ଭୁବନେଶ୍ୱର,୧୮/୧୦: ଲହ ଲହ ହେଉଛି  ଜିଭ । ବୋଲ ମାନୁନି ତୁଣ୍ଡ । ସକାଳ ପାଇଲା ବେଳକୁ  ଯାହା ତୁଣ୍ଡକୁ ଯାହା ଆସିଲା କହୁଛନ୍ତି ନେତା । ଭୋଟ ପୂର୍ବରୁ କିନ୍ତୁ ମୁହଁରେ ତାଲା ଲାଗିଥିଲା । ଅସନ୍ତୋଷର ନିଆଁ ଭିତରେ କୁହୁଳୁଥିଲା । କାର୍ଯ୍ୟାନୁଷ୍ଠାନ ଭୟରେ  କିନ୍ତୁ ଚୁପ୍‌ ଥିଲେ। ଏବେ କିନ୍ତୁ ବାଡ଼ ବତା ନାହିଁ । ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ  ସ୍ଥିତି । ଭେଟେରାନ ନେତାମାନେ ସଭାମଞ୍ଚ ହେଉ ଅବା  ଗଣମାଧ୍ୟମରେ ନିଜ ଅସନ୍ତୋଷକୁ ଝାଡ଼ୁଛନ୍ତି । ୪ ମାସ  ପରେ ଦଳୀୟ ନେତାଙ୍କ ଏଭଳି ବୟାନବାଜିରୁ ଲାଗୁଛି  ଦଳରେ ସବୁ ଠିକଠାକ୍‌ ନାହିଁ । ଦଳରେ ଆଗକୁ ବଡ଼  ବିସ୍ଫୋରଣ ହେବ କି? ଏମିତି ଅନୁମାନ ଲଗାଉଛନ୍ତି  ରାଜନୈତିକ ମହଲ । 

ଘରେ ନ ପଶୁଣୁ ଚାଳ ବାଜିଲା । ଗାନ୍ଧୀ ଜୟନ୍ତୀରୁ  ବିଜେଡିର ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା । ଏ  ପଦଯାତ୍ରା ସହ ସଦସ୍ୟ ସଂଗ୍ରହ ଅଭିଯାନରେ ଫାଟ  ଜଳଜଳ । ସାରା ରାଜ୍ୟରେ ଦଳୀୟ ନେତାଙ୍କ ଆକ୍ଷେପ  ପ୍ରତି ଆକ୍ଷେପର ଛକାପଞ୍ଝା ଲାଗି ରହିଛି । ଟିକଟ  ପାଇନଥିବା ନେତାଙ୍କ ଠାରୁ ଆରମ୍ଭ କରି ପରାଜୟ  ବରଣ କରିଥିବା ନେତା ଏବେ ସ୍ଥାନୀୟ କିମ୍ବା ଶୀର୍ଷ  ନେତୃତ୍ୱଙ୍କୁ ଦାୟୀ କରୁଛନ୍ତି । ଗତ କିଛିଦିନ ହେବ  ଦଳରେ ବହୁଛି ଅଣଚାଷ ପବନ । ଲାଗୁଛି ସତେ  ଯେମିତି ଦଳ ଭିତରେ ଏଭଳି ହୋହଲ୍ଲା ପଛରେ କିଏ  ଜଣେ ମାଷ୍ଟରମାଇଣ୍ଡ ରହିଛି । ବିଜେଡିକୁ ବିଭାଜନ  ଆଡ଼କୁ ନେବାକୁ ଚାଲିଛି କି ଷଡ଼ଯନ୍ତ୍ର? ଏମିତି ଚର୍ଚ୍ଚା  ଏବେ ଘୂରି ବୁଲୁଛି । 

