ଭୁବନେଶ୍ୱର, ୦୪/୦୪ : ରାଜ୍ୟସଭା ଭୋଟରୁ ହାତ ମିଶାଇଲେ । ସମ୍ପର୍କ ଆଗକୁ ବଢ଼ିଲା । କାନ୍ଧରେ କାନ୍ଧ ମିଶାଇ କୋକେଇ ବୋହିଲେ । କଳା ରଙ୍ଗ ଟି-ସାର୍ଟ ପିନ୍ଧିଲେ । ରାସ୍ତାରେ ପ୍ରତିବାଦ କଲେ । ବିଜୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଦୁଇ ଦଳର ସ୍ୱର ଏକ୍ ହେଲା । ଏବେ କ’ଣ ହେବ? ବିଜେଡି-କଂଗ୍ରେସ ଆହୁରି ଯୋଡ଼ି ହେବେ ନା ଅଲଗା ଅଲଗା ରାସ୍ତାରେ ଯିବେ? ଗତକାଲି ପିସିସି ସଭାପତି ଭକ୍ତ ଦାସ କହିଥିଲେ, ବର୍ତ୍ତମାନ ବିଜେଡି ଓ କଂଗ୍ରେସ ପ୍ରସଙ୍ଗଭିତ୍ତିରେ ଏକାଠି ଲଢ଼ିବେ । ଉତ୍ତମ ବୁଝାମଣା ରହିଲେ ଆଗକୁ ଏକାଠି ହୋଇପାରୁ । ଭକ୍ତଙ୍କ କଥାରୁ ଲାଗୁଛି, ବିଜେଡି-କଂଗ୍ରେସ ବର୍ତ୍ତମାନ ଏକାଠି ଚାଲିବାକୁ ଆପତତଃ ସ୍ଥିର କରିଛନ୍ତି । କେତେକ ବିଶେଷଜ୍ଞଙ୍କ ମତରେ ବିଜେଡି-କଂଗ୍ରେସ ଏକାଠି ହେଲେ ପଞ୍ଚାୟତ ନିର୍ବାଚନରେ ବଡ଼ ଓଲଟପାଲଟ ହୋଇପାରେ । ଶାସକ ଦଳକୁ କଡ଼ା ଚାଲେଞ୍ଜର ସାମ୍ନା କରିବାକୁ ହେବ ।
ହାତ-ଶଙ୍ଖ ଯଦି ଜିଲ୍ଲା ପରିଷଦ ପାଇଁ ମିଳିତ ପ୍ରାର୍ଥୀ ଦେବେ, ବିଜୟ ସମ୍ଭାବନା ବଢ଼ିପାରେ । ମାତ୍ର ରାଜନୀତି ଗଣିତ ଏତେ ସହଜ ନୁହେଁ । ଏକଥା ଉଭୟ ବିଜେଡି ଓ କଂଗ୍ରେସ ନେତୃତ୍ୱ ବି ମାନୁଛନ୍ତି । ଦଳ ଭିତରେ ମେଣ୍ଟକୁ ନେଇ ଯେତିକି ଉପର ଠାଉରିଆ ‘ହଁ’ ଅଛି, ପେଟ ଭିତରେ ତା’ଠାରୁ ଢେର ଗୁଣା ଅଧିକ ‘କେଁ’ ଅଛି । ଉଭୟ ଦଳର ସୂତ୍ର କହୁଛି, ବହୁ ବରିଷ୍ଠ, ଅଭିଜ୍ଞ ଏବଂ ଯୁବ ନେତା ସମ୍ଭାବ୍ୟ ମେଣ୍ଟକୁ ନେଇ ନିଜ ଭବିଷ୍ୟତର ପ୍ରମାଦ ଗଣିଲେଣି । ଛନକା ପଶିଲାଣି। ଏମିତିରେ ନିଜ ଆସନ ପଳାଇବ ନାହିଁ ତ? ବିଜୟ ରେକର୍ଡ ଭିତ୍ତିରେ ଯଦି ଭଣ୍ଡାରିପୋଖରୀ ଆସନକୁ ବିଜେଡି ଦାବି ଛାଡିବନି, କ’ଣ ହେବ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭାଗ୍ୟ? ଜଟଣୀ ମଙ୍ଗ କିଏ ଧରିବ କଂଗ୍ରେସର ସୁର ରାଉତରାୟ ନା ବିଜେଡିର ବିଭୂତି ବଳବନ୍ତରାୟ? ଆନନ୍ଦପୁରରେ ଜୟଦେବ ଜେନାଙ୍କୁ ନେତୃତ୍ୱ ସୁଯୋଗ ମିଳିବ ତ? ମିଶ୍ର ପରିବାର ବନାମ ରାଜ ପରିବାର ଲଢ଼େଇ ଦେଖି ଆସୁଥିବା ବଲାଙ୍ଗୀର ଚିତ୍ର କି ରୂପ ନେବ? ନର୍ଲା ଆସନକୁ କ’ଣ ପିସିସି ସଭାପତି ଭକ୍ତ ଦାସଙ୍କ ପାଇଁ ବିଜେଡି ଛାଡ଼ି ଦେବ କି?
