କଟକ, ୦୩/୦୪ : ଗତ କିଛି ଦିନ ହେଲା କଟକ ସହରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଞ୍ଚିଛି । ଆଗକୁ ଏହି ସ୍ଥିତି ଏକ ନିର୍ଣ୍ଣାୟକ ମୋଡକୁ ଯିବାର ସମ୍ଭାବନା ଜଳଜଳ ଦିଶୁଛି । ସମର୍ଥକଙ୍କ ଆଶା, ଭରସାରେ ନେତାମାନେ ନିଜ ରାଜନୈତିକ ଭବିଷ୍ୟତ ସ୍ଥିର କରୁଛନ୍ତି । ଫଳରେ ବିଭିନ୍ନ ଦଳର ଛାମୁଆ ନେତାଙ୍କ ଶିବିରରେ ରହିଥିବା ଯୁବ ଓ ଛାତ୍ରନେତାମାନଙ୍କ ମଧ୍ୟରେ ବି ଅସ୍ଥିରତା ଦେଖାଦେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ଯୁବଛାତ୍ର ସଂଗଠନ ଊଣା ଅଧିକେ ସମାନ ସ୍ଥିତିରେ ଅଛନ୍ତି । ମାସକ ତଳେ ଦଳୀୟ ବ୍ୟାନରରେ ନିଜ ନାଁ ସଜାଉଥିବା ଯୁବ ଓ ଛାତ୍ର ନେତାମାନେ ଏବେ ନିଜ ନେତାଙ୍କ ଆଦର୍ଶରେ ଦଳକୁ ବି ପ୍ରତ୍ୟାଖ୍ୟାନ କରିସାରିଲେଣି । ଅବଶ୍ୟ ବର୍ତ୍ତମାନ ସ୍ଥିତିରେ ଶାସକ ଦଳ ବିଜେପି ଅପେକ୍ଷା ବିଜେଡି ଓ କଂଗ୍ରେସରେ ଏଭଳି ଗୋଳମାଳିଆ ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ କଟକରେ ଏବେ କିଛି ପ୍ରମୁଖ ନେତା ଦଳବଦଳ କରିବାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ବିଜେପି ଶିବିରରେ ବି ବଡ଼ଧରଣର ଅସ୍ଥିରତା ଦେଖାଦେବ ବୋଲି ଆଶଙ୍କା କରାଯାଉଛି ।

ବିଜେପିରେ ଏବେ ଯାଏ ଜିଲ୍ଲା ଓ ସହରର ଯୁବ ଟିମ୍ ଘୋଷଣା କରାଯାଇନଥିବାରୁ ସେଠି ମଧ୍ୟ ସଂଗଠନର ନେତୃତ୍ୱ କିଏ ନେଉଛନ୍ତି ଜଣାପଡୁନାହିଁ । ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ସମର୍ଥନ କରି ବହୁ ଯୁବଛାତ୍ର ନେତା ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି । ସମାନ ଚିତ୍ର କିଛି ଦିନ ପୂର୍ବରୁ ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଥିଲା । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସମର୍ଥନରେ ବାରବାଟୀ-କଟକର ଅନେକ ଯୁବନେତା ଦଳରୁ ଇସ୍ତଫା ଦେଇଥିଲେ । ଏ ଦୁଇ ଯୁବ ଗୋଷ୍ଠୀ ନିଜ ନେତାଙ୍କ ସମର୍ଥନରେ ଥିବା ସ୍ପଷ୍ଟ କରିସାରିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ଉଭୟ ସୌଭିକ ଓ ଦେବୀଙ୍କ ଯୁବ ଟିମ୍ ବିଜେଡି ଶିବିରରୁ ଦୂରେଇ ଯାଇଥିବା ବେଳେ ନିଶ୍ଚିତ ଭାବେ ବିଜେଡି ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି । ଉଭୟ ନିର୍ବାଚନ ମଣ୍ଡଳୀରେ ବର୍ଷ ବର୍ଷ ଧରି ଯୁବ ସଂଗଠନକୁ ନିଜ ସହ ରଖିଥିବା ଦୁଇ ଯୁବ ବିଧାୟକ ସମର୍ଥକଙ୍କ ଦମ୍ରେ ବିଜେଡିକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ଯଦିଓ ସୌଭିକଙ୍କ ବିରୋଧରେ କିଛି ଯୁବନେତା ମେଳି କରୁଛନ୍ତି । କିନ୍ତୁ ସେମାନେ ନିଜ ସାଂଗଠନିକ ଦକ୍ଷତା ପ୍ରଦର୍ଶନରେ ଆଗକୁ କେତେ ସଫଳ ହେବେ ତାକୁ ନେଇ ସନ୍ଦେହ । ବିଜେଡିର କୌଣସି କାର୍ଯ୍ୟକ୍ରମ ହେଲେ ତାହା ଜଣାପଡିବ ।

ଆହୁରି ପଢନ୍ତୁ- ଜେଲ୍ ପାଲଟିବ ଅଭେଦ୍ୟ ଦୁର୍ଗ: ହାଇସେନ୍ସିଟିଭ୍ ‘ଏଆଇ’ କ୍ୟାମେରା ନଜରରେ ରହିବେ କଏଦୀ, ପାଚେରି ପାଖକୁ ଆସିଲେ ବାଜିବ ସାଇରନ୍