ବିଜେଡିର ଭେଟେରାନ ନେତା ଅମର ଶତପଥୀ  ଖୋଲାଖୋଲି ଭାବେ ଦଳର ସଭାପତିଙ୍କୁ ଚାଲେଞ୍ଜ  କଲେ । ସବୁ ପୁଣ୍ୟ ଯଦି ନବୀନ ନେଉଥିଲେ ତେବେ  ପରାଜୟ ପାପର କଳଙ୍କ ମଧ୍ୟ ସେ ମୁଣ୍ଡାନ୍ତୁ । ଏମିତି  କହି ଅମର ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରିବା ପରେ  ସ୍ପଷ୍ଟ କରିଛନ୍ତି ସେ ଆଉ ବିଜେଡିରେ ନାହାନ୍ତି । ନବୀନଙ୍କୁ  ନିଜ ନେତା ମାନି ଆସିଥିବା ଅମରଙ୍କ ପାଇଁ ହଠାତ୍‌ ସେ  କେମିତି ଖଳନାୟକ ହୋଇଗଲେ? ଟିକଟରୁ ବଞ୍ଚିତ  ହୋଇ ମଧ୍ୟ ଶ୍ରୀ ଶତପଥୀ ତୁଣ୍ଡି ମାରି ବସିଥିଲେ ।  ମାତ୍ର ଏବେ ବିଜେଡି ସଭାପତିଙ୍କୁ ଟାର୍ଗେଟ୍‌ କରିବା  ପଛର ରହସ୍ୟ କ’ଣ? ଏପରିକି ସେ ଦମ୍ଭର ସହ  କହିଛନ୍ତି ଆଗକୁ ବିଜେଡିରେ ବଡ଼ ହଲଚଲ୍‌ ହେବ ।  ବିଜେଡିର ଆଉ କିଛି ରାଜ୍ୟସଭା ଏମ୍‌ପି ମଧ୍ୟ ଦଳ  ଡେଇଁବେ । ଆଚମ୍ବିତ ହେଲା ଭଳି ବହୁ ନୂଆ କଥା  ଦେଖିବାକୁ ମିଳିବ । 

ବିଜେଡି ସୁପ୍ରିମୋ ନବୀନଙ୍କ ଜିଲ୍ଲା ଗଞ୍ଜାମରେ  ମଧ୍ୟ ଅସନ୍ତୋଷ ପଦାକୁ ଆସିଛି । ଆସିକା ଲୋକସଭା  ସହ ସଂଲଗ୍ନ ବିଧାନସଭାରେ ଦଳର ପରାଜୟ ପାଇଁ  ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ହିଁ ଦାୟୀ । ସେ ବିଜେପି  ସହ ମିଶି ବେଇମାନି କରି ଦଳକୁ ବୁଡ଼ାଇଛନ୍ତି ।  ଗଣମାଧ୍ୟମରେ ଏମିତି ଖୋଲା ଅଭିଯୋଗ କରିଛନ୍ତି  କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।  ଏ ନେଇ ସେ ନବୀନଙ୍କ ନିକଟରେ ମଧ୍ୟ ଫେରାଦ  ହୋଇଛନ୍ତି । ମାତ୍ର ଏଯାଏ ଲତିକାଙ୍କ ନିରବତା ଏବଂ  ନବୀନଙ୍କ ଜନ୍ମଦିନରେ ଖୋଲା ଟାର୍ଗେଟ୍‌ ପଛର ରହସ୍ୟ  କ’ଣ? ସମାନ ଫର୍ମୁଲା ଆପଣାଇଛନ୍ତି ବିଜେଡି  ଛାଡ଼ିଥିବା ଭେଟେରାନ ପ୍ରସନ୍ନ ପାଟ୍ଟଶାଣୀ । ସେ  ଅଭିଯୋଗ କରିଛନ୍ତି, ବିଜୁଙ୍କୁ ଭାରତରତ୍ନ ନମିଳିବା ଏବଂ ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ନ ପଠାଇବା  ପଛରେ ଭି କେ ପାଣ୍ଡିଆନ ହିଁ ବଡ଼ କାରଣ । ବେଶ୍‌  ନିରବ ରହିଥିବା ପାଟ୍ଟଶାଣୀ ଏବେ ଗୁମର ଖୋଲିବା  ପଛରେ କାହାର ହାତ ରହିଛି କି ବୋଲି ଆଲୋଚନା  ହେଉଛି । ବିଜେଡିକୁ ଅକଳରେ ପକାଇବାକୁ କିଛି  ଭିତିରି ଗେମପ୍ଲାନ ଚାଲିଛି ବୋଲି ରାଜନୈତିକ ମହଲ  ସନ୍ଦେହ କରୁଛି । 

