ନୂଆଦିଲ୍ଲୀ ୧୭/୦୧: ସମ୍ପ୍ରତି ବହୁଲୋକ ଅନଲାଇନ୍‌ ଖାଦ୍ୟ ଅର୍ଡର୍‌ ଦେଇ ଖାଇବାକୁ ଗୁରୁତ୍ୱ ଦେଉଛନ୍ତି। ବାହାରୁ ମଗାଉଥିବା ଖାଦ୍ୟ ପ୍ରାୟତଃ କଳା ରଙ୍ଗର ପ୍ଲାଷ୍ଟିକ୍‌ କଣ୍ଟେନର୍‌ ତଥା ଡବାରେ ପ୍ୟାକ୍‌ ହୋଇ ଆସିଥାଏ। ଯଦିଓ ଏହାକୁ ଥରେ ବ୍ୟବହାର ପରେ ଫିଙ୍ଗିଦେବା ଉଚିତ୍‌, କିନ୍ତୁ ଏମିତି ଅନେକ ଅଛନ୍ତି, ଯେଉଁମାନେ କଳା ପ୍ଲାଷ୍ଟିକ୍‌ ଡବାକୁ ସାଇତି ବାରମ୍ବାର ଏଥିରେ ଗରମ ଖାଦ୍ୟକୁ ରଖନ୍ତି। ମାଇକ୍ରୋୱେଭ୍‌ରେ ଖାଦ୍ୟ ଗରମ କରିବା ବେଳେ ଏହି କଳା ପ୍ଲାଷ୍ଟିକ୍‌ ଡବା ବ୍ୟବହାର ଦ୍ୱାରା କର୍କଟ ପରି ଗମ୍ଭୀର ରୋଗ ହେବାର ଆଶଙ୍କା ରହିଛି।

ଶରୀରର କୋଷଗୁଡିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କ୍ୟାନ୍ସର ବା କର୍କଟ କୁହାଯାଏ। ଧୂମପାନ, ମଦ୍ୟପାନ, ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ମେଦବହୁଳତା, ବଂଶଗତ ଆଦି କର୍କଟ ରୋଗ ବୃଦ୍ଧିର କାରଣ ହୋଇଥିଲେ ହେଁ ଏବେ କଳା ପ୍ଲାଷ୍ଟିକ୍‌ ଡବାକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା କର୍କଟ ପରି ଗମ୍ଭୀର ରୋଗକୁ ଆମନ୍ତ୍ରୀତ କରିପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। 

କିମୋସ୍ଫିୟର ନାମକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ୨୦୩ଟି କଳା ପ୍ଲାଷ୍ଟିକ୍‌ ଉତ୍ପାଦକୁ ବିଶ୍ଳେଷଣ କରାଯାଇଥିଲା। ଏଥିରୁ ୮୫ ପ୍ରତିଶତ ଉତ୍ପାଦରେ ଟକ୍ସିକ୍‌ ଫ୍ଲେମ୍‌ ତଥା ବିଷାକ୍ତ ଧୂଆଁ ମିଳିଥିଲା। ବିଡିଆର ଫାର୍ମାସ୍ୟୁଟିକାଲ୍ସ ଟେକନିକର ନିର୍ଦ୍ଦେଶକ ଡା. ଅରବିନ୍ଦ ବେଡିଗରଙ୍କ କହିବାଅନୁସାରେ, କଳା ପ୍ଲାଷ୍ଟିକ୍‌ ଡବାରୁ ବିଷାକ୍ତ ଆଗ୍ନିରୋଧ ପଦାର୍ଥ ଖାଦ୍ୟ ମାଧ୍ୟମରେ ପେଟ ମଧ୍ୟକୁ ଚାଲିଯାଏ। ଏହା ଶରୀର ଉପରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି କରିବା ସହ କର୍କଟ ପରି ରୋଗକୁ ଆମନ୍ତ୍ରିତ କରିପାରେ।

ସେତିକି ନୁହେଁ କଳା ରଙ୍ଗର ପ୍ଲାଷ୍ଟିକ୍‌କୁ ପ୍ଲାଷ୍ଟିକ୍‌ ରେଜିନରେ କାର୍ବନ ବ୍ଲାକ୍‌ ପିଗମେଣ୍ଟକୁ ମିଶାଇ ତିଆରି କରାଯାଏ। ଗବେଷଣା ଅନୁଯାୟୀ କାର୍ବନ ବ୍ଲାକ୍‌ ପିଗମେଣ୍ଟ୍‌ ସ୍ୱାସ୍ଥ୍ୟକୁ  କ୍ଷତି ପହଞ୍ଚାଏ। ସେହିପରି ଇଣ୍ଟରନେସନାଲ୍‌ ଏଜେନ୍ସି  ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍ସର ଅନୁଯାୟୀ ଏହା କର୍କଟ ବୃଦ୍ଧି ଆଶଙ୍କାକୁ ବଢାଇପାରେ। ଏହା ଶ୍ୱସନସମ୍ବନ୍ଧୀୟ ସମସ୍ୟାର କାରଣ ମଧ୍ୟ ସାଜିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଳା ପ୍ଲାଷ୍ଟିକ୍‌ ଡବାରେ ଗରମ ଖାଦ୍ୟ ରଖିବା ଦ୍ୱାରା ଏଣ୍ଡ୍ରୋକ୍ରେନ୍‌ ଡିଷ୍ଟ୍ରକ୍ଟିଂ ନାମକ ବିଷାକ୍ତ ସୃଷ୍ଟି ହେଉଥିବାରୁ ଏହା ହର୍ମୋନକୁ ଅସନ୍ତୁଳିତ କରିଥାଏ। ଫଳରେ ହର୍ମୋନ୍‌ କାମ କରିବା ବନ୍ଦ କରିଥାଏ। ତେଣୁ ଏପରି କଳା ପ୍ଲାଷ୍ଟିକ୍‌ ଡବା ବ୍ୟବହାର କରୁଥିଲେ ସତର୍କତା ଅବଲମ୍ବନ ଜରୁରୀ।