ନୂଆଦିଲ୍ଲୀ : ମସିହା ଥିଲା ୨୦୧୬ ଓ ମାସ ଥିଲା ଅପ୍ରେଲ , ବିଜେପିର ମହିଳା ନେତ୍ରୀ ରୂପା ଗାଙ୍ଗୁଲୀଙ୍କର ଏକ ଭିଡିଓ ଭାଇରାଲ ହେଉ ଥିଲା , ଯେଉଁଥିରେ ସେ ତୃଣମୂଳ କଂଗ୍ରେସ (ଟିଏମସି) ର କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରିବାର କଏଦ ହୋଇ ଥିଲା। ଏହି ଘଟଣାରୁ ରାଜନୀତିକ ମାହୋଲ ସରଗରମ ହୋଇ ଥିଲା ଏବଂ ପୁଲିସରେ ଅଭିଯୋଗ ରୁଜୁ କରାଯାଇ ଥିଲା। ହେଲେ , ଗାଙ୍ଗୁଲୀ କହି ଥିଲେ ଯେ, ଯେବେ ସେ ବୁଥରେ ଭୋଟରଙ୍କର ଅଭିଯୋଗର ଯାଞ୍ଚ କରିବାକୁ ଯାଇଥିଲେ , ସେବେଠାରୁ ତାଙ୍କୁ ଟିଏମସିର ଗୁଣ୍ଡାମାନେ ମିଛ ଅଭିଯୋଗ ଲଗାଇ ଥିଲେ। ଏହି ସମୟରେ ମାମଲା ବଢି ଗଲା ଏବଂ କଥା ଯାଇ ଚାପୁଡ଼ା ଯାଏ ପହଞ୍ଚି ଗଲା। ଏବେ ଆସିବା ୨୦୨୬ ମସିହାକୁ, ଅର୍ଥାତ୍ ଗୋଟିଏ ଦଶକ ପରେ। ରାଜ୍ୟରେ ପ୍ରଥମ ଥର ବିଜେପିର ସରକାର ଗଠନ ହେବାକୁ ଯାଉଛି। ବିଜେପି ଟିଏମସିକୁ କଡ଼ା ପରାଜୟ ଚଖାଇ ୨୦୮ ଟି ସିଟ୍ ଜିତିଛି। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ନାଁରେ ଚର୍ଚ୍ଚା ହେଉଛି। ଏଥିରେ ଡେପୁଟି ସିଏମଙ୍କ ଭଳି ବଡ଼ ଦାୟିତ୍ୱ ପାଇଁ ଏକ ବଡ଼ ନାଁ ରୂପା ଗାଙ୍ଗୁଲୀଙ୍କ ମଧ୍ୟ ସାମ୍ନାକୁ ଆସୁଛି।

ରୂପାଙ୍କୁ ଡେପୁଟି ସିଏମ୍ କରିପାରେ ପାର୍ଟି !

ରାଜ୍ୟରେ ଦୁଇ ଜଣ ଡେପୁଟୀ ସିଏମ୍ ମଧ୍ୟ କରାଯାଇ ପାରେ। ଏଥିରେ ଗୋଟିଏ ନାଁ ରୂପା ଗାଙ୍ଗୁଲୀଙ୍କର ହୋଇପାରେ। ହେଲେ ଆଉ ଦୁଇ ମହିଳା ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ଜଣେ ଅଗ୍ନିମିତ୍ରା ପାଲ୍ ଓ ଅନ୍ୟଜଣେ ଲକେଟ୍ ଚାଟାର୍ଜୀ । ଏହି ତିନି ଜଣଙ୍କ ମଧ୍ୟରେ ସବୁଠୁ ଆଗରେ ନାଁ ରୂପା ଗାଙ୍ଗୁଲୀଙ୍କର ହିଁ ଆସୁଛି। ଅନ୍ୟପଟେ ଆଉ ଜଣେ ଡେପୁଟୀ ସିଏମ୍ ଶଙ୍କର ଘୋଷ ହୋଇ ପାରନ୍ତି , ଯିଏକି ସିଲିଗୁଡ଼ିରୁ ଜିତିଛନ୍ତି।

ସିଏମ୍ ଦୌଡ଼ରେ ସବୁଠୁ ଆଗରେ ଶୁଭେନ୍ଦୁ –

ସୂତ୍ରାନୁସାରେ, ବିଜେପି ପଶ୍ଚିମବଙ୍ଗରେ ଆଗାମୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ କରିପାରେ। ଟିଏମସିରୁ ବିଜେପିକୁ ଆସିଥିବା ଅଧିକାରୀ ଗତ ଛଅ ବର୍ଷରେ ପାର୍ଟି ପାଇଁ ବଡ଼ ଚେହେରା ରହିଛନ୍ତି। ଏମିତି କି ସେ ଦୁଇ ଥର ମମତା ବାନାର୍ଜୀଙ୍କୁ ହରାଇଛନ୍ତି। ପ୍ରଥମ ଥର ଗତ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଏବଂ ଏହି ଥର ଭବାନୀପୁରରୁ। ମମତା ବାନାର୍ଜୀଙ୍କୁ ହରାଇବା କାରଣକୁ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭରସାଯୋଗ୍ୟ ନେତାଙ୍କ ମଧ୍ୟରେ ଜଣେ ଅଧିକାରୀ ସିଏମ୍ ହେବା ସ୍ପଷ୍ଟ ମନେକରାଯାଉଛି।

ବିଜେପି ସର୍ବଦା ଚମକାଇବା ନେଇ ପରିଚିତ। ଦିଲ୍ଲୀ , ୟୁପି , ରାଜସ୍ଥାନ , ମଧ୍ୟ ପ୍ରଦେଶରୁ ନେଇ ଅନେକ ରାଜ୍ୟ ଯାଏ ସେ ଅତୀତରେ ଏମିତି ନେତାଙ୍କୁ ସିଏମ୍ କରିଛି, ଯାହାଙ୍କୁ ନେଇ କୌଣସି ପ୍ରକାରର ଅଟକଳ ପୂର୍ବରୁ ହୋଇ ନଥାଏ। ଏହି କ୍ରମରେ ଏବେ ଯେବେ ବଙ୍ଗଳାରେ ସମସ୍ତେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ସ୍ଥିର ମନେକରୁଛନ୍ତି ତ ଗୋଟିଏ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ଅଧିକାରୀଙ୍କ ପରିବର୍ତ୍ତେ ପାର୍ଟି ଆଉ କେଉଁ ନେତାଙ୍କୁ ସିଏମ୍ କରିପାରେ। ଏହି ଦୌଡ଼ରେ ଦିଲ୍ଲୀପ ଘୋଷ , ସମିକ ଭଟ୍ଟାଚାର୍ଯ୍ୟ, ସୁକାନ୍ତ ମଜୁମଦାରଙ୍କ ନାଁ ମଧ୍ୟ ସାମିଲ ଅଛି। ହେଲେ ଶେଷ ନିଷ୍ପତ୍ତି କେନ୍ଦ୍ର ନେତୃତ୍ୱ ହିଁ କରିବେ।