କୋଲକାତା: ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ବିଜେପିର ବିଜୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନକଲି ଭୋଟରଙ୍କ ସହୟତାରେ ବିଜେପିର ନିର୍ବାଚନ ଜିତିଛି ବୋଲି ସେ ଅଭିଯୋଗ କରିଛନ୍ତି । ହରିୟାଣା ଏବଂ ଗୁଜରାଟରୁ ଲୋକଙ୍କୁ ଆଣି ବିଜେପି ଭୋଟ ସଂଖ୍ୟା ବଢ଼ାଇଛି ଏବଂ ନିର୍ବାଚନରେ ବିଜୟୀ ହୋଇଛି ବୋଲି ମମତା ଦାବି କରିଛନ୍ତି । 

ଟିଏମସି ସୁପ୍ରିମୋ ନେତାଜୀ ହଲରେ ଆୟୋଜିତ ଏକ ଦଳୀୟ ବୈଠକରେ କହିଛନ୍ତି, ନିର୍ବାଚନ କମିଶନ ଯେପର୍ଯ୍ୟନ୍ତ ନିରପେକ୍ଷ ନହେବ ସେପର୍ଯ୍ୟନ୍ତ ମୁକ୍ତ ଏବଂ ଅବାଧ ନିର୍ବାଚନ ହୋଇପାରବି ନାହିଁ । ମୁଖ୍ୟ ନିର୍ବାଚନ କମିଶନର ଭାବରେ ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ଭାରତୀୟ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ସେ କହିଛନ୍ତି, ‘ଆମେ ବିଜେପି ସହାୟତାରେ ପଞ୍ଜୀକୃତ ନକଲି ଭୋଟରଙ୍କୁ ଚିହ୍ନଟ କରିବୁ, ବାହାର ଲୋକଙ୍କୁ ବେଙ୍ଗଲ ଦଖଲ କରିବାକୁ ଦେବୁ ନାହିଁ ।’




ଅନ୍ୟପଟେ, ଟିଏମସି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ମତଭେଦ ଥିବା ନେଇ ଦାବିକୁ ତାଙ୍କ ପୁତୁରା ଓ ଟିଏମସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଖଣ୍ଡନ କରିଛନ୍ତି । ଏହା ସହ ମମତାଙ୍କ ପ୍ରତି ଥିବା ତାଙ୍କର ଆନୁଗତ୍ୟ ସଂପର୍କରେ କହିଛନ୍ତି । ସେ କହିଛନ୍ତି, ‘ମୁଁ ଟିଏମସିର ଜଣେ ବିଶ୍ୱସ୍ତ ସୈନିକ ଏବଂ ମୋର ନେତା ହେଉଛନ୍ତି ମମତା ବାନାର୍ଜୀ ।’

ବିଜେପିକୁ ଯାଇପାରନ୍ତି ବୋଲି କଳ୍ପନାଜଳ୍ପନାକୁ ଖାରଜ କରି ସେ କହିଛନ୍ତି, ‘ଯେଉଁମାନେ କହୁଛନ୍ତି ଯେ ମୁଁ ବିଜେପିରେ ଯୋଗ ଦେଉଛି ସେମାନେ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ମୁଁ ସେହି ଲୋକମାନଙ୍କୁ ଜାଣେ ଯେଉଁମାନେ ଏପରି ମିଥ୍ୟା ଖବର ପ୍ରସାର କରୁଛନ୍ତି । ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସେମାନେ ଜାଣିଶୁଣି ଅପପ୍ରଚାର କରୁଛନ୍ତି ।’ ସେପଟେ ଦଳ ଭିତରେ ଥିବା ବିଶ୍ବାସଘାତକଙ୍କ ପର୍ଦ୍ଦାଫାସ କରିବେ ବୋଲି  ଡାଇମଣ୍ଡ ହାର୍ବର ସାଂସଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।