ଭୁବନେଶ୍ୱର,୧୮/୧୦: ଲହ ଲହ ହେଉଛି ଜିଭ । ବୋଲ ମାନୁନି ତୁଣ୍ଡ । ସକାଳ ପାଇଲା ବେଳକୁ ଯାହା ତୁଣ୍ଡକୁ ଯାହା ଆସିଲା କହୁଛନ୍ତି ନେତା । ଭୋଟ ପୂର୍ବରୁ କିନ୍ତୁ ମୁହଁରେ ତାଲା ଲାଗିଥିଲା । ଅସନ୍ତୋଷର ନିଆଁ ଭିତରେ କୁହୁଳୁଥିଲା । କାର୍ଯ୍ୟାନୁଷ୍ଠାନ ଭୟରେ କିନ୍ତୁ ଚୁପ୍ ଥିଲେ। ଏବେ କିନ୍ତୁ ବାଡ଼ ବତା ନାହିଁ । ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ ସ୍ଥିତି । ଭେଟେରାନ ନେତାମାନେ ସଭାମଞ୍ଚ ହେଉ ଅବା ଗଣମାଧ୍ୟମରେ ନିଜ ଅସନ୍ତୋଷକୁ ଝାଡ଼ୁଛନ୍ତି । ୪ ମାସ ପରେ ଦଳୀୟ ନେତାଙ୍କ ଏଭଳି ବୟାନବାଜିରୁ ଲାଗୁଛି ଦଳରେ ସବୁ ଠିକଠାକ୍ ନାହିଁ । ଦଳରେ ଆଗକୁ ବଡ଼ ବିସ୍ଫୋରଣ ହେବ କି? ଏମିତି ଅନୁମାନ ଲଗାଉଛନ୍ତି ରାଜନୈତିକ ମହଲ ।
ଘରେ ନ ପଶୁଣୁ ଚାଳ ବାଜିଲା । ଗାନ୍ଧୀ ଜୟନ୍ତୀରୁ ବିଜେଡିର ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା । ଏ ପଦଯାତ୍ରା ସହ ସଦସ୍ୟ ସଂଗ୍ରହ ଅଭିଯାନରେ ଫାଟ ଜଳଜଳ । ସାରା ରାଜ୍ୟରେ ଦଳୀୟ ନେତାଙ୍କ ଆକ୍ଷେପ ପ୍ରତି ଆକ୍ଷେପର ଛକାପଞ୍ଝା ଲାଗି ରହିଛି । ଟିକଟ ପାଇନଥିବା ନେତାଙ୍କ ଠାରୁ ଆରମ୍ଭ କରି ପରାଜୟ ବରଣ କରିଥିବା ନେତା ଏବେ ସ୍ଥାନୀୟ କିମ୍ବା ଶୀର୍ଷ ନେତୃତ୍ୱଙ୍କୁ ଦାୟୀ କରୁଛନ୍ତି । ଗତ କିଛିଦିନ ହେବ ଦଳରେ ବହୁଛି ଅଣଚାଷ ପବନ । ଲାଗୁଛି ସତେ ଯେମିତି ଦଳ ଭିତରେ ଏଭଳି ହୋହଲ୍ଲା ପଛରେ କିଏ ଜଣେ ମାଷ୍ଟରମାଇଣ୍ଡ ରହିଛି । ବିଜେଡିକୁ ବିଭାଜନ ଆଡ଼କୁ ନେବାକୁ ଚାଲିଛି କି ଷଡ଼ଯନ୍ତ୍ର? ଏମିତି ଚର୍ଚ୍ଚା ଏବେ ଘୂରି ବୁଲୁଛି ।
ବିଜେଡିର ଭେଟେରାନ ନେତା ଅମର ଶତପଥୀ ଖୋଲାଖୋଲି ଭାବେ ଦଳର ସଭାପତିଙ୍କୁ ଚାଲେଞ୍ଜ କଲେ । ସବୁ ପୁଣ୍ୟ ଯଦି ନବୀନ ନେଉଥିଲେ ତେବେ ପରାଜୟ ପାପର କଳଙ୍କ ମଧ୍ୟ ସେ ମୁଣ୍ଡାନ୍ତୁ । ଏମିତି କହି ଅମର ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ କରିବା ପରେ ସ୍ପଷ୍ଟ କରିଛନ୍ତି ସେ ଆଉ ବିଜେଡିରେ ନାହାନ୍ତି । ନବୀନଙ୍କୁ ନିଜ ନେତା