ବାରବାଟୀ-କଟକରେ ବିଜେଡି ଯୁବଛାତ୍ର ସଂଗଠନ ଖାଲି ପଡିଛି । ଅବଶ୍ୟ ଆଜି ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଚୌଦ୍ୱାର-କଟକ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କିଛି ଯୁବଛାତ୍ର ନେତା ମେଳି କରିଛନ୍ତି । ଦୁଇ ବିଧାନସଭା କ୍ଷେତ୍ରରେ ଯୁବଛାତ୍ର ସଂଗଠନକୁ କିଭଳି ଅଧିକ ମଜଭୁତ କରାଯିବ ସେନେଇ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଯୁବ ସଂଗଠନ ବି ଅଜବ ସ୍ଥିତି ଦେଇ ଗତି କରୁଛି । ବିଜେଡିର ଯୁବ ଓ ଛାତ୍ର ଟିମ୍ର ନେତୃତ୍ୱ ନେଇ ସାଂଗଠନିକ ଦକ୍ଷତା ଦେଖାଇଥିବା ହରିଶଙ୍କର ରାଉତ ଏବେ କଂଗ୍ରେସ କ୍ୟାମ୍ପ୍ରେ । ଗୋପାଳପୁରରେ ହରିଶଙ୍କର ଏକ ବନ୍ଧୁମିଳନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଯଦିଓ ସେ ଯୁବ ସଂଗଠନର ନେତୃତ୍ୱ ନେଉଥିବା ଦିଶୁଛି, ବାସ୍ତବରେ ହରିଶଙ୍କର ନିଜକୁ ଚୌଦ୍ୱାର-କଟକ ଓ କଟକ ସଦରରେ ସୀମିତ ରଖିଛନ୍ତି । ଆଗକୁ ବିଧାନସଭା ନିର୍ବାଚନରେ ଦଳୀୟ ଟିକଟ ଆଶାରେ ରହି ସଂଗଠନ ସଜାଡୁଛନ୍ତି । ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଇଂ. ମହମ୍ମଦ ମୋକିମ୍ ଓଡ଼ିଶା ଜନତା କଂଗ୍ରେସ ନାଁରେ ନୂଆ ଦଳ ଗଠନ କରି ଗତକାଲି ମିଶ୍ରଣପର୍ବରେ ଏ କ୍ଷେତ୍ରର ଅନେକ ଯୁବନେତାଙ୍କୁ ନିଜ ଟିମ୍ରେ ସାମିଲ୍ କରାଇ ନେଇଛନ୍ତି । ତେଣୁ କଂଗ୍ରେସ ଆଗକୁ କେମିତି କ୍ଷତିଭରଣା କରିବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯୁବ ଶକ୍ତିକୁ ଏକାଠି କରିବାରେ ନବନିଯୁକ୍ତ କଟକ ନଗର କଂଗ୍ରେସ ସଭାପତି ଯୁବ ଆଇନଜୀବୀ ଶାନ୍ତାୟନ ମିଶ୍ର କେତେ ସଫଳ ହେଉଛନ୍ତି ତାହା ଉପରେ ସବୁରି ନଜର ରହିବ ।

ବିଜେପି ନଗର ଯୁବ ସଙ୍ଗଠନ ଦାୟିତ୍ଵ ବଣ୍ଟା ତୁଟୁନି

ଶାସକ ବିଜେପିରେ ମଧ୍ୟ ଯୁବ ଟିମ୍ ଏବେ ଯାଏ ସଂଗଠିତ ହୋଇପାରିନାହିଁ । ସରକାର ଆସିବାର ୨୨ମାସ ବିତିଲାଣି । ବାରବାଟୀ-କଟକ ଓ ଚୌଦ୍ୱାର-କଟକରେ ବିଜେପି ଏବେ ବି ବିରୋଧୀ ଭୂମିକାରେ ରହିଛି । ନଗର ବିଜେପିର ଯୁବ ଟିମ୍ ଘୋଷଣା ହୋଇନଥିବାରୁ ଦଳୀୟ କାର୍ଯ୍ୟଧାରା ପ୍ରଭାବିତ ହେଉଛି । ଯଦିଓ ଛାତ୍ର ସଂଗଠନ ଭାବେ ଏବିଭିପି କିଛି ଅଂଶରେ କ୍ଷତି ଭରଣା କରୁଛି, କିନ୍ତୁ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ ସଂଗଠନର ଗୁରୁତ୍ୱ ରହିଛି । ନଗର ଯୁବ ଟିମ୍ ସମ୍ଭାଳିବାକୁ କିଛି ନେତା ଦଳର ନଜରରେ ରହିଥିବା ବେଳେ ଅସୀମ ଅମିତାଭ ମହାନ୍ତି, ରାକେଶ ଧୂପର, ଜ୍ୟୋତିରଞ୍ଜନ ପଲେଇଙ୍କ ଭଳି ନେତୃତ୍ୱଙ୍କୁ ଦଳ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେଡିରୁ ଦୂରେଇଥିବା କିଛି ବରିଷ୍ଠ ନେତା ନିଜ ଟିମ୍ ସହ ବିଜେପି ମୁହାଁ ହେଉଥିବା ବେଳେ ସେଥିରୁ ମଧ୍ୟ କିଛି ଯୁବନେତାଙ୍କୁ ବିଜେପି ସଂଗଠନରେ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି । ମୋଟ୍ ଉପରେ ଏମିତି ଗୋଳମାଳିଆ ଚିତ୍ର ପୂର୍ବରୁ କଟକ ରାଜନୀତିରେ କେବେ ବି ଦେଖିବାକୁ ମିଳିନଥିଲା ବୋଲି ଚର୍ଚ୍ଚା ହେଉଛି ।