ଭୁବନେଶ୍ବର, ୩।୫ : ଓମଫେଡ୍ କ୍ଷୀର ଦର ବୃଦ୍ଧିକୁ ନେଇ ବିଜେଡିର କଡ଼ା ପ୍ରତିକ୍ରିୟା। ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି। ଶ୍ରମିକ ଦିବସ ପରେ ଓମଫେଡ୍ କ୍ଷୀର ଦର ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଓମଫେଡ କ୍ଷୀରରେ ୪ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ିଛି । ଏହା ସହିତ ବ୍ୟବସାୟିକ ଗ୍ୟାସ ଦର ବୃଦ୍ଧି ମଧ୍ୟ ଲୋକଙ୍କ ଉପରେ ଭାର ବଢ଼ାଇଛି। ୫ କେଜି ଗ୍ୟାସ ସିଲିଣ୍ଡର ଦର ୨୬୧ ଟଙ୍କାକୁ ବଢ଼ିଥିବା ବେଳେ, ଗ୍ୟାସ ଦର ଲଗାତାର ବଢ଼ୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇସ୍ପିତା ସାହୁ କହିଛନ୍ତି।
ବିଜେଡି ଅଭିଯୋଗ କରିଛି ଯେ, ଚାଷୀଙ୍କୁ କେବଳ ଅଳ୍ପ ଲାଭ ଦେଇ ଗ୍ରାହକଙ୍କୁ ଅଧିକ ଦରରେ କ୍ଷୀର ବିକ୍ରି କରାଯାଉଛି। ଏହା ଦ୍ୱାରା ସାଧାରଣ ଲୋକଙ୍କ ପକେଟ୍ରେ ସିଧା ପ୍ରଭାବ ପଡ଼ିବ। ଗ୍ୟାସ ଓ କ୍ଷୀର ଦର ବୃଦ୍ଧିରେ ଚା ଦୋକାନ ଭଳି ଛୋଟ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେବେ । ୫ ଟଙ୍କାରେ ମିଳୁଥିବା ଚା’ ଆଗାମୀ ଦିନରେ ୧୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବ। ବିଜେଡି ଏହାକୁ ଓଡ଼ିଆ ଅସ୍ମିତା ସହ ଯୋଡି ନିନ୍ଦା କରିଛି। ଗୁଜୁରାଟ କମ୍ପାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଗଲା ବର୍ଷରୁ ଓମଫେଡକୁ ନାଫେଡ ସହ ସରକାର ମିସାଇ ସାରିଛନ୍ତି।ତେଣୁ ଏହି ଦର ବୃଦ୍ଧି ଗୁଜରାଟୀ ବ୍ୟବସାୟୀଙ୍କୁ ସୁହାଇବ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଦର ବୃଦ୍ଧିରେ ରୋକ ଲଗାଇବା ସହ ପୂର୍ବ ଦରକୁ ଲାଗୁ କରିବାକୁ ବିଜେଡି ଦାବି କରିଛି।