ଭୁବନେଶ୍ୱର,୧୫/୦୨: କେନ୍ଦ୍ରର ଶୀର୍ଷ ନେତୃତ୍ୱ ନାଁ ଚୂଡ଼ାନ୍ତ  କରି ସାରିଛନ୍ତି । କେବଳ ଘୋଷଣା ଅପେକ୍ଷା ଅଛି । ଦିନେ ବା ଦୁଇ ଦିନ ଭିତରେ ରାଜ୍ୟ ସଭାପତିଙ୍କ ନାଁ  ଘୋଷଣା କରାଯିବ । କୋର୍‌  କମିଟି ବୈଠକରେ ଏହା ଉପରେ  ବିସ୍ତୃତ ଆଲୋଚନା ହୋଇଛି । ଖାଲି ରାଜ୍ୟ ସଭାପତି ନୁହେଁ, ବାକି ଥିବା  ୧୪ ସାଂଗଠନିକ ଜିଲ୍ଲା ଉପରେ  ଆଲୋଚନା ହୋଇଛି । ସରକାର  ଓ ସଂଗଠନ ଭିତରେ କିଭଳି ଉପଯୁକ୍ତ ସମନ୍ୱୟ ରହିବ ସେ  ଉପରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି । 

ଶୁକ୍ରବାର ବିଜେପି କାର୍ଯ୍ୟାଳୟରେ  କୋର୍‌ କମିଟି ବୈଠକ ବସିଥିଲା । ଏଥିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍‌ ସାମିଲ ହୋଇଥିଲେ । ଓଡ଼ିଶା ପ୍ରଭାରୀ ବିଜୟପାଲ  ସିଂ ତୋମାର, ରାଜ୍ୟ ସଭାପତି  ମନମୋହନ ସାମଲ, ସଂଗଠନ  ମନ୍ତ୍ରୀ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ  ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ  ପୂଜାରୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ,  ବୈଜୟନ୍ତ ପଣ୍ଡା ଓ କୋର୍‌ କମିଟିର  ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଦଳୀୟ ସଂଗଠନକୁ କିଭଳି  ସୁଦୃଢ଼ କରାଯିବ ସେ ଉପରେ  ବୈଠକରେ ଜୋର୍‌ ଦିଆଯାଇଥିଲା ।  ଆଗକୁ ପଞ୍ଚାୟତ ନିର୍ବାଚନ ହେବ ।  ଏହାପୂର୍ବରୁ ପ୍ରତି ଗାଁରେ ଦଳର  ସଂଗଠନକୁ ମଜଭୁତ କରିବା ଏବଂ  ୱାର୍ଡୱାରୀ ନେତା ଓ କର୍ମୀଙ୍କୁ ଏକଜୁଟ୍‌  କରି ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ  କରିବାକୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଚୁଘ୍‌ ପରାମର୍ଶ ଦେଇଥିଲେ ।  

ସରକାର ଓ ଦଳ ହେଉଛି ଗୋଟିଏ  ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟଙ୍କ  ମଧ୍ୟରେ ଯେଭଳି ଉତ୍ତମ ସମନ୍ୱୟ  ରହିବ ସେଥିପାଇଁ ଯୋଜନା ପ୍ରସ୍ତୁତ  ହୋଇଛି । ଦଳ ଦେଇଥିବା ପ୍ରତିଶ୍ରୁତି  ପୂରଣ କରିବା ଓ ଲୋକଙ୍କ ସେବାକୁ  ଗୁରୁତ୍ୱ ଦେଇ କାମ କରିବାକୁ ସେ  ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।  କେନ୍ଦ୍ର ବଜେଟ୍‌ର ଲୋକାଭିମୁଖୀ  ଦିଗକୁ ଅଧିକରୁ ଅଧିକ ପ୍ରଚାର  ଓ ପ୍ରସାର କରିବାକୁ କୁହାଯାଇଛି । ବୈଠକରୁ ବାହାରି ଦଳୀୟ  ସାଂଗଠନିକ ନିର୍ବାଚନ ଅଧିକାରୀ  ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଦିଲ୍ଲୀ  ନିର୍ବାଚନ ପାଇଁ ରାଜ୍ୟ ସଭାପତି ନା  ଘୋଷଣା ବିଳମ୍ବିତ ହୋଇଥିଲା ।  

ଆସନ୍ତା ଦିନେ ବା ଦୁଇ ଦିନ ଭିତରେ  ବିଜେପି ରାଜ୍ୟ ସଭାପତିଙ୍କ ନାମ  ଘୋଷଣା କରାଯିବ । ସଭାପତି କିଏ  ହେବେ ତାହା ଦଳ ନିଷ୍ପତ୍ତି ନେବ । କୋର୍‌ କମିଟି ବୈଠକ ପରେ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି, ବୈଠକରେ ବିଭିନ୍ନ  ନିଗମ, ବୋର୍ଡ, କମିଶନ ଓ ଜିଲ୍ଲା ଯୋଜନା ବୋର୍ଡରେ ନିଯୁକ୍ତି ନେଇ  ଆଲୋଚନା ହୋଇଛି । ଫେବ୍ରୁଆରୀ  ମାସ ଶେଷ ସୁଦ୍ଧା ଚୟନ ଓ  ନିଯୁକ୍ତି ପ୍ରକ୍ରିୟା ଶେଷ ହେବ । ସାଂଗଠନିକ ନିର୍ବାଚନ ଓ ରାଜ୍ୟ  ସଭାପତି ଚୟନ ସମେତ ଅନ୍ୟ  ଗୁରୁପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା  ହୋଇଛି । ଆଠ ମାସରେ ସରକାରଙ୍କ ବିଭିନ୍ନ କାମକୁ ନେଇ ଟିକିନିଖି  ଆଲୋଚନା ହୋଇଛି । ସରକାର ଓ  ସଂଗଠନ ଭିତରେ କିଭଳି ସମନ୍ୱୟ  ରହିବ ସେଥିପାଇଁ କାମ କରାଯିବ ।