ପାଟନା,୧୦।୫: ବିହାର ବିଧାନସଭାରେ ବିରୋଧି ଦଳ ନେତା ତେଜସ୍ବୀ ଯାଦବ ବିହାରରେ ଏନଡିଏ ଉପରେ ପରିବାରବାଦ ଅଭିଯୋଗ ଲଗାଯାଇଛି। ଏବେ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ୍। ଏନଡିଏ ନେତାଙ୍କ କହିବା ଅନୁସାରେ, ଯେଉଁମାନେ ନିଜେ ଏଭଳି କାମ କରନ୍ତି, ତାଙ୍କୁ ସବୁ ଲୋକ ସେଭଳି ଦେଖା ଯାଆନ୍ତି। ବିହାର ବିଜେପିର ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ସରାବଗି କହିଛନ୍ତି, ତେଜସ୍ବୀ ଯାଦବା କିଛି ବୁଝିବିଚାରି କୁହନ୍ତି ନାହିଁ। ଯେତେବେଳେ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ଜେଲ୍ ଯାଇଥିଲେ, ସେତେବେଳେ ତାଙ୍କ ମା’ ରାବିଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା, ଯିଏକି ନିଜ ନାଁ ବି ଲେଖି ପାରୁନଥିଲେ। ଯେତେବେଳେ ଉପ-ମୁଖ୍ୟମନ୍ତ୍ରୀ କରିବା ସମୟ ଆସିଲା, ସେତେବେଳେ ତେଜସ୍ବୀଙ୍କୁ ଚୟନ କରାଗଲା, ଯିଏକି ନବମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ। ଏହା ସହ ଜଣେ ଅସଫଳ କ୍ରିକେଟର ମଧ୍ୟ ସେ। ପରେ ତେଜପ୍ରତାପଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରାଗଲା ଓ ମିସା ଭାରତୀଙ୍କୁ ସଂସଦୀୟ ନିର୍ବାଚନର ଟିକେଟ ଦିଆଗଲା। ସେଭଳି ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ଜଣେ ଶିକ୍ଷିତ ବ୍ୟକ୍ତି ଏବଂ ଇଞ୍ଜିନିୟର ମଧ୍ୟ, ଯିଏକି ଆଗକୁ ନିଜେ ରାସ୍ତା ତିଆରି କରୁଛନ୍ତି।’

ବିହାର ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ସରାବଗି କହିଛନ୍ତି, ଏବେ ତ ନିଶାନ୍ତ କୁମାର ପଦଭାର ଗ୍ରହଣ କରିଛନ୍ତି ଓ ତାଙ୍କ କାମ ସେ କରିବା ଆରମ୍ଭ କରିଛନ୍ତି। ଏବେଠାରୁ ତେଜସ୍ବୀ ତାଙ୍କ ଉପରେ ଅନର୍ଗଳ ଟିପ୍ପଣୀ ଦେବାରେ ଲାଗିଛନ୍ତି। ଲାଲୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେ ପଶୁପାଳନ ଦୁର୍ନୀତି କରିଥିଲେ, ଏହାପରେ ଜେଲ୍ ଗଲେ। ସେ ଯେତେବେଳେ ଶପଥ ନେଇଥିଲେ ତାଙ୍କୁ କ’ଣ ଜଣାଥିଲା ଯେ, ଦୁର୍ନୀତି କରି ଜେଲ୍ ଯିବେ। ନିଶାନ୍ତ ଯୋଗ୍ୟ ଏବଂ ଯଶସ୍ବୀ, ସେ ଦେଖାଇବେ ସ୍ବାସ୍ଥ୍ୟ ବିଭାଗ କେତେ ଭଲ ଭାବରେ ଚାଲିବ।’

ସଞ୍ଜୟ କହିଛନ୍ତି, ବିଜେପି ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ପାଇଁ ପ୍ରସ୍ତୁତି କରେ। ଯେଉଁ ଦିନ ବିଜେପି କ୍ଷମତାକୁ ଆସେ, ସେହି ଦିନଠାରୁ ପ୍ରସ୍ତୁତି ଆରମ୍ଭ ହୁଏ। ଏହା ସେହି ରାଜ୍ୟଗୁଡ଼ିକରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରେ ଯେଉଁଠାରେ ଏହା ସରକାର ଗଠନ କରେ ନାହିଁ। ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ନିର୍ବାଚନ ହେବ। ସେଠାକାର ଲୋକମାନେ ମନ ସ୍ଥିର କରିସାରିଛନ୍ତି ଯେ ଅଖିଳେଶ ଯାଦବଙ୍କୁ ସମ୍ପୂର୍ଣ୍ଣ ଧରାଶାୟୀ କରାଯିବ। ଆଜି ଉତ୍ତର ପ୍ରଦେଶରେ ମନ୍ତ୍ରିମଣ୍ଡଳର ବିସ୍ତାର। ନୂତନ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ।’