ରେଢାଖୋଲ, ୬ ।୪ : ସମ୍ବଲପୁର ଜିଲ୍ଲା ରେଢାଖୋଲ ସାହସପୁର ଠାରେ ରବିବାର ବିଜେପିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାର ନାଗରିକଙ୍କ ସେବା କରିବା ପାଇଁ ସଂକଳ୍ପ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନ ଆମର କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ, ପରିଶ୍ରମ ଓ ତପସ୍ୟାକୁ କୃତଜ୍ଞତା ଜଣାଇବାର ଅବସର । ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ରାଷ୍ଟ୍ର ସର୍ବୋପରି ଓ ସଂଗଠନର ସେବାକୁ ଜୀବନର ଉଦ୍ଦେଶ୍ୟ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ ମୋର ପ୍ରଣାମ । ଆଜି ଯଦି ବିଜେପି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ହୋଇଛି, ତେବେ ଏହା କେବଳ ନିର୍ବାଚନ ସଫଳତା ପାଇଁ ନୁହେଁ ବରଂ ଏହା କାର୍ଯ୍ୟକର୍ତ୍ତାଙ୍କ ପାଇଁ ସମ୍ଭବ ହୋଇଛି । ଗାଁ, ସାହି ଏବଂ ତୃଣମୂଳ ସ୍ତରରେ ବିଜେପିକୁ ଘରେ ଘରେ ପହଞ୍ଚାଇବାରେ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଆଜି ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ ସମେତ ସମାଜର ପ୍ରତିଟି ବର୍ଗର କଲ୍ୟାଣକୁ ସୁନିଶ୍ଚିତ କରି ‘ବିକଶିତ ଭାରତ’ର ନିର୍ମାଣରେ ନିଜର ଅମୂଲ୍ୟ ଯୋଗଦାନ ଦେଉଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଓଡ଼ିଶାରେ ବିଜେପି ସରକାରକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବିଗତ ୧୦ ମାସରେ ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ତଥା ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମାଆ- ଭଉଣୀମାନେ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ପାଇ ସଶକ୍ତ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଆଦି ଲୋକଙ୍କ ସରକାରର ପ୍ରତିଫଳନ ।

ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ କାର୍ଯ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ସରକାରୀ ସୁବିଧା ସମାଜର ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ଆହୁରି ପରିଶ୍ରମ କରିବା । ସମସ୍ୟାର ଅନ୍ତ ନାହିଁ, ତେଣୁ ନ ଥକି ଲୋକଙ୍କ କାମ କରିବା । ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟକୁ ଆଗେଇ ନେବାରେ ସହଯୋଗୀ ହେବା । ରାମ ନବମୀ ଅବସରରେ କାର୍ଯ୍ୟକର୍ତ୍ତାମାନେ “ପ୍ରାଣ ଯାଉ ପଛେ ବଚନ ଅନ୍ୟଥା ନ ଯାଉ”, ଏହି ବାକ୍ୟକୁ ଜୀବନର ଧ୍ୟେୟ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସାହସପୁର ଠାରେ ଦଳୀୟ ପଦଯାତ୍ରାରେ ସାମିଲ ହେବା ସହ କାର୍ଯ୍ୟକର୍ତ୍ତାଙ୍କ ଘରେ ବିଜେପି ପତାକା ଲଗାଇଥିଲେ ।ଶ୍ରୀ ପ୍ରଧାନ ସାହସପୁର ପଞ୍ଚାୟତର ସରପଞ୍ଚ, ନାଏବ ସରପଞ୍ଚ ଏବଂ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟଙ୍କୁ ଦଳରେ ସ୍ୱାଗତ କରିଥିଲେ ।