ଭୁବନେଶ୍ୱରରୁ ବାଲେଶ୍ୱର । କଟକରୁ ଅନୁଗୁଳ  ସବୁଆଡ଼େ ବିଜେଡିରେ ଅସନ୍ତୋଷର ନିଆଁ । ଦଳୀୟ  ନେତାମାନେ ଏବେ ଖୋଲା ଆକ୍ଷେପ କରୁଛନ୍ତି ।  ତାଙ୍କ ଟିକଟ କଟିବା କିମ୍ବା ପରାଜୟ ପଛର ଗୁମର  ଖୋଲୁଛନ୍ତି । ବିଜେଡି ଭୋଟ ବିପର୍ଯ୍ୟୟର କାରଣକୁ  ମଧ୍ୟ ଗଣମାଧ୍ୟମ ଆଗରେ ରଖୁଛନ୍ତି । ଭୁବନେଶ୍ୱରରେ  ବାଇଁଆ ଓ ଲିଟୁଙ୍କ ଗୋଟିଚାଳନାରେ ବିଜେଡି ଶିବିରରେ  ନିର୍ବାଚନ ସମୟରୁ ହଲଚଲ୍‌ ଲାଗି ରହିଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ତ ବିଜେଡି ସଭ୍ୟ  ସଂଗ୍ରହ ସଭାରେ କହିଲେ, ପଛରୁ ଆଉ ଛୁରୀ ମାରନି ।  ନିଜେ ବୁଡ଼ିଲ, ଆଉ ଦଳକୁ ବୁଡ଼ାଇଲ । ଏବେ ନିଜ  ପ୍ରକୃତି ଛାଡ଼ । ସୌଭିକଙ୍କ ଏ ଶାଣିତ ବାଣ ଦଳରେ  ଚର୍ଚ୍ଚା ଆଣିଥିଲା । ଅନୁଗୁଳରେ ମଧ୍ୟ ପୂର୍ବତନ ବିଧାୟକ  ରଜନୀକାନ୍ତ ସିଂ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ  ପ୍ରଧାନଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଅଭିଯୋଗ  କରିଛନ୍ତି ଯେ ଏଇ ବିଭୀଷଣମାନଙ୍କ ପାଇଁ ଦଳ ପରାଜୟ  ବରଣ କରିଛି । ଦଳରେ ବେଇମାନଙ୍କ ପ୍ରାଦୁର୍ଭାବରୁ  ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ଏମିତି ବହୁ  ବିଜେଡି ନେତାଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । 

ବିଜେପି ଦାବି କରୁଛି ଯେ ବହୁ ବିଜେଡି ନେତା  ତାଙ୍କ ଯୋଗାଯୋଗରେ ଅଛନ୍ତି । ଦଳ ଇତିମଧ୍ୟରେ  ମମତା ମହାନ୍ତ ଓ ସୁଜିତ୍‌ କୁମାରଙ୍କୁ ଶିକାର କରିସାରିଛି ।  ଏବେ ବିଜେଡିର ବହୁ ଭେଟେରାନ ନେତା ବୟାନବାଜି  କରିବା ଏବଂ ବିପର୍ଯ୍ୟୟର ଗୁମର ଖୋଲିବାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଚାଲିଛି । ୪  ମାସ ହେବ ଏ ନେତାମାନେ ଚୁପ୍‌ ବସି ଏବେ ଖୋଲା  ଟାର୍ଗେଟ କରିବା ନାନା ପ୍ରଶ୍ନ ଛିଡ଼ା କରାଇଛି । ବିଜେଡିର  ଏକ ଗୋଷ୍ଠୀ ଦଳକୁ ବିଦାୟ କହି ଅନ୍ୟ ଖୁଆଡ଼କୁ  ଯାଇପାରନ୍ତି ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଉଛି ।  ବିଜେଡି କିନ୍ତୁ ଯୁକ୍ତି କରୁଛି, ଯେଉଁ ନେତାମାନେ ଦଳୀୟ  ନେତୃତ୍ୱ ବିରୋଧରେ ଅଶାନ୍ତି ଝାଡ଼ୁଛନ୍ତି ତାହା ଉଦ୍ଦେଶ୍ୟ  ପ୍ରଣୋଦିତ । ଏଥିରେ ଦଳର କିଛି କ୍ଷତି ହେବାର ନାହିଁ ।  କିଏ ଦଳ ଛାଡ଼ିକି ଗଲେ ମଧ୍ୟ କୌଣସି ପ୍ରଭାବ  ପଡ଼ିବନି । ବିଜେଡି ବେଶ ଶକ୍ତିଶାଳୀ ଅଛି ।