ଭୁବନେଶ୍ଵର, ୨୯/୦୫ : ରବି ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବର୍ଷିଲା ବିଜେଡି। ପ୍ରେସମିଟ୍ କରି ବିଜେଡି କହିଛି ଯେ, ରାଜ୍ୟ ଅର୍ଥନୀତିକୁ ଧ୍ଵସ୍ତ କରିବାକୁ ଲାଗିଛନ୍ତି ଡବଲ ଇଞ୍ଜିନ୍ ସରକାର। ଓଡ଼ିଶା ଚାଷୀଙ୍କ ଉତ୍ପାଦନ ୧୫୦ ଲକ୍ଷ ମେଟ୍ରିକ୍ ଟନ୍ ବୋଲି ସରକାର ନିଜ ରିପୋର୍ଟରେ ଲେଖିଛନ୍ତି। ୭୩ ଲକ୍ଷ ମେଟ୍ରିକ୍ ଟନ୍ ଖରିଫରେ ଓ ୨୦ ଲକ୍ଷ ମେଟ୍ରିକ୍ ଟନ୍ ରବିରେ ମିଶାଇ ମୋଟ ୯୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ନେଇ ସରକାର କହୁଛନ୍ତି। ସରକାରଙ୍କ ଅଭିମୁଖ୍ୟକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ମଣ୍ଡିରୁ ଧାନ କ୍ରୟ ପର୍ଯ୍ୟନ୍ତ ସବୁଠି ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ୧୫ ତାରିଖରୁ DLPCରେ ରବି ଧାନ ସଂଗ୍ରହ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ସୁଦ୍ଧା ୨୦ଟି ଜିଲ୍ଲାରେ ରବି ଧାନ କ୍ରୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ୫୦ ପ୍ରତିଶତ ମଣ୍ଡି ଖୋଲି ନାହିଁ। ୩୧ ହଜାର ୪୬୧ ଜଣ ଚାଷୀ ଧାନ ବିକିଛନ୍ତି ଯାହା ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କର ୧୦ ପ୍ରତିଶତ। ୮ କେଜିରୁ ୧୦ କେଜି ପର୍ଯ୍ୟନ୍ତ ଧାନ କଟନୀ ଛଟନି ହେଉଛି। ଏମିତି କଲେ ଆଗକୁ ତୀବ୍ର ଆନ୍ଦୋଳନ କରିବ ବିଜେଡି। 

ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟ ସରକାର ୩୧୦୦ ଟଙ୍କାରେ ଧାନ କିଣିବାକୁ କହିଥିଲେ। ହେଲେ କିଣିବା ସମୟରେ କଟନି ଛଟନି ହେଲା। ୧୫୦ କୁଇଣ୍ଟାଲରୁ ଅଧିକ ଧାନ ଉଠିଲା ନାହିଁ। ରବିରେ ମଧ୍ୟ ସମାନ ଚିତ୍ର। କେନ୍ଦ୍ର ବଢ଼ାଉଥିବା ଏମଏସପି ଦେଉ ନାହାନ୍ତି। ଜାଣିଶୁଣି ଧାନ ଉଠାଉ ନାହଁନ୍ତି। ଫଳରେ କଳାବଜାରୀ ବଢୁଛି। ଚାଷୀଙ୍କ ପାଇଁ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜରାସ୍ତାକୁ ଆସିବ। ଛତିଶଗଡ଼ରୁ ରାଜ୍ୟକୁ ଯେଉଁ ଧାନ ରାଜ୍ୟକୁ ଆସୁଛି, ତାକୁ ଆମେ ଅଟକାଇବୁ। ଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବୁ।

ଆହୁରି ପଢନ୍ତୁମୌସୁମୀକୁ ନେଇ ଖରାପ ଖବର, ପାଣିପାଗ ବିଭାଗର ଚେତାବନୀ, ଏଲନିନୋ ପାଇଁ ଜୁନରେ ଭୟଙ୍କର ହିଟୱେଭ୍...

ସେପଟେ ବିଜେଡିର ସାମ୍ବାଦିକ ସମ୍ମିଳନୀ ଉପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ରବି ଧାନ କିଣା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ଯଦି କେଉଁଠି କିଛି ସମସ୍ୟା ଥିବ, ତାହାର ସମାଧାନ କରାଯିବ। ସରକାର ଯାହା ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି, ସେହି ଅନୁସାରେ ଧାନ କିଣାଯିବ। କିଛି ସମସ୍ୟା ହେବ ନାହିଁ।