଲ  କରିଛନ୍ତି । ତେଣୁ ସେ ଜିଲ୍ଲା ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ସଭାପତି ପାଇଁ  ବିଧାୟକ ଯୋଗେଶ କୁମାର ସିଂ, ଅନୁଗୁଳ ପାଇଁ ତାଳଚେର  ବିଧାୟକ ବ୍ରଜକିଶୋର ପ୍ରଧାନ, ମାଲକାନଗିରି ପାଇଁ ପୂର୍ବତନ  ବିଧାୟକ ମାନସ ମାଡକାମୀ, ମୟୂରଭଞ୍ଜ ପାଇଁ ପୂର୍ବତନ  ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭଦ୍ରକ ପାଇଁ ପୂର୍ବତନ ଜିଲ୍ଲା ସଭାପତି  ଜଗନ୍ନାଥ ସ୍ୱାଇଁ, ଯାଜପୁର ପାଇଁ ପୂର୍ବତନ ଜିଲ୍ଲା ସଭାପତି  ସରୋଜ ମହାପାତ୍ର, ଜଗତସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି ଓ  ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା ଏକମାତ୍ର ନାମାଙ୍କନ  ଦାଖଲ କରିଥିବା ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି।