ଭୁବନେଶ୍ୱର,୧୯/୦୪: ଆଜି ସକାଳ ୧୧ଟାରେ ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ । ୩୫୫ ରାଜ୍ୟ ପରିଷଦ ସଦସ୍ୟ ବୈଠକରେ ଯୋଗ ଦେବେ । ବୈଠକରେ ନବୀନ ପଟ୍ଟନାୟକଙ୍କୁ ପୁଣି ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ନବୀନ ସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ  ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦ୍ୱରେ ୯ମ ପାଳିରେ ପୁଣି ସଭାପତି ହେବା ନିଶ୍ଚିତ ।  ଏହି ବୈଠକରେ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ  ନିର୍ବାଚିତ କରାଯିବ । 

ସେହି କାର୍ଯ୍ୟକାରିଣୀ ସଦସ୍ୟଙ୍କ  ମଧ୍ୟରୁ ବରିଷ୍ଠ ନେତା ଓ ନେତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ  କମିଟିରେ ସ୍ଥାନ ପାଇବେ । କିଏ ବରିଷ୍ଠ ଉପସଭାପତି,  ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ହେବ ତ  ଆଉ କିଏ ହେବେ ସହ ସମ୍ପାଦକ । ପୁଣି ଏମାନଙ୍କ ମଧ୍ୟରୁ  କାହାକୁ ଜିଲ୍ଲା ପ୍ରଭାରୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ  ସଙ୍ଗଠନ ପ୍ରଭାରୀ ଭାବେ ଦାୟିତ୍ୱ ଦେବେ ସଭାପତି । 

ବୈଠକ ସମ୍ପର୍କରେ ଦଳର ବରିଷ୍ଠ ବିଧାୟକ  ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡିର ଦଳୀୟ ବ୍ୟବସ୍ଥା  ଓ ସମ୍ବିଧାନ ଅନୁସାରେ ରାଜ୍ୟ ପରିଷଦ ବୈଠକରେ  ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ  କରାଯିବ । ନୂଆ ସଭାପତି ହେବା ପରେ ସେ ନୂଆ ଟିମ୍‌  ଗଠନ କରିବେ । 

ମିଳିଥିବା ସୂଚନା ଅନୁସାରେ ସଭାପତି  ଭାବେ ନବୀନ ଦାୟିତ୍ୱ ନେବା ପରେ ନୂଆ କାର୍ଯ୍ୟକାରୀ ସଭାପତି ନିଯୁକ୍ତି କରିପାରନ୍ତି । ଉପସଭାପତି ସଂଖ୍ୟା ବୃଦ୍ଧି ହେବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । 

ଉଲ୍ଲେଖଯୋଗ୍ୟ, ୧୯୯୭ରେ ବିଜେଡି ପ୍ରତିଷ୍ଠା ହେବା  ଦିନରୁ ନବୀନ ବିଜେଡି ସଭାପତି ଭାବେ ଦାୟିତ୍ୱ ନିର୍ବାହ  କରିଛନ୍ତି । ଏବେ ସେ ପୁଣି ସଭାପତି ହେବା ପରେ  ଆଗ ଭଳି କାର୍ଯ୍ୟ କରିବା ସହଜ ହେବନାହିଁ । ତାଙ୍କୁ ବହୁ  ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ । ସଭାପତି ନିର୍ବାଚନ  ସରିବା ପରେ ପର୍ଯ୍ୟାୟ କ୍ରମେ ବାକି ଥିବା ୧୫ଟି ସାଙ୍ଗଠନିକ  ଜିଲ୍ଲା ସଭାପତି, ବ୍ଲକ ଓ ନଗର ସଭାପତି, ବିଭିନ୍ନ ଛାମୁଆ ସଂଗଠନର ସଭାପତିଙ୍କ ନାମ ଘୋଷଣା ହେବ । ନୂଆ  ଦାୟିତ୍ୱ ନେବା ପରେ ନବୀନ ଦଳକୁ କି ଆହ୍ୱାନ ଦେବେ  ତାହା ଉପରେ ରାଜନୈତିକ ମହଲର ନଜର ରହିଛି।