- ନଗର ବିଜେଡିରେ ନୂଆ ସମୀକରଣ
- ସୌଭିକ, ଦେବୀଙ୍କ କ୍ୟାମ୍ପରେ କରଛଡ଼ା
- ଚାଲିଛି ଆରୋପ, ପ୍ରତ୍ୟାରୋପ ରାଜନୀତି
- ଦଳୀୟ ବ୍ୟାପାରରେ ଅଲଗା ହେବ ଦେବାଶିଷ-ଦେବୀଙ୍କ ରାସ୍ତା
- ଗୋଳିଆ ପାଣିରୁ ଦୂରେଇଲେ ସୁବାସ
କଟକ,୨୦/୦୩(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପରଠୁ କଟକ ବିଜେଡି ରାଜନୀତିର ସମୀକରଣ ସମ୍ପୂର୍ଣ୍ଣ ବଦଳିସାରିଛି । କଟକୀ ନେତାଙ୍କ କ୍ରସ୍ ଭୋଟିଂ ଯୋଗୁଁ କଟକ ନଗର ବିଜେଡି ସଂଗଠନ ଗୋଳମାଳିଆ ସ୍ଥିତି ଦେଇ ଗତି କରୁଛି । କଟକ ଏସ୍ସିବି ଅଘଟଣ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତା କଟକ ଗସ୍ତରେ ଆସି ପୀଡିତଙ୍କୁ ଭେଟୁଥିବା ବେଳେ ଏଠାରେ କିଛି ବିଜେଡି ସଂଗଠନର ନେତାଙ୍କ ଅନୁପସ୍ଥିତି ଚର୍ଚ୍ଚା ସୃଷ୍ଟି କରିଛି । ଆଗକୁ ପୌର ନିର୍ବାଚନ ଆଉ ବର୍ଷେ ବି ନାହିଁ । ଭୁଶୁଡ଼ି ପଡୁଥିବା ସଂଗଠନକୁ ସମ୍ଭାଳିବାକୁ ବିଜେଡି ମୁଖିଆ କେମିତି ଗୋଟିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ଉପରେ ନଜର ରହିବ ।
କଟକ ନଗର ବିଜେଡିରେ ଏକାଧିକ କ୍ଷମତା କେନ୍ଦ୍ର ରହିଆସିଛନ୍ତି । ବିଶେଷକରି ୨୦୨୪ ସାଧାରଣ ନିର୍ବାଚନ ପରଠାରୁ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଅନ୍ତଦ୍ୱର୍ନ୍ଦ୍ୱ ନିଆଁ କୁହୁଳୁଛି । ମେୟର ସୁବାସ ସିଂହ ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଭିତରେ ଦଳୀୟ ବ୍ୟାପରରେ ବାରମ୍ବାର କଥା କଟାକଟି ଚାଲିଛି । ଦୁଇ ସଂଗଠନ ପରସ୍ପରର ଛାଇ ଦେଖିଲେ ଡେଉଁଛନ୍ତି । ଏଭଳି ସ୍ଥିତିରେ ଦେବାଶିଷଙ୍କ କ୍ୟାମ୍ପ୍ରେ କଟକ ସଦର ବିଜେଡି ନେତା ଚନ୍ଦ୍ରସାରଥି ବେହେରା ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଦୃଢ ଭୂମିକା ରହିଆସିଛି । ଯେହେତୁ ଦେବୀଙ୍କ ଘର କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ତେଣୁ କଟକ ନଗର ରାଜନୀତିରେ ତାଙ୍କର ଓ ତାଙ୍କ ପିତା ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରଭାବ ଦେଖିବାକୁ ମିଳେ । ଏମିତିକି ଦେବୀଙ୍କ କ୍ୟାମ୍ପ୍ର ଅନେକ ଯୁବ ଓ ଛାତ୍ର ନେତା ଦେବାଶିଷଙ୍କ ଦୃଢ ସମର୍ଥକ ରହିଆସିଛନ୍ତି । ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଦେବାଶିଷ ଡ.ସଂତୃପ୍ତ ମିଶ୍ରଙ୍କ ସପକ୍ଷରେ ମତ ଦେଇ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ସୌଭିକ ବିଶ୍ୱାଳଙ୍କୁ କଡ଼ା ସମାଲୋଚନା କରିଥିଲେ । କିନ୍ତୁ ତାଙ୍କ କ୍ୟାମ୍ପ୍ର ମୁଖ୍ୟ ସହଯୋଗୀ ଦେବୀଙ୍କ କ୍ରସ୍ ଭୋଟିଂ ପରେ ଦେବାଶିଷ ଏବେ ଯାଏ ପଦିଏ କିଛି କହିନାହାନ୍ତି । ଯଦିଓ ସେ ରାଜ୍ୟସଭା ଅଧିବେଶନ ପାଇଁ ଦିଲ୍ଲୀରେ ରହିଛନ୍ତି । କଟକ ଫେରିବା ପରେ ସେ ଦେବୀ ଓ ସୌଭିକଙ୍କ ଉପରେ କ’ଣ ମତ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ଅନ୍ୟପକ୍ଷରେ ରାଜ୍ୟସଭା ଭୋଟ୍ରେ ଦେବୀଙ୍କ ୟୁଟର୍ଣ୍ଣ ଓ ପରେ ଶୀର୍ଷ ନେତୃତ୍ୱଙ୍କୁ ଦେବୀଙ୍କ ଟାର୍ଗେଟ୍ରୁ ଜଣାପଡୁଛି ସେ ବିଜେଡିରୁ କରଛଡ଼ା ଦେଉଛନ୍ତି । ଦେବୀଙ୍କ ପିତା ପ୍ରଭାତ କୁମାର