ଆହୁରି ପଢନ୍ତୁ- କଟକ ଯୁବ ଶିବିରରେ ଅସ୍ଥିରତା, ବିଜେଡି ପାଇଁ ବାରବାଟୀ ଓ ଚୌଦ୍ଵାରରେ କ୍ଷତି ଭରଣା ସହଜ ନୁହେଁ
ପ୍ରାୟ ୧୯ଟି ଆସନରେ ୨୦୨୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ସମ୍ଭାବ୍ୟ ମେଣ୍ଟ ସ୍ଥିତିରେ ରାଜଗାଙ୍ଗପୁର, ଭୋଗରାଇ, ବସ୍ତା, ଭଣ୍ଡାରିପୋଖରୀ, ବାସୁଦେବପୁର, ଆନନ୍ଦପୁର, ବଲାଙ୍ଗୀର, ଡାବୁଗାଁ, ଲାଞ୍ଜିଗଡ଼, ନର୍ଲା, ବାଲିଗୁଡ଼ା, ଆଳି, ସାନଖେମୁଣ୍ଡି, ଗୁଣୁପୁର, ରାୟଗଡ଼ା, ବିଷମକଟକ, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଭଳି ନିର୍ବାଚନମଣ୍ଡଳୀରେ କିଏ କାହାକୁ ବାଟ ଛାଡ଼ିବ, ତାହା ବଡ଼ ପ୍ରଶ୍ନ । ଏହାବାଦ୍ ବି ଅଧିକାଂଶ ଆସନରେ ଉଭୟ ଦଳ ଭିତରେ ସାପ-ନେଉଳ ସମ୍ପର୍କ । କେବଳ ଦଳ ଚାହିଁଦେଲେ, ମେଣ୍ଟ ସଫଳ ହେବନି । ତୃଣମୂଳରେ ନେତା ଅମାନିଆ ହେଲେ ଫଳ ବୁମେରାଂ ହେବ । ଯାହା ପତ୍ତା କଟିବ, ସେଇଠୁ ବିଦ୍ରୋହୀ ବାହାରିବେ । କ୍ଷମତାରେ ନଥିବାରୁ ବିଦ୍ରୋହ ଦମନ ବି ସହଜ ହେବନି । କେବଳ ୨୦୨୯ ବିଧାନସଭା ନୁହେଁ, ଏଭଳି ସ୍ଥିତି ପଞ୍ଚାୟତ ଭୋଟରେ ବି ହୋଇପାରେ । ଅଢ଼େଇ ଦଶନ୍ଧି ଧରି ପରସ୍ପର ବିରୋଧରେ ଲଢ଼ି ଆସୁଥିବା ଉଭୟ ଦଳର କର୍ମୀ ବୁଝିବେ ତ? କର୍ମୀ ବୁଝିଗଲେ, ଆଉ କିଛି ପରୱା ନାହିଁ । କର୍ମୀ ଅମାନିଆ ହେଲେ ପୂରା ଅଙ୍କ ବଦଳାଇ ଦେବେ।