ରାଇଘର,୧୨/୦୬: ଖରିଫ ମଣ୍ଡିରେ ଧାନ ଦେଇ ପ୍ରାୟ ୩୪୪ ଜଣ ଚାଷୀ ପାଇ ନାହାନ୍ତି ଟଙ୍କା । ଏନେଇ ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଚାଷୀଙ୍କୁ ସମର୍ଥନ ଜଣାଇ ୮ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ଏହି ବନ୍ଦ ପାଳନରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ନବୀନା ନାୟକ, ଉପେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଗଣ୍ଡ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ପ୍ରାୟ ଶତାଧିକ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ମୁଖ୍ୟ ବଜାର ସମେତ ଦୋକାନ ଓ ଗାଡ଼ି ମୋଟର ଯାତାୟତ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଥାଉକି, ମଣ୍ଡିର ଶେଷ ପର୍ଯ୍ୟୟରେ ଅର୍ଥାତ ଫେବ୍ରୁଆରୀ ମାସରେ ୩୪୪ ଜଣ ଚାଷୀ ୧୪ ହଜାର ୨ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟି.ପି ଦେବାରେ ବିଳମ୍ବ ହେବାରୁ ଫେବୃଆରୀ ୨୨ ତାରିଖ ଭିତରେ ଧାନ ଦେଇଥିବା ଚାଷୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ପାରିନାହାନ୍ତି । ଏବେ ସୁଦ୍ଧା ସେମାନଙ୍କୁ ପ୍ରାୟ ୪ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ମିଳିନଥିବା ଯୋଗୁଁ ଶତାଧିକ ଚାଷୀ ନିରାଶ ହୋଇ ବାରମ୍ବାର ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରଙ୍କ ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଏବେ ଚାଷୀ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେବା ଜାରି ରଖିଛନ୍ତି। ଆଉ ଏହାକୁ ନେଇ ଆଜି ଚାଷୀଙ୍କୁ ସହଯୋଗ କରି ସ୍ଥାନୀୟ ବିଜେଡି ପକ୍ଷରୁ ବନ୍ଦ ପାଳନ ଡାକରା ଦେଇଛି ।