ମାନି ଆସିଥିବା ଅମରଙ୍କ ପାଇଁ ହଠାତ୍ ସେ କେମିତି ଖଳନାୟକ ହୋଇଗଲେ? ଟିକଟରୁ ବଞ୍ଚିତ ହୋଇ ମଧ୍ୟ ଶ୍ରୀ ଶତପଥୀ ତୁଣ୍ଡି ମାରି ବସିଥିଲେ । ମାତ୍ର ଏବେ ବିଜେଡି ସଭାପତିଙ୍କୁ ଟାର୍ଗେଟ୍ କରିବା ପଛର ରହସ୍ୟ କ’ଣ? ଏପରିକି ସେ ଦମ୍ଭର ସହ କହିଛନ୍ତି ଆଗକୁ ବିଜେଡିରେ ବଡ଼ ହଲଚଲ୍ ହେବ । ବିଜେଡିର ଆଉ କିଛି ରାଜ୍ୟସଭା ଏମ୍ପି ମଧ୍ୟ ଦଳ ଡେଇଁବେ । ଆଚମ୍ବିତ ହେଲା ଭଳି ବହୁ ନୂଆ କଥା ଦେଖିବାକୁ ମିଳିବ ।
ବିଜେଡି ସୁପ୍ରିମୋ ନବୀନଙ୍କ ଜିଲ୍ଲା ଗଞ୍ଜାମରେ ମଧ୍ୟ ଅସନ୍ତୋଷ ପଦାକୁ ଆସିଛି । ଆସିକା ଲୋକସଭା ସହ ସଂଲଗ୍ନ ବିଧାନସଭାରେ ଦଳର ପରାଜୟ ପାଇଁ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ହିଁ ଦାୟୀ । ସେ ବିଜେପି ସହ ମିଶି ବେଇମାନି କରି ଦଳକୁ ବୁଡ଼ାଇଛନ୍ତି । ଗଣମାଧ୍ୟମରେ ଏମିତି ଖୋଲା ଅଭିଯୋଗ କରିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ । ଏ ନେଇ ସେ ନବୀନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ମାତ୍ର ଏଯାଏ ଲତିକାଙ୍କ ନିରବତା ଏବଂ ନବୀନଙ୍କ ଜନ୍ମଦିନରେ ଖୋଲା ଟାର୍ଗେଟ୍ ପଛର ରହସ୍ୟ କ’ଣ? ସମାନ ଫର୍ମୁଲା ଆପଣାଇଛନ୍ତି ବିଜେଡି ଛାଡ଼ିଥିବା ଭେଟେରାନ ପ୍ରସନ୍ନ ପାଟ୍ଟଶାଣୀ । ସେ ଅଭିଯୋଗ କରିଛନ୍ତି, ବିଜୁଙ୍କୁ ଭାରତରତ୍ନ ନମିଳିବା ଏବଂ ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ନ ପଠାଇବା ପଛରେ ଭି କେ ପାଣ୍ଡିଆନ ହିଁ ବଡ଼ କାରଣ । ବେଶ୍ ନିରବ ରହିଥିବା ପାଟ୍ଟଶାଣୀ ଏବେ ଗୁମର ଖୋଲିବା ପଛରେ କାହାର ହାତ ରହିଛି କି ବୋଲି ଆଲୋଚନା ହେଉଛି । ବିଜେଡିକୁ ଅକଳରେ ପକାଇବାକୁ କିଛି ଭିତିରି ଗେମପ୍ଲାନ ଚାଲିଛି ବୋଲି ରାଜନୈତିକ ମହଲ ସନ୍ଦେହ କରୁଛି ।
