ଭୁବନେଶ୍ବର, ୦୫/୦୧: ସୋସିଆଲ ମିଡିଆରେ ଆକ୍ଟିଭ୍ ଯୁବ ବିଜେଡି । ଶୀଘ୍ର କ୍ୟାମ୍ପେନ୍ ଆରମ୍ଭ କରିବେ ସଭାପତି ଚିନ୍ମୟ ସାହୁ । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ ଯୁବ ବିଜେଡି । ବିଭିନ୍ନ ସ୍ଥାନରେ PUCC ପାଇଁ ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ବୁଝାଇବେ । ଗାଡ଼ି ପଲ୍ୟୁସନ ସାର୍ଟିଫିକେଟକୁ ନେଇ ସରକାରଙ୍କ ରାଜସ୍ବ ଆଦାୟ ଫନ୍ଦି ରହିଛି । ଏନେଇ ଯୁବ ବିଜୁ ଜନତା ଦଳର ସଭାପତି ‘କମଲ୍ କା ଫୁଲ୍ ହମାରା ଭୁଲ୍’ ସ୍ଲୋଗାନ୍ ପ୍ରସ୍ତୁତ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ପୋଷ୍ଟ ହେବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି ।
ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି, ସରକାର ଏତେ ଜନବିରୋଧୀ ଓ ଅତ୍ୟାଚାରୀ ଯେ ମିଛ ଫାଇନ୍ ଆଦାୟ କରୁଛନ୍ତି । ଘରେ ଥୁଆ ହୋଇଛି ଗାଡି, ମୟୂରଭଞ୍ଜରେ ପଡ଼ିଛି ଫାଇନ୍ । କାର୍ ଚାଳକଙ୍କୁ ହେଲମେଟ୍ ପାଇଁ ଫାଇନ୍ ଲାଗିଛି । ଏହି ମିଛ ଫାଇନ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କୋର୍ଟ ଯିବାକୁ ବି ଲୋକଙ୍କ ପାଖରେ ସୁଯୋଗ ନାହିଁ । କାରଣ ସରକାର ଏହାକୁ ବନ୍ଦ କରି ଦେଇଛନ୍ତି । ଯଦି ପ୍ରଦୂଷଣ ପାଇଁ ଏତେ ଚିନ୍ତା ଅଛି, ତେବେ PUCC ପାଇଁ ଅଲଗା ବ୍ୟବସ୍ଥା କରନ୍ତୁ । ଚାଲାଣ ଅଲଗା କରନ୍ତୁ। ଯଦି ଏହାର ସମାଧାନ ନହେବ, ତେବେ ଆନ୍ଦୋଳନ ମୁଣ୍ଡ ଟେକିବ ।
ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି, କ’ଣ ଖାଲି ଗାଡ଼ି ଯୋଗୁଁ ପ୍ରଦୂଷଣ ହେଉଛି ? ଗଛ କଟା ଯାଉଛି, ଖଣି ଉତ୍ତୋଳନ, ଶିଳ୍ପ ସଂସ୍ଥାରୁ ପ୍ରଦୂଷଣ ହେଉନି ? ଲଘୁ ଖଣିଜ ପାଇଁ କେତେ ଫାଇନ୍ କଟା ହୋଇଛି ? କେତେ ଶିଳ୍ପପତି ରାସ୍ତାରେ ଠିଆ ହୋଇ ଫାଇନ୍ ଦେଉଛନ୍ତି ? ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ, ‘ବିଜେପିକୁ ଭୋଟ୍ ଦେଇ ଭୁଲ କଲୁ’ । ‘କମଲ କା ଫୁଲ୍ ଲୋଗୋ କା ଭୁଲ୍’ ଏ କ୍ୟାମ୍ପେନ ଆରମ୍ଭ କରନ୍ତୁ । ଏଭଳି କଲେ ୟୁ-ଟର୍ଣ୍ଣ ନେବାକୁ ବାଧ୍ୟ ହେବେ ସରକାର । ଅନ୍ୟପଟେ ଯୁବ ବିଜେଡି ପିୟୁସିସି ଫାଇନ୍ ଆଦାୟ ସ୍ଥାନରେ ପିକେଟିଂ କରିବ । ଅଯଥା ଫାଇନ୍ ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଛି । ସରକାରଙ୍କ ମନମୁଖୀ ଶାସନକୁ ବରଦାସ୍ତ କରାଯିବନାହିଁ । ମନ୍ତ୍ରୀ କହୁଛନ୍ତି, ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ। ସଚିବ କହୁଛନ୍ତି ପଲ୍ୟୁସନ ପାଇଁ ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ଏଥିରେ କିଏ ଭୁଲ୍ ଏବଂ କିଏ ଠିକ୍ କହୁଛି ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରଶ୍ନ କରିଛନ୍ତି ।