ଯାଜପୁର ୦୭/୦୪: ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବସିଲା ବଡ଼ ବୈଠକ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କ ସସ୍ପେଣ୍ଡ୍ ପରେ ରୁଦ୍ଧଦ୍ବାର ବୈଠକ ବସିଛି। ଏହି ବୈଠକରେ ବିଶ୍ୱ ମଲ୍ଲିକ, ସୁଜାତା ସାହୁ, ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ ପ୍ରମୁଖ ସାମିଲ ହୋଇଥିବା ସୂଚନା ମିଳିଛି। ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।
ବରି ବିଧାୟକ ବିଶ୍ୱ ମଲ୍ଲିକ ସ୍ପଷ୍ଟ କରି କହିଛନ୍ତି ଯେ, ବିଧାନସଭା ଚାଲି ଥିବାରୁ ସବୁ ଯାଜପୁର ନେତା ଏକାଠି ବସି ପାରୁନଥିଲେ । ପ୍ରତି ମାସରେ ଏପରି ବୈଠକ ବସେ । ସଂଗଠନ ନେଇ ଆଲୋଚନା ହେଲା । ଯାଜପୁରରେ ବିଜେଡି ମଜବୁତ ଅଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତା ନିଲମ୍ବନ ହେଉଛନ୍ତି । ଯାହା ଦଳକୁ ଶକ୍ତିଶାଳୀ କରୁଛି । ଲୋକେ ବିଜେପି ଉପରୁ ମୁହଁ ଫେରାଇଲେଣି । ସରକାର କେମିତି ଚାଲିବ, ସେ ଦିଗରେ ବିଜେପି ଧ୍ୟାନ ଦେଉ ।
ଅଧିକ ପଢ଼ନ୍ତୁ :- ଆଜିଠୁ ଗାଁକୁ ଯିବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ
ସୂଚନା ଅନୁଯାୟୀ, ଦଳବିରୋଧୀ କାର୍ଯ୍ୟ ପାଇଁ ସୋମବାର ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରୁ ନିଲମ୍ବନ ଆଦେଶ ଜାରି ହୋଇଛି । ଏନେଇ ଭଦ୍ରକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନରେ ବିଜେଡି ହାତରୁ ଶାସନ କ୍ଷମତା ଯିବା ପରେ ମଣ୍ଡଳ ଦମ୍ପତିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଉଭୟେ ବିଜେପିକୁ ଯିବା ନେଇ ଭିତିରିଆ ବିଚାରବିମର୍ଷ ଆରମ୍ଭ ହୋଇଛି । ଦୁହେଁ ଆସନ୍ତା ସପ୍ତାହରେ ପଦ୍ମ ଧରିବା ନେଇ ତାଙ୍କ ସମର୍ଥକ କହି ବୁଲୁଛନ୍ତି ।