ନୂଆଦିଲ୍ଲୀ, ୨୮।୭: କଳା ସାଗରରେ ଏକ ବ୍ୟବସାୟିକ ଜାହାଜ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟଣା ଏବେ ତୀବ୍ର ରୂପ ନେଇଛି । ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ୍ ଜି.ଡି. ବକ୍ସି ୟୁକ୍ରେନ୍ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଭାରତ ଏବେ କଡ଼ା ଜବାବ ଦେବା ସହ କ୍ଷତିପୂରଣ ଓ କ୍ଷମାପ୍ରାର୍ଥନା ପାଇଁ ଦାବି କରିବା ଉଚିତ୍ ବୋଲି ସେ କହିଛନ୍ତି । ପୂର୍ବତନ ସେନା ଅଧିକାରୀ ଜି.ଡି. ବକ୍ସି କହିଛନ୍ତି, "ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସିକି ନିଜ ଦେଶକୁ ସମ୍ପୂର୍ଣ୍ଣ ଧ୍ୱଂସ କରିସାରିଛନ୍ତି । ଏବେ ସେ ନିରୀହ ଭାରତୀୟ ନାବିକଙ୍କୁ ଆକ୍ରମଣ କରି ସେମାନଙ୍କ ଜୀବନ ନେବା ଆରମ୍ଭ କରିଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ । ଭାରତୀୟ ନୌସେନା ଏବେ ୟୁକ୍ରେନର ମର୍ଚାଣ୍ଟ ଶିପ୍ ଉପରେ ସିଧାସଳଖ ଆକ୍ରମଣ କରିବା ଉଚିତ୍ ।"  

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ରୁଷ ଏପର୍ଯ୍ୟନ୍ତ ୟୁକ୍ରେନର ମୁର୍ଖ ଆଚରଣକୁ କାହିଁକି ସହ୍ୟ କରୁଛି ଓ କାହିଁକି କଡ଼ା ଜବାବ ଦେଉନାହିଁ, ତାହା ବୁଝାପଡ଼ୁନାହିଁ ।" ଗତ ସପ୍ତାହରେ କଳା ସାଗରର ରୁଷୀୟ ଜଳସୀମା ଦେଇ ଗତି କରୁଥିବା 'ଏମଭି ଓମୋରଫି' ନାମକ ଏକ ବ୍ୟବସାୟିକ ଜାହାଜ ଉପରେ ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣ କରିଥିଲା, ଯେଉଁଥିରେ ଜଣେ ଭାରତୀୟ ନାବିକଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ଭାରତ ସରକାର ସୋମବାର ଦିନ ୟୁକ୍ରେନର ରାଷ୍ଟ୍ରଦୂତ ଓଲେକ୍ସାଣ୍ଡର ପୁଲିସଚୁକଙ୍କୁ ସମନ୍ କରି କଡ଼ା ବିରୋଧ ଜାହିର କରିଛନ୍ତି । ଏଭଳି ଆକ୍ରମଣ ଆନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ଓ ବିଶ୍ୱ ବାଣିଜ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରୁଛି ବୋଲି ଭାରତ ଚେତାବନୀ ଦେଇଛି । 

ଏହା ବି ପଢ଼ନ୍ତୁ... PUC Rules: କାର ଏବଂ ବାଇକ୍ ମାଲିକଙ୍କ ପାଇଁ ଖୁସି ଖବର, ୩ ବର୍ଷ ହୋଇପାରେ PUC ସାର୍ଟିଫିକେଟ୍ ବୈଧତା

ଏହା ପୂର୍ବରୁ ଜୁଲାଇ ୧୯ ତାରିଖରେ ୟୁକ୍ରେନର ଓଡେସା ପୋର୍ଟରୁ ବାହାରିଥିବା 'ଏମଭି ଗୋଲ୍ଡ ଲିଓ' ଜାହାଜ ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିଲା । କଳା ସାଗରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଆକ୍ରମଣ ଓ ୫ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଛି । କଳା ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକରେ ଚାକିରି କରିବାକୁ ଚାହୁଁଥିବା ଭାରତୀୟ ନାଗରିକମାନେ ଅଫର ଗ୍ରହଣ କରିବା ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ବିପଦକୁ ଭଲ ଭାବରେ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।