ତ୍ରିପାଠୀ ଖୋଲାଖୋଲି ନବୀନଙ୍କୁ ବିରୋଧ କରୁଥିବା ବେଳେ ଦେବୀଙ୍କ ହାବଭାବ ମଧ୍ୟ ଦଳୀୟ ବିଚାରଧାରା ସହ ନାହିଁ ବୋଲି ଜଣାପଡୁଛି । ଦେବୀଙ୍କ ସମର୍ଥକ ମାନେ ଖୋଲାଖୋଲି ସୋସିଆଲ୍ ମିଡିଆରେ ବିଜେଡି ନେତୃତ୍ୱଙ୍କୁ ଟାର୍ଗେଟ୍ କରୁଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଦେବାଶିଷ ଓ ଦେବୀଙ୍କ ରାସ୍ତା ଦଳୀୟ ବ୍ୟାପାରରେ ଆଗକୁ ଯାଇ ପୃଥକ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି । ଗୋଟିଏ ପଟରେ ଦେବୀ ଓ ଅନ୍ୟପକ୍ଷରେ ପ୍ରଭାତ ବିଶ୍ୱାଳ-ସୌଭିକ ବିଶ୍ୱାଳଙ୍କ ଦଳୀୟ ସଂଗଠନ ସହ ମତଭେଦ ନଗର ବିଜେଡିରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରୁଛି ।
ସେପଟେ ମେୟର ସୁବାସ ସିଂ, ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ ଓ ତାଙ୍କ ଟିମ୍ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିବା ଲକ୍ଷ୍ୟରେ ରହିଛନ୍ତି । ସୁବାସଙ୍କ ନେତୃତ୍ୱରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ୱାର୍ଡସ୍ତରରେ ମହିଳା ସମ୍ମିଳନୀ ଆରମ୍ଭ କରାଯାଇଛି । ଏବେ ସୁଦ୍ଧା ୫ଟି ୱାର୍ଡରେ ସମ୍ମିଳନୀ ସରିଲାଣି । ଆଗକୁ ୱାର୍ଡସ୍ତରରେ ଯୁବ ସମ୍ମିଳନୀ ମଧ୍ୟ କରାଯିବାକୁ ଯୋଜନା ହେଉଛି । ଅନ୍ୟପକ୍ଷରେ ୱାର୍ଡସ୍ତରରେ ଦେବାଶିଷଙ୍କ କିଛି ସମର୍ଥକ ରହିଛନ୍ତି । ସେମାନେ ଏହି ସାଂଗଠନିକ କାର୍ଯ୍ୟକୁ ପରିଚାଳନା କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହାଫଳରେ ଗୋଳମାଳିଆ ସ୍ଥିତି ଉପୁଜିଛି । ଗୁରୁତ୍ୱପୂର୍ଣ୍ଣ କଥା ଯେ, ରାଜ୍ୟସଭା ପ୍ରସଙ୍ଗରେ ଏବେ ସୁଦ୍ଧା ମେୟର ସୁବାସ ସିଂହ ମଧ୍ୟ କୌଣସି ବ୍ୟକ୍ତିଗତ ଟିପ୍ପଣୀ ଦେଇନାହାନ୍ତି । ବରଂ ବେଶ୍ କାଏଦାରେ ଧାଡ଼ିଏରେ କଥା ସାରିଛନ୍ତି । ତାଙ୍କ କହିବା କଥା, ‘ଯେଉଁମାନେ ଦଳୀୟ ହ୍ୱିପ୍ ବିରୋଧରେ ଯାଇଛନ୍ତି ସେମାନେ ବିଶ୍ୱାସଘାତକତା କରିଛନ୍ତି ।’ ଏଭଳି ସ୍ଥିତିରେ ସୁବାସଙ୍କ କ୍ଷେତ୍ରରେ ଏବେ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ମାଡ଼ିବସିବାର ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଦେବାଶିଷଙ୍କ କ୍ୟାମ୍ପ୍ ଏହାକୁ କେମିତି ଦେଖୁଛି ତାହା ଆଗକୁ ଜଣାପଡ଼ିବ । ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଦେବୀଙ୍କ ସମର୍ଥକ ମାନେ କେବଳ ବିଜେଡି ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ୍ କରୁଛନ୍ତି ତାହା ନୁହେଁ ବରଂ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ମଧ୍ୟ ବିରୋଧ କରୁଛନ୍ତି । ଏସ୍ଥିତିରେ ପ୍ରତାପଙ୍କୁ ସମର୍ଥନ କରୁଥିବା ଏକ ଗୋଷ୍ଠୀ କଟକ ନଗର ବିଜେଡି ସହ ରହିଛନ୍ତି । ତେଣୁ ସେମାନେ ଏ ଗୋଳମାଳିଆ ରାଜନୀତିରେ କେମିତି ତିଷ୍ଠି ରହିବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି ।
ଅଧିକ ପଢନ୍ତୁ-ପ୍ରିୟଦର୍ଶନୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ପ୍ରଥମ ମହଲାରେ ବ୍ୟାପିଲା ନିଆଁ, ୫ ଦମକଳ ଗାଡ଼ି ନିୟୋଜିତ