ସମ୍ବଲପୁର,୧୦/୦୧: ଆ.କଟାପାଲିରେ ଦୁର୍ଘଟଣା କରି ବିଜେପି ନେତାଙ୍କୁ ହତ୍ୟା ଘଟଣାର ରହସ୍ୟ ଖୋଲିବାକୁ ଅଭିଯୁକ୍ତର ହେବ ପଲିଗ୍ରାଫ୍‌  ପରୀକ୍ଷା । ବାରମ୍ବାର  ବୟାନ ପରିବର୍ତ୍ତନ  କରୁଥିବାରୁ ପଲିଗ୍ରାଫ୍‌  ସହ ମାନସିକ ସ୍ୱାସ୍ଥ୍ୟ  ପରୀକ୍ଷା କରାଯିବ । ଏନେଇ ସୂଚନା ଦେଇଛନ୍ତି  ସମ୍ବଲପୁର ଉତ୍ତରାଞ୍ଚଳ ପୁଲିସ୍‌ ଆଇଜି ହିମାଂଶୁ ଲାଲ୍‌ ।  

ଗୁରୁବାର ୩ ଦିନଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ପ୍ରସନ୍ନ କୁମାର ଜେନାମଣୀକୁ କୋର୍ଟରେ  ହାଜର କରିଥିଲା ବୁର୍ଲା ପୁଲିସ । ଏହାସହ ଅଧିକ  ତଦନ୍ତ କରିବାକୁ ଅଭିଯୁକ୍ତର ପଲିଗ୍ରାଫ୍‌ ପରୀକ୍ଷା  କରାଯିବ । ୩ ଦିନ ମଧ୍ୟରେ କୌଣସି ସଠିକ୍‌ ତଥ୍ୟ  ମିଳିନଥିବାରୁ ପୁଲିସ୍‌ ଅଧିକ ତଦନ୍ତ କରିବାକୁ  ଚାହୁଁଛି । ଅଭିଯୁକ୍ତ ଜେନାମଣୀ ହତ୍ୟାକାଣ୍ଡକୁ ଭିନ୍ନ  ଭିନ୍ନ ପ୍ରତିକ୍ରିୟା ଦେଉଛି । ପ୍ରଥମେ କହିଲା, ନିଦରେ ଗାଡ଼ି ଚଢ଼ିଯାଇଥିଲା । ପୁଣିଥରେ ପ୍ରଶ୍ନ କରିବାରୁ  କହିଥିଲା, ଅନ୍ୟ କେହି  ଡରାଇ ଧମକାଇବାରୁ ସେ  ଏଭଳି କାଣ୍ଡ କରିଥିଲା । 

ଅନ୍ୟମାନେ ଝଗଡ଼ା  କରିଥିଲେ, କିନ୍ତୁ ଏମାନଙ୍କୁ ଭୁଲରେ ମୋ ଗାଡି ଧକ୍କା  ଦେଇଥିଲା । ପୁଣି ଥରେ ପ୍ରତିକ୍ରିୟା ରଖି କହିଥିଲା,  ପ୍ରଥମ ଥର ଭୁଲରେ କାର୍‌ରେ ହାଇୱାଟି ବାଜିଥିଲା ।  ପରେ ଆଖି ଲାଗିବାରୁ ଦ୍ୱିତୀୟ ଥର କାରରେ  ଲାଗିଥିଲା । ଶେଷରେ ସର୍ଭିସ୍‌ ରୋଡ୍‌କୁ ଭୁଲରେ  ଯାଇ ଗାଡ଼ିରେ ଧକ୍କା ହୋଇଯାଇଥିଲା । ତେଣୁ  ଏଭଳି ବୟାନ ଦେଉଥିବାରୁ ପୁଲିସ୍‌ ପଲିଗ୍ରାଫ୍‌ ଟେଷ୍ଟ୍‌  କରିବାକୁ କୋର୍ଟରେ ଆଦେବନ କରିବ । ଏହାସହ  ଅଭିଯୁକ୍ତର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ ।  କେଉଁ କାରଣରୁ ଏହି ହତ୍ୟାକାଣ୍ଡ ହୋଇଛି ତାଉପରେ  ଅଧିକ ଖୋଳତାଡ଼ କରିବାକୁ ଆଉଥରେ ରିମାଣ୍ଡରେ  ନିଆଯିବ ବୋଲି ଆଇଜି ହିମାଂଶୁ ଲାଲ୍‌ କହିଛନ୍ତି ।  

ଗତ ଶନିବାର ୪ ତାରିଖ ରାତି(ଇଂରାଜୀ କ୍ୟାଲେଣ୍ଡର  ଅନୁସାରେ ୫ ତାରିଖ) ପ୍ରାୟ ଗୋଟାଏ ବେଳେ ବୁର୍ଲା  ଆ.କଟାପାଲି ଅଞ୍ଚଳରେ କାର୍‌କୁ ହାଇୱା ଧକ୍କା ଦେବାରୁ  ୨ ଜଣ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବିଜେପିର ଗୋଶାଳା ମଣ୍ଡଳ ସଭାପତି  ଦେବେନ୍ଦ୍ର ନାୟକ(୫୫) ଓ କର୍ଡୋଲା ପଞ୍ଚାୟତର  ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା ମୂରଲୀଧର  ଛୁରିଆ(୬୨) । ଏହି ଘଟଣାରେ ହାଇୱା ଚାଳକ ପ୍ରସନ୍ନ  କୁମାର ଜେନାମଣୀଙ୍କୁ ପୁଲିସ୍‌ ଗିରଫ କରିଛି । କୋର୍ଟ  ଚାଲାଣ ପରେ ୭ ଦିନିଆ ରିମାଣ୍ଡ ପୁଲିସ୍‌ ଆବେଦନ  କରିଥିଲା । ହେଲେ ୩ ଦିନ ରିମାଣ୍ଡ ପାଇଁ ଅନୁମତି  ଦେଇଥିଲେ କୋର୍ଟ । ଯାହାକି ଆଜି ରିମାଣ୍ଡ ଶେଷ  ପରେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି ।