ଭୁବନେଶ୍ଵର, ୬/୧୦ : ଏସଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ବିଜେଡିର ପ୍ରତିବାଦ। ଆଶାୟୀଙ୍କ ସ୍ବାର୍ଥକୁ ନଜରରେ ରଖି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ ଛକରେ ଶତାଧିକ ଯୁବ ଛାତ୍ର ନେତା ଓ କର୍ମୀଙ୍କ ହଲ୍ଲାବୋଲ୍। ବଡ଼ ମୁଣ୍ଡକୁ ଧରିବାକୁ କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବିରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ଧସ୍ତାଧସ୍ତି ପରେ ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ଅନ୍ୟ ଛାତ୍ରନେତାଙ୍କୁ ଉଠାଇନେଲା ପୁଲିସ। 

ଓଡ଼ିଶା ପୁଲିସର ସବ୍‌ଇନ୍ସପେକ୍ଟର ନିଯୁକ୍ତି ମହାଘୋଟାଲାର ତଦନ୍ତ ବେଳେ ଝୁଣ୍ଟିଛି କ୍ରାଇମ୍‌ବ୍ରାଞ୍ଚ । କେଳେଙ୍କାରୀ ପଛର କାର୍ପଟଦାରମାନେ ବିଳମ୍ବିତ ତଦନ୍ତ ପ୍ରକ୍ରିୟାର ଫାଇଦା ଉଠାଇଛନ୍ତି । ଭୁବନେଶ୍ୱର ରଘୁନାଥପୁରରେ ଥିବା ଏକ ନିଯୁକ୍ତି କାର୍ଯ୍ୟାଳୟରେ ପୁଲିସ ପହଞ୍ଚିବା ପୂର୍ବରୁ ସେଠାରୁ ସମସ୍ତ ପ୍ରମାଣପତ୍ର ଗାଏବ ହୋଇଯାଇଛି । ରଘୁନାଥପୁରସ୍ଥିତ ‘ଶ୍ରୀଲିଙ୍ଗରାଜ ଇନଫୋସେଲ ଅନଲାଇନ୍‌ ପରୀକ୍ଷା ସେଣ୍ଟର’ରେ ଗତକାଲି ପୂର୍ବାହ୍ଣରେ କ୍ରାଇମବ୍ରାଞ୍ଚ ତନାଘନା କରିଛି। ଏଠି ଘୋଟାଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତଥା ଫ୍ରଣ୍ଟଟେକ୍‌ର ଅନ୍ୟତମ ନିର୍ଦ୍ଦେଶକ ଶଙ୍କର ପୃଷ୍ଟିର ଆଉ ଏକ କାର୍ଯ୍ୟାଳୟ ଚାଲୁଥିଲା । ଶହ ଶହ ଆଶାୟୀ ଏଠାରେ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ସପ୍ତାହେ ତଳେ ସେଠାରେ କୋଚିଂ ପାଇଁ ଛାତ୍ରଛାତ୍ରୀ ନିୟମିତ ଆସୁଥିବା ସ୍ଥାନୀୟ ବାସିନ୍ଦା ଦେଖିଛନ୍ତି । ଶଙ୍କର ଫେରାର୍‌ ଥିବାରୁ ତା’ ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । କିନ୍ତୁ ପୁଲିସ୍‌ ପହଞ୍ଚିବା ପୂର୍ବରୁ ପୂରା ପରୀକ୍ଷା ସେଣ୍ଟରରୁ ସମସ୍ତ ପ୍ରମାଣ ହଟାଇ ଦିଆଯାଇଛି । ଶ୍ରୀଲିଙ୍ଗରାଜ ଇନଫୋସେଲର ପରୀକ୍ଷା ଲ୍ୟାବରେ କୌଣସି ପରୀକ୍ଷା ଉପକରଣ ନଥିଲା । ଉକ୍ତ ଲାବ୍‌ରେ ଗୋଟିଏ ବି କମ୍ପ୍ୟୁଟର ମିଳିନଥିଲା । ଉକ୍ତ ଅଫିସରୁ ସିସି କ୍ୟାମେରା ଓ ଏସି ୟୁନିଟ୍‌କୁ କେହି କାଢ଼ି ନେଇଥିଲେ । ପ୍ରାୟ ୩ ଘଣ୍ଟା ତନାଘନା ପରେ ଉକ୍ତ ଅଫିସକୁ ସିଲ୍‌ କରାଯାଇଛି । 

ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ଜଣେ ଦଲାଲ୍‌କୁ ଗିରଫ କରିଛି । ସେ ହେଲା, ବାଲେଶ୍ୱର ଜିଲ୍ଲା ସିଂହଲା ଥାନା ନବରା ଗାଁର ଗୋପାଳ ଓରଫ ଅରବିନ୍ଦ ଦାସ (୪୩) । କ୍ରାଇମବ୍ରାଞ୍ଚ ଟିମ୍‌ ଅରବିନ୍ଦକୁ ତା’ ପୈତୃକ ଗାଁରୁ ଗିରଫ କରିଛି । ରବିବାର ବିଳମ୍ବିତ ସନ୍ଧ୍ୟାରେ ତାକୁ ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) କୋର୍ଟରେ ହାଜର କରିବା ପରେ ଜେଲ୍‌ ପଠାଇ ଦିଆଯାଇଛି । ମାମଲାରେ ଗିରଫଦାରି ସଂଖ୍ୟା ଏବେ ୧୧୯ରେ ପହଞ୍ଚିଛି । ସିଣ୍ଡିକେଟ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ମୁନା ମହାନ୍ତି ଲିଙ୍କ୍‌ରେ ଉଭୟ ବିଶ୍ୱରଂଜନ ଓ ଅରବିନ୍ଦ ଥିଲେ । ସେମାନେ ଆଶାୟୀ ପ୍ରାର୍ଥୀଙ୍କଠାରୁ ଟଙ୍କା, ବ୍ୟାଙ୍କ ଚେକ୍‌ ଓ ଶିକ୍ଷାଗତ ପ୍ରମାଣପତ୍ର ଯୋଗାଡ଼ କରୁଥିଲେ । ତଦନ୍ତରୁ ଜଣାପଡି଼ଛି, ଅରବିନ୍ଦ ସ୍ଥାନୀୟ ଅଞ୍ଚଳରେ ଏକ ପ୍ଲେସ୍‌ମେଣ୍ଟ୍‌ ସଂସ୍ଥା ଖୋଲିଥିଲା । ସେଠାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କଲେଜରେ ନିଯୁକ୍ତିର ଗଳାବାଟ ବତାଉଥିଲା । ଅନେକ ଆଶାୟୀମାନଙ୍କଠାରୁ ମୋଟା ଅଙ୍କର ପଇସା ନେଇ ଛୋଟମୋଟ ଚାକିରି କରାଇ ଦେଉଥିଲା । ଶଙ୍କରର ଇତିହାସ ଉଣ୍ଡାଳୁଥିବା କ୍ରାଇମ୍‌ବ୍ରାଞ୍ଚ ହାତରେ କିଛି ରୋଚକ ତଥ୍ୟ ଲାଗିଛି । ୨୦୧୨ ମସିହାରୁ ସେ ଏକ କୋଚିଂ ସେଣ୍ଟର୍‌ରେ ଆର୍ମି ନିଯୁକ୍ତି ତାଲିମ ଦେଉଥିଲା । ୨୦୨୨ରେ ପଞ୍ଚ୍‌ସଫ୍ଟ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅଫିସ ଖୋଲିଥିଲା । ବ୍ରହ୍ମପୁର ଓ ଭୁବନେଶ୍ୱରରେ ଥିବା ବିଭିନ୍ନ ନିଯୁକ୍ତି କୋଚିଂ ଏକାଡେମୀଗୁଡ଼ିକ ସହ ଯୋଗାଯୋଗରେ ରହି ଚାକିରି ଆଶାୟୀଙ୍କୁ ଫସାଉଥିଲା । ଗିରଫ ୧୧୪ ଆଶାୟୀଙ୍କ ମଧ୍ୟରେ ବିଭିନ୍ନ ଏକାଡେମୀର ଛାତ୍ର ଥିବା ଏହା ପ୍ରମାଣିତ କରୁଛି । କାହିଁକି ନା, ବ୍ରହ୍ମପୁରର ଦୁଇଟି ପ୍ରମୁଖ ନିଯୁକ୍ତି କୋଚିଂ ସେଣ୍ଟର୍‌ରେ ଆଶାୟୀମାନେ କୋଚିଂ ନେଉଥିବା ରିପୋର୍ଟରେ ଦର୍ଶାଇଛି ପୁଲିସ । ବର୍ତ୍ତମାନ ଏସବୁ ସେଣ୍ଟର୍‌ର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ଏକାଡେମୀରେ ଭଲ ରେଜଲ୍ଟ କରିବା ପାଇଁ ମାଲିକମାନେ ଶଙ୍କର ପୃଷ୍ଟିର ର‌୍ୟାକେଟ୍‌ରେ ସମ୍ପୃକ୍ତ ରହୁଥିବା ଚର୍ଚ୍ଚା ହେଉଛି । କେବଳ ପୁଲିସ ନୁହେଁ, ଅନ୍ୟାନ୍ୟ ସରକାରୀ ଚାକିରି ପାଇଁ ମଧ୍ୟ ଟଙ୍କା କାରବାର ହେଉଥିବା ସୂଚନା ମିଳିଛି । ୨୦୧୩ରେ ଗଜପତିରେ ହୋଇଥିବା ସିପାହୀ ନିଯୁକ୍ତି ରାକେଟ୍‌ଠାରୁ ଆରମ୍ଭ କରି ୨୦୨୩ରେ ବ୍ରହ୍ମପୁରରେ ଧରାପଡ଼ିଥିବା ଜାଲ୍‌ ସାର୍ଟିଫିକେଟ୍‌ ର‌୍ୟାକେଟ୍‌, ବାଲେଶ୍ୱରରେ ଧରାପଡ଼ିଥିବା ନିଯୁକ୍ତି ର‌୍ୟାକେଟ୍‌ରେ ଶଙ୍କରଙ୍କ ସମ୍ପୃକ୍ତି ଥିବା ସୁରାକ ମିଳିଛି । ସେପଟେ ସ୍ଥାନୀୟ ଅଦାଲତରେ ପୂର୍ବରୁ ପ୍ରାୟ ୮୦ ଜଣ ଜାମିନ୍‌ ଆବେଦନ କରିଥିଲେ । କୋର୍ଟ ଖୋଲିବା ପରେ ଜାମିନ୍‌ ଆବେଦନକାରୀଙ୍କ ସଂଖ୍ୟା ବଢ଼ିପାରେ । ​​​​​​​