ନୂଆଦିଲ୍ଲୀ,୨୦/୦୧: ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ନିଦ୍ଦ୍ୱର୍ନ୍ଦ୍ୱରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ବିଜେପିର ଦ୍ୱାଦଶ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ତାଙ୍କ ସପକ୍ଷରେ ମୋଟ ୩୭ ସେଟ୍ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ଆଜି (ମଙ୍ଗଳବାର) ଔପଚାରିକ ଭାବେ ତାଙ୍କ ନାମ ଘୋଷଣା କରାଯିବ । ବର୍ତ୍ତମାନର ଅଧ୍ୟକ୍ଷ ଥିବା ଜେ.ପି ନଡ୍ଡାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଏଥିପାଇଁ ଦଳୀୟ ମୁଖ୍ୟାଳୟରେ ପୂର୍ବାହ୍ନ ସାଢ଼େ ୧୧ଟାରେ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ଉପସ୍ଥିତ ରହିବେ । ୪୫ ବର୍ଷ ବୟସରେ ସେ ବିଜେପିର ସର୍ବକନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି । ତେବେ ବିଜେପିରେ ଆଉ କିଏ କେବେ ଏବଂ କେଉଁ ବୟରେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ ତାଲିକା ଉପରେ ନଜର ପକାନ୍ତୁ ।
୧୯୮୦ ଏପ୍ରିଲ ୬ରେ ଭାରତୀୟ ଜନତା ପାର୍ଟିର ମୂଳଦୁଆ ପଡିଥିଲା । ବିଜେପି ଗଠନର ୪୫ ବର୍ଷ ଇତିହାସରେ ଅଟଳ ବିହାରୀ ବାଜପେୟୀଙ୍କଠୁ ନେଇ ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହରଙ୍କ ପରି ନେତା ଅଧ୍ୟକ୍ଷ କମାଣ ସମ୍ଭାଳିଛନ୍ତି । ମାତ୍ର ସବୁଠୁ କମ୍ ବୟସରେ ନୀତିନ ନବୀନ ଅଧ୍ୟକ୍ଷ ହୋଇଛନ୍ତି । ବିଜେପିର ୪୫ ବର୍ଷର ରାଜନୈତିକ ଯାତ୍ରାରେ ଅଚଳ ବିହାରୀ ବାଜପେୟୀ ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ଏବେ ନୀତିନ ନବୀନଙ୍କ ହାତରେ ସଂଗଠନର କମାଣ ହସ୍ତାନ୍ତର କରାଯାଇଛି ।
ଅଟଳ ବିହାରୀ ବାଜପେୟୀ
କାର୍ଯ୍ୟକାଳ- ୧୯୮୦-୧୯୮୬, ୫୫ ବର୍ଷରେ ହୋଇଥିଲେ ଅଧ୍ୟକ୍ଷ
ଲାଲକୃଷ୍ଣ ଆଡଭାନୀ (ପ୍ରଥମ ଥର)
କାର୍ଯ୍ୟକାଳ-୧୯୮୬-୧୯୯୧, ୫୮ ବର୍ଷରେ ହୋଇଥିଲେ ଅଧ୍ୟକ୍ଷ
କାର୍ଯ୍ୟକାଳ- ୧୯୯୩-୧୯୯୮ (ଦ୍ୱିତୀୟ ଥର), ୬୫ ବର୍ଷରେ ହୋଇଥିଲେ ଅଧ୍ୟକ୍ଷ
କାର୍ଯ୍ୟକାଳ- ୨୦୦୪-୨୦୦୫ (ତୃତୀୟ ଥର), ୭୭ ବର୍ଷ
ମୁରଲୀ ମନୋହର ଯୋଶୀ
କାର୍ଯ୍ୟକାଳ -୧୯୯୧-୧୯୯୩, ୫୭ ବର୍ଷ
କୁଶଭାଉ ଠାକରେ
କାର୍ଯ୍ୟକାଳ- ୧୯୯୮-୨୦୦୦, ବୟସ ୭୫ ବର୍ଷ
ବଙ୍ଗାରୁ ଲକ୍ଷ୍ମଣ
କାର୍ଯ୍ୟକାଳ- ୨୦୦୦-୨୦୦୧, ବୟସ ୬୧ ବର୍ଷ
ଜନା କୃଷ୍ଣମୂର୍ତ୍ତୀ
କାର୍ଯ୍ୟକାଳ ୨୦୦୧-୨୦୦୨, ବୟସ ୭୨ ବର୍ଷ
ଏମ୍ ଭେଙ୍କେୟାର ନାୟୁଡୁ
କାର୍ଯ୍ୟକାଳ- ୨୦୦୨-୨୦୦୪, ବୟସ ୫୩ ବର୍ଷ
ରାଜନାଥ ସିଂହ
(ପ୍ରଥମ ଥର ) କାର୍ଯ୍ୟକାଳ-୨୦୦୫-୨୦୦୯, ବୟସ ୫୪ ବର୍ଷ
(ଦ୍ୱିତୀୟ ଥର) କାର୍ଯ୍ୟକାଳ- ୨୦୦୧୩-୨୦୧୪, ବୟସ ୬୧ ବର୍ଷ
ନୀତିନ ଗଡ଼କରୀ
କାର୍ଯ୍ୟକାଳ ୨୦୦୯-୨୦୧୩, ବୟସ ୫୨ ବର୍ଷ
ଅମିତ୍ ଶାହ
କାର୍ଯ୍ୟକାଳ ୨୦୧୪-୨୦୨୦, ବୟସ- ୪୯ ବର୍ଷ
ଜେପି ନଡ୍ଡା
କାର୍ଯ୍ୟକାଳ- ୨୦୨୦-୨୦୨୪, ବୟସ- ୫୯ ବର୍ଷ
ନୀତିନ ନବୀନ
କାର୍ଯ୍ୟକାଳ ୨୦୨୫, ବୟସ ୪୫ ବର୍ଷ
ଲୋକସଭା ନିର୍ବାଚନ ୨୦୨୪ ପରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନଡ୍ଡାଙ୍କ ବିକଳ୍ପ ଭାବେ ନୀତିନ ନବୀନଙ୍କୁ ଚୟନ କରାଯାଇଥିଲା । ବିଜେପି ନୀତିନଙ୍କୁ ଡିସେମ୍ବରରେ ପାର୍ଟି କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରି ସମସ୍ତଙ୍କୁ ଚକିତ କରିଥିଲା । ଏବେ ସେ ସ୍ଥାୟୀ ଭାବେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।