ଭୁବନେଶ୍ୱରରୁ ବାଲେଶ୍ୱର । କଟକରୁ ଅନୁଗୁଳ ସବୁଆଡ଼େ ବିଜେଡିରେ ଅସନ୍ତୋଷର ନିଆଁ । ଦଳୀୟ ନେତାମାନେ ଏବେ ଖୋଲା ଆକ୍ଷେପ କରୁଛନ୍ତି । ତାଙ୍କ ଟିକଟ କଟିବା କିମ୍ବା ପରାଜୟ ପଛର ଗୁମର ଖୋଲୁଛନ୍ତି । ବିଜେଡି ଭୋଟ ବିପର୍ଯ୍ୟୟର କାରଣକୁ ମଧ୍ୟ ଗଣମାଧ୍ୟମ ଆଗରେ ରଖୁଛନ୍ତି । ଭୁବନେଶ୍ୱରରେ ବାଇଁଆ ଓ ଲିଟୁଙ୍କ ଗୋଟିଚାଳନାରେ ବିଜେଡି ଶିବିରରେ ନିର୍ବାଚନ ସମୟରୁ ହଲଚଲ୍ ଲାଗି ରହିଛି । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ତ ବିଜେଡି ସଭ୍ୟ ସଂଗ୍ରହ ସଭାରେ କହିଲେ, ପଛରୁ ଆଉ ଛୁରୀ ମାରନି । ନିଜେ ବୁଡ଼ିଲ, ଆଉ ଦଳକୁ ବୁଡ଼ାଇଲ । ଏବେ ନିଜ ପ୍ରକୃତି ଛାଡ଼ । ସୌଭିକଙ୍କ ଏ ଶାଣିତ ବାଣ ଦଳରେ ଚର୍ଚ୍ଚା ଆଣିଥିଲା । ଅନୁଗୁଳରେ ମଧ୍ୟ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଅଭିଯୋଗ କରିଛନ୍ତି ଯେ ଏଇ ବିଭୀଷଣମାନଙ୍କ ପାଇଁ ଦଳ ପରାଜୟ ବରଣ କରିଛି । ଦଳରେ ବେଇମାନଙ୍କ ପ୍ରାଦୁର୍ଭାବରୁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି । ଏମିତି ବହୁ ବିଜେଡି ନେତାଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ।
ବିଜେପି ଦାବି କରୁଛି ଯେ ବହୁ ବିଜେଡି ନେତା ତାଙ୍କ ଯୋଗାଯୋଗରେ ଅଛନ୍ତି । ଦଳ ଇତିମଧ୍ୟରେ ମମତା ମହାନ୍ତ ଓ ସୁଜିତ୍ କୁମାରଙ୍କୁ ଶିକାର କରିସାରିଛି । ଏବେ ବିଜେଡିର ବହୁ ଭେଟେରାନ ନେତା ବୟାନବାଜି କରିବା ଏବଂ ବିପର୍ଯ୍ୟୟର ଗୁମର ଖୋଲିବାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଚାଲିଛି । ୪ ମାସ ହେବ ଏ ନେତାମାନେ ଚୁପ୍ ବସି ଏବେ ଖୋଲା ଟାର୍ଗେଟ କରିବା ନାନା ପ୍ରଶ୍ନ ଛିଡ଼ା କରାଇଛି । ବିଜେଡିର ଏକ ଗୋଷ୍ଠୀ ଦଳକୁ ବିଦାୟ କହି ଅନ୍ୟ ଖୁଆଡ଼କୁ ଯାଇପାରନ୍ତି ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଉଛି । ବିଜେଡି କିନ୍ତୁ ଯୁକ୍ତି କରୁଛି, ଯେଉଁ ନେତାମାନେ ଦଳୀୟ ନେତୃତ୍ୱ ବିରୋଧରେ ଅଶାନ୍ତି ଝାଡ଼ୁଛନ୍ତି ତାହା ଉଦ୍ଦେଶ୍ୟ ପ୍ରଣୋଦିତ । ଏଥିରେ ଦଳର କିଛି କ୍ଷତି ହେବାର ନାହିଁ । କିଏ ଦଳ ଛାଡ଼ିକି ଗଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବନି । ବିଜେଡି ବେଶ ଶକ୍ତିଶାଳୀ ଅଛି ।