ପ୍ରମୂଖ ଖବର
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ

Published By : Gurupada Nath | June 29, 2025 10:52 PM

ଭୋଗରାଇ,୨୯/୬ : ଚଳିତ ମାସ ୨୦ତାରିଖରେ ହଠାତ୍ ସୁବର୍ଣ୍ଣରେଖାରେ ବନ୍ୟା ମାଡ଼ି ଆସିବାରୁ ଭୋଗରାଇ ବ୍ଲକର ୧୦ରୁ ଅଧିକ ପଞ୍ଚାୟତର ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏପରିକି ବନ୍ୟା ଜଳରେ ଭାସିଯାଇ ୨ଟି ଜୀବନ ହାନି ମଧ୍ୟ ଘଟିଥିଲା । ଏବେ ପୁଣି ଥରେ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ‌ ପୂର୍ବ ଭଳି ଚଳିତ ଥର ବନ୍ୟାରେ ଅବହେଳା ବରଦାସ୍ତ କରାଯିବନି ବୋଲି ରବିବାର ଭୋଗରାଇ ପଞ୍ଚାୟତ ସମିତି ସଭାଗୃହରେ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ମତବ୍ୟକ୍ତ କରିଛନ୍ତି ।

ବିଡ଼ିଓ ପ୍ରଶାନ୍ତ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଗିରି ଆହୁରି ମଧ୍ଯ କରିଥିଲେ ଯେ, ଗତ ବନ୍ୟାରେ ପ୍ରଶାସନର ପ୍ରସ୍ତୁତି ଓ ଅବହେଳା ପାଇଁ ୨ଟି ନିରିହ ଜୀବନ ଚାଲିଗଲା । ମାତ୍ର ଚଳିତ ଥର ଉଭୟ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମିଳିତ ସହଯୋଗରେ ଆମେ ଜିରୋ କାଜୁଆଲିଟି ଲକ୍ଷ ପୂରଣ କରିବା । ଏଥିପାଇଁ ରବିବାର ସନ୍ଧ୍ୟାରୁ ନଦୀ କୂଳ ଓ ଆଖପାଖ ୧୩ଟି ପଞ୍ଚାୟତର ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ଆଶ୍ରୟସ୍ଥଳୀ ଅଥବା ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଓ ଗରମ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରିବାକୁ ଯୋଗାଣ ବିଭାଗ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ କୁହାଯାଇଥିଲା । ଆବଶ୍ୟକ ସ୍ଥଳେ ଜେନେରେଟର ଓ ପିଇବା ପାଣି ଯୋଗାଇବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବନ୍ୟାର ପରିସ୍ଥିତିକୁ ଲକ୍ଷ୍ୟ ରଖି ଦୁର୍ବଳ ନଦୀ ବନ୍ଧ ପାଖରେ ପର୍ଯ୍ୟାପ୍ତ ପରିମାଣର ବାଲିବସ୍ତା ମହଜୁଦ ରଖିବାକୁ କୁହାଯିବା ସହ ଆବଶ୍ୟକ ମଟର ବୋର୍ଟ ଓ ଯନ୍ତ୍ରଚାଳିତ ଡ଼ଙ୍ଗା ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବୋପରି ବନ୍ୟା ଜନୀତ ସ୍ଥାନାନ୍ତରୀକରଣ ଓ ପରବର୍ତ୍ତୀ ରିଲିଫ ବଣ୍ଟନକୁ ତ୍ବରାନ୍ବିତ କରିବାଲାଗି ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯିବା ସହିତ ସମସ୍ତଙ୍କୁ ମନଯୋଗ ଦେଇ କାମ କରିବାକୁ ବିଡ଼ିଓ ଶ୍ରୀ ମହାରଣା ଅନୁରୋଧ କରିଥିଲେ ।

ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପ୍ରତାପ କୁମାର ବେହେରା, ବ୍ଲକ ଯୋଗାଣ ଅଧିକାରୀ ସୋମେଶ୍ୱର ବେହେରା, ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର କମଳାକାନ୍ତ ଜେନା, ବିଦ୍ୟୁତ୍ ବିଭାଗର ଏସଡିଓ କାନ୍ତି ଭୂଷଣ ଜେନା ଓ ଜିଲ୍ଲା ପରିଷଦ ସଭ୍ୟା କବିତା ମହାନ୍ତିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ୬ଟି ଗେଟ୍ ଦ୍ବାରା ୬ ହଜାର କ୍ୟୁସେକ ପାଣି ଛଡା ଯାଉଥିବାରୁ ଏବେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଅତିକ୍ରମ କରିଛି । ରାଜଘାଟ ଠାରେ ଏହାର ସତର୍କ ସୂଚନା ୬.୦ ଓ ବିପଦ ସଙ୍କେତ ୬.୫ ମିଟର ରହିଥିବାବେଳେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ୭.୧୫ ରେ ପ୍ରବାହିତ ହେଉଛି । ତେବେ ମଧ୍ୟରାତ୍ରି ସୁଦ୍ଧା ଏହା ବୃଦ୍ଧି ପାଇ ୭.୭୦ ମିଟର ହେବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.